ETV Bharat / international

ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ; ବିରୋଧ କଲା ଆମେରିକା

author img

By ETV Bharat Odisha Team

Published : Dec 13, 2023, 8:06 AM IST

Updated : Dec 13, 2023, 8:56 AM IST

ଜାତିସଂଘରେ ଗାଜା ଅସ୍ତ୍ରବିରତି ପ୍ରସ୍ତାବ ପାରିତ
ଜାତିସଂଘରେ ଗାଜା ଅସ୍ତ୍ରବିରତି ପ୍ରସ୍ତାବ ପାରିତ

Gaza Ceasefire Demand in UNGA: ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘ ମହାସଭାରେ ଆଗତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦୁଇ ମାସ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜାରି ରହିଛି ଲଢେଇ । ହମାସ୍‌କୁ ମୁହଁତୋଡ ଜବାବ ଦେବାକୁ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଇଲ ସେନା । ଯାହାଫଳରେ ଗାଜାରେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଂଘାତିକ ମାବନୀୟ ସଙ୍କଟ ସୃଷ୍ଟି ହୋଇଛି । ତେଣୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ମଙ୍ଗଳବାର ଜାତିସଂଘ ମହାସଭାରେ (UNGA) ଏକ ଚିଠା ପ୍ରସ୍ତାବ ଆସିଥିଲା । ଏଥିରେ ଗାଜାରେ ଅସ୍ତ୍ରବିରତି ସହିତ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି । ଯେତେବେଳେ କି ଆମେରିକା ଅସ୍ତ୍ରବିରତି ବିପକ୍ଷରେ ମତଦାନ କରିଥିଲା ।

ମଙ୍ଗଳବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାର ଏକ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନରେ ଗାଜାରେ ଅସ୍ତ୍ରବିରତି ନେଇ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ଅଲଜିରିୟା, ବାହାରିନ, ଇରାକ, କୁୱେତ୍‌, ଓମାନ, କତାର, ସାଉଦି ଆରବ, ୟୁଏଇ, ପାଲେଷ୍ଟାଇନ୍‌ ଭଳି କେତେକ ଦେଶ ଗାଜାରେ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଓ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ଦାବି କରି ଉକ୍ତ ପ୍ରସ୍ତାବ ଆଣିଥିଲେ । ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ, ଫ୍ରାନ୍ସ, ଚୀନ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ଆମେରିକା, ଅଷ୍ଟ୍ରିଆ, ଇସ୍ରାଏଲ, ପପୁଆ ନିଉ ଗିନି ଆଦି ୧୦ଟି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ସେହିପରି ୟୁକ୍ରେନ, ଜର୍ମାନୀ, ଆର୍ଜେଣ୍ଟିନା ଆଦି ୨୩ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ତେବେ ଉକ୍ତ ପ୍ରସ୍ତାବରେ କେଉଁଠି ବି ହମାସ୍‌ ନାଁ ଉଲ୍ଲେଖ କରାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଜା ଯୁଦ୍ଧରେ ପ୍ରାଣ ହରାଇଲେଣି 100ରୁ ଅଧିକ ଇସ୍ରାଏଲୀ ସୈନିକ: IDF

ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କୋମ୍ବୋଜ କହିଛନ୍ତି, ''ଗାଜାରେ ଉତ୍କଟ ମାନବୀୟ ସଙ୍କଟ ସୃଷ୍ଟି ହେବା ସହିତ ବହୁସଂଖ୍ୟକ ଜୀବନ ହାନି ଘଟୁଛି । ଜାତିସଂଘ ମହାସଭାରେ ଆସିଥିବା ଅସ୍ତ୍ରବିରତି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆତଙ୍କୀ ଆକ୍ରମଣ କରାଯାଇ ଏହାର ନାଗରିକମାନଙ୍କୁ ପଣବନ୍ଦୀ କରି ନିଆଯାଇଥିଲା । ଏହାପରଠୁ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ବହୁସଂଖ୍ୟାରେ ନାଗରିକ ବିଶେଷକରି ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ହେଉଛି । ସେଠାରେ ସବୁ ପରିସ୍ଥିତିରେ ଅନ୍ତର୍ଜାତୀୟ ମାନବୀୟ ଆଇନ ପାଳନ ହେବା ଆବଶ୍ୟକ । ଏହି ବିବାଦର ସମାଧାନ ପାଇଁ ଦୁଇ ରାଷ୍ଟ୍ରୀୟ ଶାନ୍ତି ଏବଂ ଦୀର୍ଘସ୍ଥାୟୀ ସମାଧାନ ନିମନ୍ତେ ପ୍ରୟାସ କରାଯାଉଛି ।''

ଅକ୍ଟୋବର ୭ରେ ହମାସ୍ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରଠୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନା ଗୁଳିଗୋଳା ବର୍ଷା ସହିତ ଗାଜା ଉପରେ ଏୟାରଷ୍ଟ୍ରାଇକ କରୁଛି । ଏଥିରେ ୧୮ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାର ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକେ ନିଜର ଘରଦ୍ବାର ଛାଡି ଅନ୍ୟତ୍ର ପଳାୟନ କରିଛନ୍ତି । ଏବେ ଇସ୍ରାଏଲ ଦକ୍ଷିଣ ଗାଜା ଉପରେ ଜୋରଦାର ଆକ୍ରମଣ କରୁଛି । ଏଥିରେ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ନାଗରିକଙ୍କ ମୃତାହତ ସଂଖ୍ୟା ହ୍ରାସ କରିବା ଦିଗରେ ଅଧିକ ପ୍ରୟାସ କରିବାକୁ ଆମେରିକା ଇସ୍ରାଏଲକୁ ନିବେଦନ କରିଛନ୍ତି ।

Last Updated :Dec 13, 2023, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.