ETV Bharat / international

ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ: ଭାରତ-ଆମେରିକା ସମ୍ପର୍କର ନୂଆ ଯୁଗ ଆରମ୍ଭ ହୋଇଛି

author img

By

Published : Jun 24, 2023, 1:00 PM IST

ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ
ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ଆମେରିକାର ଗସ୍ତ ଶେଷ ପୂର୍ବରୁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଭାରତ-ଆମେରିକା ସମ୍ପର୍କର ନୂଆ ଯୁଗ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ ପୂର୍ବରୁ ୱାଶିଂଟନ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦି ଦୁଇ ଦେଶର ସୁଦୃଢ଼ ସମ୍ପର୍କ ଉପରେ ଗୁରୁତ୍ବ ଦେଇ କହିଛନ୍ତି, ଭାରତ ଗଣତନ୍ତ୍ରର ଜନନୀ ଏବଂ ଆମେରିକା ଆଧୁନିକ ଗଣତନ୍ତ୍ରର ଚମ୍ପିଆନ ଅଟେ । ଆଜି ଦୁନିଆ ଏହି ଦୁଇ ମହାନ ଗଣତନ୍ତ୍ରର ସହାଭାଗିତାକୁ ଆହୁରି ସଶକ୍ତ ହେଉଥିବାର ଦେଖୁଛି । ଆମେରିକା ଭାରତର ସବୁଠୁ ବଡ ବ୍ୟବସାୟିକ ସହଯୋଗୀ । ନବ ଭାରତ ନିଜର ଦିଗ ଜାଣିଛି । ଏହା ନିଜର ନିର୍ଣ୍ଣୟ ଓ ସଂକଳ୍ପକୁ ନେଇ କୌଣସି ଦ୍ବନ୍ଦରେ ନାହିଁ ।

ଏହାସହିତ ଉଦବୋଧନ ଦେଉଥିବା ଅଡିଟୋରିୟମକୁ ଦେଖି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ଏହି ହଲକୁ ଭାରତ ମାନଚିତ୍ରରେ ପରିଣତ କରିଛନ୍ତି । ଅଡିଟୋରିୟମ ମିନି ଇଣ୍ଡିଆ ଭଳି ଲାଗୁଛି । ଦେଶରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାରେ ଉପସ୍ଥିତ ଅଛନ୍ତି । ମୋର ଆମେରିକା ଗସ୍ତ ମଧ୍ୟରେ ଆପଣାମାନଙ୍କ ଠାରୁ ବିପୁଳ ସ୍ନେହ ଓ ଆଦର ପାଇଛି । ଭାରତ ଓ ଆମେରିକା ସମ୍ପର୍କର ନୂଆ ଯୁଗ ଏବଂ ଗୌରବମୟ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ସହାଭାଗିତାକୁ ସୁଦୃଢ କରିବାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉଦ୍ୟମ ପାଇଁ ମୋଦି ଧନ୍ୟବାଦ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: PM Modi Egypt Visit: 2 ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ମୋଦି

ଦୁଇ ଦେଶର ସମ୍ପର୍କ ଉପରେ ମୋଦି କହିଛନ୍ତି ଯେ, ଭାରତ-ଆମେରିକା ସହଭାଗିତା ଏକବିଂଶ ଶତାବ୍ଦୀର ବିଶ୍ବକୁ ଶ୍ରେଷ୍ଠ କରିବ । ଦୁଇ ଦେଶ ଏକାଠି କେବଳ ପଲିସି ଓ ଚୁକ୍ତି କରୁନାହାନ୍ତି, ଏହା ଜୀବନ, ସ୍ବପ୍ନ ଓ ଭାଗ୍ୟକୁ ଆକାର ଦେଉଛନ୍ତି । ଆମେରିକା ଭାରତର ସବୁଠୁ ବଡ ବ୍ୟବସାୟିକ ସହଯୋଗୀ । ଏହି ସହଭାଗିତାରେ ଆପଣମାନଙ୍କ(ପ୍ରବାସୀ ଭାରତୀୟ) ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଆପଣମାନେ ଏଠାରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି । ଆମେରିକାର ବିକାଶରେ ଆପଣମାନଙ୍କର ବଡ ଯୋଗଦାନ ରହିଛି । ଭାରତ ଆଜାଦୀର ଅମୃତକାଳରେ ବିକଶିତ ଭାରତ ନିର୍ମାଣର ସଂକଳ୍ପ ନେଇଥିବା ବେଳେ ଏ ଦିଗରେ ଆପଣଙ୍କ ଠାରୁ ଆଶା ଆହୁରି ବଢି ଯାଇଛି ।

ଏହାସହିତ H-1B ଭିସା ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଆଉ ଆମେରିକା ବାହାରକୁ ଯିବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ଭାରତ ଓ ଆମେରିକା ଉନ୍ନତ ଭବିଷ୍ୟତ ପାଇଁ ସୁଦୃଢ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.