ETV Bharat / international

Russia-Ukraine War: ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ

author img

By

Published : Feb 24, 2023, 10:17 AM IST

Russia Ukraine War
Russia Ukraine War

ୟୁକ୍ରେନରୁ ସେନା ପ୍ରତ୍ୟାହାର ପାଇଁ ଜାତିସଂଘରେ ପାରିତ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ । ଅଧିକ ପଢନ୍ତୁ

ୱାଶିଂଟନ: ୟୁକ୍ରେନ-ଋଷିଆ ଯୁଦ୍ଧକୁ ଆଜି ବର୍ଷେ ପୁରିଛି । ଆଜକୁ ଠିକ୍ ବର୍ଷକ ତଳେ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ଦୁଇ ରାଷ୍ଟ୍ରର ହଜାର ହଜାର ସେନା ପ୍ରାଣ ହରାଇଛନ୍ତି । ଲକ୍ଷାଧିକ ଲୋକ ଦେଶ ଛାଡି ଅନ୍ୟତ୍ର ଶରଣ ନେଇଛନ୍ତି । ଏହି ଯୁଦ୍ଧର ପରିସମାପ୍ତ ପାଇଁ ଗୁରୁବାର ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଋଷିଆ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରୁ ବୋଲି ଏଥିରେ ଦାବି କରାଯାଇଥିଲା । ହେଲେ ପୂର୍ବଥର ଭଳି ପୁଣିଥରେ ଭାରତ ଏହି ପ୍ରସ୍ତାବ ଉପରେ ଭୋଟ ଦେବାରୁ ନିଜକୁ ଦୂରେଇ ରଖିଛି ।

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦରେ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ୧୪୧ ସଦସ୍ୟ ରାଷ୍ଟ୍ର ଭୋଟ ଦେଇଥିଲେ । ୭ଟି ରାଷ୍ଟ୍ର ଏହାକୁ ବିରୋଧ କରିଥିବାବେଳେ ଭାରତ ସମେତ ୩୨ ରାଷ୍ଟ୍ର ଭୋଟ ଦେବାରୁ ନିବୃତ୍ତ ରହିଥିଲେ । ଚୀନ ମଧ୍ୟ ଏହି ଯୁଦ୍ଧ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଦୂରେଇ ରହିଥିଲା । ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କମ୍ବୋଜ କହିଛନ୍ତି ଯେ, ଭାରତ ଜାତିସଂଘ ଚାର୍ଟରର ସିଦ୍ଧାନ୍ତ ଗୁଡିକୁ ଅନୁପାଳନ କରେ । ଆଲୋଚନା ଓ କୂଟନୀତି ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆମେ ବିଶ୍ବାସ କରୁଛୁ । ତେଣୁ ଭୋଟଦାନରୁ ବିରତ ରହିଛୁ ।

ପୂର୍ବରୁ ଅନେକ ଥର ଜାତିସଂଘରେ ଋଷିଆ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆସିଥିବା ବେଳେ ସବୁଥର ଭାରତ ଏହା ଉପରେ ଭୋଟଦାନରୁ ନିଜକୁ ନିବୃତ୍ତ ରଖିଛି । ସେହିପରି ଚୀନ ମଧ୍ୟ ଭୋଟ ଦେଇନାହିଁ । ରୁଚିକା କମ୍ବୋଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବୃତ୍ତିକୁ ଦୋହରାଇଛନ୍ତି ଯେ, ମଣିଷ ଜୀବନ ବିନିମୟରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଏହା ଯୁଦ୍ଧ କରିବାର ସମୟ ନୁହେଁ । ଆଲୋଚନା ଓ କୂଟନୀତି ଦ୍ବାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ହେବେ ବିଶ୍ବ ବ୍ୟାଙ୍କ ମୁଖ୍ୟ

ୟୁକ୍ରେନ ଯୁଦ୍ଧ ପ୍ରତି ଭାରତର ଦୃଷ୍ଟିକୋଣ ଜନକେନ୍ଦ୍ରିକ । ଭାରତ ୟୁକ୍ରେନକୁ ମାନବୀୟ ସହାୟତା ପ୍ରଦାନ କରିବ ସହ ଗ୍ଲୋବାଲ ସାଉଥର କେତେକ ପଡୋଶୀ ରାଷ୍ଟ୍ରକୁ ମଧ୍ୟ ଅର୍ଥନୈତିକ ସହାୟତା ପ୍ରଦାନ କରିଛି । ଭାରତ ସର୍ବଦା ୟୁକ୍ରେନ ସ୍ଥିତିକୁ ନେଇ ଚିନ୍ତିତ ରହିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.