ETV Bharat / international

କୋରୋନା ମୁକାବିଲା ପାଇଁ ନ୍ୟୁଜିଲାଣ୍ଡରେ ‘ସୋସିଆଲ ବବଲ୍‌’

author img

By

Published : May 21, 2020, 5:14 PM IST

କୋରୋନା ମୁକାବିଲା ପାଇଁ ନ୍ୟୁଜିଲାଣ୍ଡରେ ‘ସୋସିଆଲ ବବଲ୍‌’
କୋରୋନା ମୁକାବିଲା ପାଇଁ ନ୍ୟୁଜିଲାଣ୍ଡରେ ‘ସୋସିଆଲ ବବଲ୍‌’

ଲକଡାଉନ କୋହଳ କରିଥିବା କିଛି ଦେଶ ସୋସିଆଲ ବବଲ କାର୍ଯ୍ୟକାରୀ କରିଛନ୍ତି । ନ୍ୟୁଜିଲାଣ୍ଡ, ବେଲଜିୟମ ଓ ଜର୍ମାନୀ ଭଳି ଦେଶରେ ଲାଗୁ କରାଯାଇଛି ସୋସିଆଲ ବବଲ୍ । ଅଧିକ ପଢନ୍ତୁ...

ଲକଡାଉନରେ ମାସ ମାସ ଧରି ଘରେ ଏକାଠି ରହିଥିବା ଲୋକେ ନିହାତି ବିରକ୍ତ ଅନୁଭବ କରିଥିବେ । ଏବେ ସ୍ଥିତି ଏମିତି ହେଲାଣି ଯେ ଯଦି ଅର୍ଥନୈତିକ କାର୍ଯ୍ୟ ପାଇଁ ଲୋକେ ବାହାରକୁ ବାହାରିବେ, ତାହାହେଲେ ଭାଇରସ ପୁଣି ଥରେ ତାଣ୍ଡବ ରଚିପାରେ । ଘରେ ହେଉ ବା ବାହାରେ ଭାଇରସ ବିସ୍ତାରର ଭୟ ତ ସବୁବେଳେ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ନ୍ୟୁଜିଲାଣ୍ଡ ସରକାର ସୋସିଆଲ ବବଲ୍ ଓ ଟ୍ରାଭେଲ ବବଲ୍ ଭଳି ଅଭିନବ ଉପାୟ ଆପଣାଇଛନ୍ତି ।

ସୋସିଆଲ ବବଲ୍ କଣ ?

ଏହା ଏକ କ୍ଲଷ୍ଟର ସଦୃଶ । ଶାରୀରିକ ଭାବେ ପରସ୍ପରକୁ ଭେଟିବା ନିୟନ୍ତ୍ରଣ କରିବା ପ୍ରକ୍ରିୟା ହିଁ ‘ସୋସିଆଲ ବବଲ୍‌’ । କେବଳ ନିଜ ପସନ୍ଦର ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କୁ ଭେଟିବା ପାଇଁ ଲୋକଙ୍କୁ ଅନୁମତି ଦେବା ‘ସୋସିଆଲ ବବଲ୍‌’ର ଉଦ୍ଦେଶ୍ୟ । ଯଦି କମ୍ ସଂଖ୍ୟକ ଲୋକ ଶାରୀରିକ ଭାବେ ପରସ୍ପରର ସଂସ୍ପର୍ଶରେ ଆସିବେ ତାହା ହେଲେ ଭାଇରସ ବିସ୍ତାର ମଧ୍ୟ କମ୍ ରହିବ ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ସୋସିଓଲୋଜି ପ୍ରଫେସରମାନେ ମତ ଦିଅନ୍ତି ।

ଲକଡାଉନ କୋହଳ କରିଥିବା କିଛି ଦେଶ ସୋସିଆଲ ବବଲ କାର୍ଯ୍ୟକାରୀ କରିଛନ୍ତି । ନ୍ୟୁଜିଲାଣ୍ଡ, ବେଲଜିୟମ ଓ ଜର୍ମାନୀ ଭଳି ଦେଶରେ ଲାଗୁ କରାଯାଇଛି ସୋସିଆଲ ବବଲ୍ । ଫ୍ରାନସ, ଅଷ୍ଟ୍ରିଆ, ଡେନମାର୍କରେ ଜଣ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଓ ବନ୍ଧୁବର୍ଗର କେବଳ ୧୦ ଜଣଙ୍କୁ ହିଁ ମିଶିବାକୁ ଅନୁମତି ଦିଆଯାଇଛି ।

. ଜର୍ମାନୀରେ କେବଳ ଦୁଇଟି ପରିବାର ହିଁ ପରସ୍ପର ସହ ମିଶିପାରିବେ । ସେମାନେ ଆଉ କାହାକୁ ଭେଟିପାରିବେ ନାହିଁ ।

. ନ୍ୟୁଜିଲାଣ୍ଡରେ ମଧ୍ୟ କେବଳ ନିଜର ଘନିଷ୍ଠ ସହେଯାଗୀ ଓ ଫ୍ୟାମିଲି ଫ୍ରେଣ୍ଡଙ୍କୁ ଭେଟିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି । କେବଳ ନିଜ ପସନ୍ଦର କିଛି ବନ୍ଧୁବାନ୍ଧବଙ୍କୁ ଭେଟିବାକୁ ନ୍ୟୁଜିଲାଣ୍ଡ ସରକାର ନାଗରିକଙ୍କୁ ଅନୁମତି ଦେଇଛନ୍ତି । ‘ବବଲ’ ସୁରକ୍ଷା ନାଗିରକଙ୍କ ଦାୟିତ୍ବ ବୋଲି ନ୍ୟୁଜିଲାଣ୍ଡ ସରକାର କହିଛନ୍ତି । ଏହାଛଡା ଲୋକେ ଯେଉଁମାନଙ୍କୁ ଭେଟିବାକୁ ଚାହାନ୍ତି, ସେମାନେ ନିଜେ ସୁରକ୍ଷିତ କି ନୁହନ୍ତି ତାହା ତଦାରଖ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ।

. ବେଲଜିୟମ ପ୍ରଧାନମନ୍ତ୍ରୀ ସୋଫି ଉଇଲିୟମସ ‘କୋରୋନା ବବଲ୍‌’ ନାମରେ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଅନ୍ତର୍ଗତ କେବଳ ଦୁଇ ପରିବାରର ହିଁ ପରସ୍ପରକୁ ଭେଟିପାରିବେ । ବ୍ରିଟେନ ମଧ୍ୟ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି ।

ଯାତ୍ରା ବେଳେ ବି ସମାନ ନୀତି ହେବ କି ?

ସୋସିଆଲ ବବଲ ଭଳି ‘ଟ୍ରାଭେଲ ବବଲ’ର ନୀତି ବି କାର୍ଯ୍ୟକାରୀ ହେଉଛି । ଏହା ମଧ୍ୟ କ୍ଲଷ୍ଟରିଂ ସଦୃଶ । ବିଭିନ୍ନ ଦେଶ ମଧ୍ୟରେ ଅର୍ଥନୈତିକ ଗତିବିଧି ଆଗକୁ ନେବା ପାଇଁ ‘ଟ୍ରାଭେଲ ବବଲ୍‌’ର ପରିକଳ୍ପନା କରାଯାଇଛି । କୋରୋନା ସଂକ୍ରମଣ ହାର ବହୁତ କମ୍ ଥିବା ଦେଶଗୁଡିକୁ ଏହି ଗ୍ରୁପ୍‌ରେ ରଖାଯାଇଛି । ଏସବୁ ଦେଶ ମଧ୍ୟରେ ନିରାପଦ ଯାତ୍ରା ବି ଟ୍ରାଭେଲ ବବଲର ଉଦ୍ଦେଶ୍ୟ । ଟ୍ରାଭେଲ ବବଲ୍ ଦ୍ବାରା ପର୍ଯ୍ୟଟନ ଶିଳ୍ପକୁ ଶକ୍ତି ମିଳିବ । ବିଶେଷଜ୍ଞମାନେ କହନ୍ତି ଯେ ଏଭଳି ଗ୍ରୁପିଂ ଦ୍ବାରା ଆନ୍ତର୍ଜାତିକ ପରିବହନ ସେବାର ପୁନଃରୁଦ୍ଧାର ସମ୍ଭବ ହୋଇପାରିବ । ଭାରତ ମଧ୍ୟ ଏଭଳି ଏକ ନୀତି ପ୍ରଣୟନ କରିବା ଦରକାର ବୋଲି କୁହାଯାଉଛି ।

କୋଭିଡ-୧୯ ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେଇସାରିଥିବା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବର୍ତ୍ତମାନ ‘ଟ୍ରାନସ ଟାସମାନ ଟ୍ରାଭେଲ ବବଲ୍‌’ କାର୍ଯ୍ୟକାରୀ କରି ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହା କହିଛନ୍ତି । ଏନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ଯଦି ସଫଳ ହୁଏ, ତାହା ହେଲେ ତାଇଓାନ ଓ ହଂକଂ ବି ଏଥିରେ ସାମିଲ ହୋଇପାରିବେ ।

ଫିନଲାଣ୍ଡ, ପୋଲାଣ୍ଡ ଓ ୟୁରୋପୀୟ ସଂଘର ଆଉ କିଛି ଦେଶ ବି ଟ୍ରାଭଲ୍ ବବଲ ଭଳି ନୀତି ଲାଗୁ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହିମାସ ୧୫ ତାରିଖରୁ ଏସ୍ତୋନିଆ, ଲାଟଭିଆ ଓ ଲିଥୁଆନିଆ ଭଳି ବଲଟିକ୍ ଦେଶଗୁଡିକ ‘ଟ୍ରାଭେଲ୍ ବବଲ୍‌’ ଆରମ୍ଭ କରିସାରିଛନ୍ତି । ଏସବୁ ଦେଶର ଲୋକେ ପରସ୍ପରର ଦେଶ ମଧ୍ୟରେ ମୁକ୍ତ ଭାବେ ଯାତାୟତ କରିପାରିବେ । ଏହି ତିନିଟି ଦେଶ ବାହାରୁ ଆସିଥିବା ଯାତ୍ରୀଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.