ETV Bharat / entertainment

ପ୍ରତିଭା-ପରିଶ୍ରମ ଓ ଧୈର୍ଯ୍ୟ ମୋତେ ବଲିଉଡ଼ରେ ସୁଯୋଗ ଦେଇଛି: ପ୍ରେମ୍‌ ପରିଜା

author img

By

Published : Aug 14, 2023, 2:13 PM IST

Updated : Aug 14, 2023, 2:47 PM IST

ୱେବସିରିଜ୍ ‘କମାଣ୍ଡୋ’ର ପ୍ରମୋସନ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରେମ୍ ପରିଜା । ଓଡ଼ିଆ ପୁଅ ଭାବେ ବଲିଉଡରେ ସୁଯୋଗକୁ ନେଇ ଗୌରବ ଅର୍ଜନ କରିଛନ୍ତି ପ୍ରେମ୍‌ । ଅଧିକ ପଢନ୍ତୁ

ପ୍ରେମ୍‌ ପରିଜା
ପ୍ରେମ୍‌ ପରିଜା

ପ୍ରତିଭା-ପରିଶ୍ରମ ଓ ଧୈର୍ଯ୍ୟ ମୋତେ ବଲିଉଡ଼ରେ ସୁଯୋଗ ଦେଇଛି

ଭୁବନେଶ୍ବର: ଦେଶର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିଜନି+ ହଟଷ୍ଟାରରେ ୱେବସିରିଜ୍ ‘କମାଣ୍ଡୋ’ ଗତ 11 ତାରିଖରେ ରିଲିଜ୍ ହୋଇଛି । ‘କମାଣ୍ଡୋ’ର ପ୍ରମୋସନ୍ ଲାଗି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଓଡ଼ିଆ ପୁଅ ପ୍ରେମ୍ ପରିଜା । ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ହାଇଅକ୍ଟେନ୍ ଆକ୍ସନ୍ ଡ୍ରାମା ‘କମାଣ୍ଡୋ’ର ଗ୍ରାଣ୍ଡ ଲଞ୍ଚିଂରେ ଯୋଗ ଦେଇ ସିଧା ଜନ୍ମମାଟି ଓଡ଼ିଶାକୁ ଆସିଛନ୍ତି ପ୍ରେମ୍‌ । ତେବେ ସେ ହେଉଛନ୍ତି ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ୱେବସିରିଜରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ କଳାକାର । ଓଡ଼ିଆ ଭାବେ ଏହି ସୁଯୋଗକୁ ନେଇ ଗୌରବ ମଧ୍ୟ ଅର୍ଜନ କରିଛନ୍ତି ।

ଭୁବନେଶ୍ୱରରେ ପହଁଚିବା ପରେ ପ୍ରେମ୍ କହିଛନ୍ତି, ‘‘ଲଞ୍ଚିଂ ଇଭେଣ୍ଟ୍ ପରେ ମୁଁ ଓ ବିପୁଲ ସାର୍ ଦେଶ ଲାଗି ଜୀବନ ଦେଇଥିବା ବୀର କମାଣ୍ଡୋମାନଙ୍କ ସ୍ମୃତି ବହନ କରୁଥିବା ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ । ମୁଁ ଯେଉଁ ସ୍ଥାନକୁ ଯାଉଛି ମତେ ବହୁତ ଶ୍ରଦ୍ଧା ଓ ଆଶୀର୍ବାଦ ମିଳୁଛି । ଏହା ସହିତ ମୋ ଜନ୍ମମାଟି ଓଡ଼ିଶାରେ ମଧ୍ୟ ମତେ ସେତିକି ଭଲପାଇବା ମିଳିବ ବୋଲି ଆଶା କରୁଛି ।’’

ପ୍ରେମ୍‌ ଆହୁରି କହିଛନ୍ତି, ‘‘ମୁଁ କିଛି ବର୍ଷ ହେଲା ମୁମ୍ବାଇରେ ରହି ଅଭିନୟର ପ୍ରଶିକ୍ଷଣ ନେଉଥିଲି ଏବଂ ବିଭିନ୍ନ ଫିଲ୍ମ ଓ ସିରିଜରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲି । ବିପୁଲ୍ ଶାହଙ୍କ ‘କମାଣ୍ଡୋ’ ପାଇଁ ଅଡିସନ୍ ହେଉଥିବା ଜାଣି ସେଥିରେ ଅଂଶଗ୍ରହଣ କଲି । ମୋ ଭଳି ୧୧୦୦୦ କଳାକାର ମୁଖ୍ୟଭୂମିକା ପାଇଁ ଅଡିସନ୍ ଦେଇଥିଲେ । ଯଦିଓ ମୋର ପୂରା ପ୍ରସ୍ତୁତି ଥିଲା କିନ୍ତୁ ମତେ ଯେ ନିର୍ଦ୍ଦେଶକ ବାଛିବେ ତାହା ମୁଁ କେବେ ଭାବିନଥିଲି । ଶେଷରେ ମୁଁ ସଫଳ ହେଲି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହେଲା । ତେଣୁ ମୁଁ ପ୍ରଥମେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି କୃତଜ୍ଞତା ଜଣାଇଛି । ପିଲାଦିନେ ଟିଭି ସାମ୍ନାରେ ବସି ଘରେ କହୁଥିଲି କି ଦିନେ ମୁଁ ହିରୋ ହେବି, ଆଉ ଆଜି ମୋର ସେ ସ୍ବପ୍ନ ସଫଳ ହୋଇଛି ।’’

ଏହା ମଧ୍ୟ ପଢନ୍ତୁ: ସୀମା ହାଇଦର ଫିଲ୍ମରେ କରିନାହାନ୍ତି ସାଇନ୍‌, ପ୍ରେଗନେନ୍ସିକୁ ନେଇ ବଡ ଖୁଲାସା

ପ୍ରେମ କହିଛନ୍ତି ‘‘ପ୍ରତିଭା ସହ କଷ୍ଟ କରିପାରିଲେ ନିଜ ସ୍ବପ୍ନକୁ ସଫଳ କରିବା ପାଇଁ ସୁଯୋଗ ନିଶ୍ଚୟ ଦିନେ ମିଳିବ । ସେ ବଲିଓଡ଼ ହେଉ ଅବା ହଲିଉଡ଼ । ପରିଶ୍ରମ ଧାର୍ଯ୍ୟ ଓ ଭଗବାନଙ୍କ ଆଶୀର୍ବାଦକୁ ନେଇ ଏହି ସ୍ଥାନରେ ପହଁଚିଛି । ମୁଁ ଓଡ଼ିଆ ଭାବେ ବହୁତ ଗର୍ବ କରେ ତେଣୁ ପ୍ରତିଟି ଓଡ଼ିଆ ସିନେ ପ୍ରେମୀ ମୋ ସିରିଜ ଦେଖନ୍ତୁ ଆଉ ନିଜର ମତ ଜଣାଇବା ସହ ଆଗକୁ ବଢିବା ପାଇଁ ଆଶୀର୍ବାଦ ଓ ଭଲପାଇବା ଦିଅନ୍ତୁ ।’’ ଏହାସହ ମୁଁ ଓଡ଼ିଆ ଭାବେ ମୋ ସିନେମା ଓ ରାଜ୍ୟରେ ପ୍ରତିଭାକୁ ଆଗକୁ ନେବା ପାଇଁ ଯାହା ଆବଶ୍ୟକତା ସେସବୁ ନିଶ୍ଚୟ କରିବି ବୋଲି ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି ।

ସେହିପରି ତାଙ୍କ ମାଆ ପ୍ରଣତି ଦାସ କହିଛନ୍ତି, ‘‘ମୁଁ ଆଜିବି ମୋ ଆଖିକୁ ବିଶ୍ୱାସ କରିପାରୁନି ଯେ ଇଏ ମୋ ପୁଅ ପ୍ରେମ୍‌, ତା ପରିଶ୍ରମ ଓ ଏକାଗ୍ରତା ତାକୁ ଏହି ସ୍ଥାନରେ ପହଞ୍ଚେଇଛି । ତେଣୁ ମୁଁ ବହୁତ ଖୁସି । ଆଉ ତାର ବାପା ମଧ୍ୟ ଯେଉଁଠି ଥିବେ ପୁଅର ଏ ସଫଳତାକୁ ନେଇ ଖୁସି ହେଉଥିବେ’’ ।

ପ୍ରେମ୍ ନିଜର ପ୍ରଥମ ବଡ଼ ସଫଳତା ବିଷୟରେ କହିଛନ୍ତି,‘‘ମୁଁ ଏହି ୱେବସିରିଜରେ ଜଣେ କମାଣ୍ଡର ଭୂମିକା ତୁଲାଇଛି । ଆପଣମାନେ ଜାଣନ୍ତି କମାଣ୍ଡୋମାନେ କୌଣସି ଅପରେସନରେ ଥିବା ବେଳେ କିପରି ପ୍ରତିକୂଳ ପରିସ୍ଥିତିର ସାମ୍ନାକରି ଅତ୍ୟନ୍ତ କଷ୍ଟସାଧ୍ୟ ମନେ ହେଉଥିବା କାମକୁ ନିଜ ଦକ୍ଷତା ବଳରେ ସଫଳ କରନ୍ତି । ସେଭଳି ଏକ ଚରିତ୍ରର ଉଚିତ ରୂପାୟନ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଏକ ବଡ଼ ଚାଲେଞ୍ଜ ଥିଲା । ଏଣୁ ଏପରି ଏକ ଚରିତ୍ରକୁ ଦର୍ଶକଙ୍କ ନିକଟରେ ବାସ୍ତବ ଭାବେ ତୋଳି ଧରିବା ଲାଗି ମୁଁ ଶତପ୍ରତିଶତ ପ୍ରଚେଷ୍ଟା କରିଛି ।’’

ଏହି ବହୁଚର୍ଚ୍ଚିତ ୱେବସିରିଜର ନିର୍ଦ୍ଦେଶନା ଓ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି ବିପୁଲ୍ ଅମୃତଲାଲ ଶାହ । ଅଦା ଶର୍ମା, ଅମିତ ସିଆଲ, ତିଗ୍ମାଂଶୁ ଧୁଲିଆ, ମୁକେଶ ଛାବ୍ରା ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେହିପରି ବୈଭବ ତତ୍ୱବାଦୀ, ଶ୍ରେୟା ସିଂହ ଚୌଧୁରୀ ଓ ଇସ୍ତେୟାକ୍ ଖାନ୍ ମଧ୍ୟ ବିଭିନ୍ନ ଭୂମିକାରେ ଏଥିରେ ଅଭିନୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ପ୍ରଥମେ 'କମାଣ୍ଡୋ' ଫ୍ରାଞ୍ଚାଇଜି ଆରମ୍ଭ ହୋଇଥିଲା । ପ୍ରଥମ ସିରିଜ୍ ‘କମାଣ୍ଡୋ-ଏ ୱାନ୍ ମ୍ୟାନ୍ ଆର୍ମି'ରେ ବିଦ୍ୟୁତ୍ ଜମଓ୍ୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପ୍ରାୟ ୧୦ ବର୍ଷ ଧରି ‘କମାଣ୍ଡୋ’ର ବିଭିନ୍ନ ସଂସ୍କରଣ ଆକ୍ସନ ପ୍ରେମୀ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି ।

Last Updated : Aug 14, 2023, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.