ଚରମ ନିଷ୍ପତ୍ତି ପଛର ପ୍ରକୃତ କାରଣ କଣ ? ଉଠିଲା ତଦନ୍ତ ଦାବି

author img

By

Published : Jun 25, 2022, 3:10 PM IST

ରାଇମୋହନ

ରାଇମୋହନଙ୍କ ବିୟୋଗରେ ଅଭିନେତାଙ୍କ ଆଖିରେ ଲୁହ । କିଛି କଳାକାର ଏହି ଖବରକୁ ବିଶ୍ବାସ କରିପାରୁନଥିବାବେଳେ ଆଉ କିଏ ସଠିକ ତଦନ୍ତ ନ ହେଲେ ତାଙ୍କ ପାଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରାଇମୋହନ ପରିଡା ଓଡିଆ ସିନେ ଜଗତର ଜଣେ ଅନନ୍ୟ କଳାକାର ଯାହାଙ୍କର ପଟାନ୍ତର ନାହିଁ । ନା' ତାଙ୍କ ସଂଳାପକୁ କିଏ କପି କରିପାରିବ ନା ତାଙ୍କ ଭଳି ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ କିଏ କରିପାରିବ। ସେ ନିଜେ ଥିଲେ ଜଣେ ସ୍ବତନ୍ତ୍ର ତଥା ଭିନ୍ନ ମଣିଷ । ରାଇଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ଏ କ୍ଷତି କେବେ ପୂରଣ ହୋଇପାରିବ ନାହିଁ । ଦର୍ଶକଙ୍କ ପାଇଁ କେବଳ ଗୋଟିଏ ଡାଇଲଗ ହିଁ ତାଙ୍କୁ ଚିହ୍ନିବା ପାଇଁ ଯଥେଷ୍ଟ ଥିଲା ।

ରାଇଙ୍କ ପାଇଁ କଳାକାରଙ୍କ ଆଖିରେ ଲୁହ

ମଞ୍ଚ ନାଟକରୁ ଚଳଚ୍ଚିତ୍ର ଏବଂ ଯାତ୍ରା ପେଣ୍ଡାଲ, ସବୁଠି ଦର୍ଶକଙ୍କୁ ଭିଡିଆଣେ ଏହି ପରିଚିତ ମୁହଁଟି । କାରଣ ସେ ସିନା ଖଳନାୟକର ଅଭିନୟ କରୁଥିଲେ କିନ୍ତୁ ବାସ୍ତବ ଜୀବନରେ ଲୋକଙ୍କୁ ସ୍ନେହ ବାଣ୍ଟି ବେଶ୍‌ ହସାଉଥିଲେ। ସକାଳ ହେଲେ ବାସଭବନ ଉଦୟପୁରରୁ ତାଙ୍କର ସେହି ହସ ହସ ମୁହଁ ସହ ସ୍ନେହ ବୋଳା ଭଲପାଇବା ଆରମ୍ଭ ହୋଇ ସହରର ଭିଡ ଦେଇ ପୁଣି ରାତି ହେଲେ ଉଦୟପୁର ଶେଷ ହେଉଥିଲା। ହେଲେ ସେ ପଞ୍ଚଭୂତରେ ଲୀନ ହେବା ପରେ ଆଉ ଶୁଭିବନି ତାଙ୍କର ସେହି ଗମ୍ଭୀର ସ୍ବର। ସକାଳ ହେଲେ ଆଉ ଶୁଭିବନି ହେଇ ଅନାନୀ... ପୁଅ ଭଲ ଅଛୁ...କିଛି ଖାଇଛୁ କି ନା ନାହିଁ....ଏମିତି ଅନେକ କିଛି । କାହିଁକିନା ସମସ୍ତଙ୍କୁ ଅନେକ ଘାତ-ପ୍ରତିଘାତ, ଦୁଃଖ-ଦୁର୍ଦ୍ଦଶାର ପାହାଡ ଚଢି ଆଗକୁ ବଢିବାର ଉପଦେଶ ଦେଉଥିବା ମଣିଷଟି ନିଜ ଉପରେ ରାଗି ଜୀବନରେ ଏକ ଚରମ ନିଷ୍ପତ୍ତି ନେଇଗଲେ ଆଉ ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଲେ ।

ରାଇଙ୍କ ପାଇଁ କଳାକାରଙ୍କ ଆଖିରେ ଲୁହ

ଯଦିଓ ମୃତ୍ୟୁ ସତ୍ଯ। ତଥାପି ରାଇମୋହନଙ୍କ ବାସ୍ତବ କାହାଣୀ ଜାଣିଲେ କେହି ବି ବିଶ୍ବାସ କରିପାରୁ ନାହାନ୍ତି ସେ ନାହାନ୍ତି ବୋଲି । ମୃତ୍ୟୁ ପରେ ହରିନାମ ସତ୍ଯ ହେ...ରାମ ନାମ ସତ୍ଯ ହେ... କହି ଖଇ କଉଡି ଛିଞ୍ଚି ପରିବାରଠୁ ପ୍ରତିଟି କଳାକାର ଓ ଓଡିଶାବାସୀଙ୍କଠୁ ରାଇ ବିଦାୟ ନେଇଛନ୍ତି । ଆଉ ଶେଷକୃତ୍ଯ ପରେ ଜଳିଯାଇଛି ତାଙ୍କ ପାର୍ଥୀବ ଶରୀର। ତାଙ୍କ ଶରୀରର ମୃତ୍ୟୁ ହୋଇଛି ସତ ସେ କିନ୍ତୁ ଅମର। କାରଣ ସେ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି ଅଭିନୟର ଛାପ । ତେଣୁ ତାଙ୍କ ସହ କାମ କରିଥିବା କଳାକାର ଓ ତାଙ୍କଠୁ ଅଭିନୟ ଶିଖିଥିବା ପ୍ରତିଟି ବ୍ଯକ୍ତିତ୍ବ ଆଜି ତାଙ୍କୁ ଝୁରୁଛି ।

ଖାଲି ସେତିକି ନୁହେଁ, ରିୟଲ ଲାଇଫର ବାସ୍ତବବାଦୀ ମେଳାପୀ ହସ ହସ ମୁହଁ, ହୃଦୟବାନ ମଣିଷ ପାଇଁ ଆଜି ପାଖ ପଡୋଶୀଙ୍କଠୁ ଆରମ୍ଭ କରି ସାଇପଡିଶା ସମସ୍ତଙ୍କ ମୁହଁରେ ଲୁହ ଆଉ ବିଷାଦ । ଏ ସବୁ ଭିତରେ ଶ୍ରଦ୍ଧାରେ ଜନ୍ମମାଟିର ନାମ ଅନୁସାରେ ଦେଇଥିବା 'ଉଦୟପୁର'ର ବାସଭବନରେ ମଧ୍ୟ ଆଉ ସେ ଉଦୟ ହେବେନି କି ବୁଲେଟ ଚଢି ହାଟକୁ କି ଖଟିକୁ ଯିବେନି। କାରଣ ସେ ସେହି ଉଦୟପୁରରେ ହି ଅସ୍ତ ହୋଇଯାଇଛନ୍ତି। ଏହାରି ଭିତରେ ସେ ସିନା ଚାଲିଗଲେ ହେଲେ ଭାସିଗଲା ତିନିକୂଳ। ରାଇମୋହନ ପରିଡ଼ାଙ୍କ ଦେହାନ୍ତ, କେବଳ ଗୋଟିଏ ପରିବାରର ଖୁସି ଉଜାଡ଼ି ଦେଇନି, ବରଂ ତିନି ତିନିଟି କୂଳକୁ ଭସାଇ ଦେଇଗଲେ ଏହି କିମ୍ବଦନ୍ତୀ ଅଭିନେତା । ବାପାଟିଏ ଥିଲେ, ପରିବାରରେ କେତେ ଖୁସି ଥିଲା । ହେଲେ ରାଇମୋହନ ଚାଲିଥିବା ପରେ ଏବେ ଗୋଟିଏ ପରିବାର ହସଖୁସି ସବୁ ଦିନ ପାଇଁ ଉଜୁଡ଼ିଯାଇଛି । ଆଉ ଶେଷ ହୋଇଯାଇଛି ସିନେମା ଓ ଯାତ୍ରା କୂଳ। ଖଳନାୟକଙ୍କ ଶୂନ୍ୟ ହୋଇଛି ସିନେମା ଜଗତ।

ତେବେ ଅନ୍ୟକୁ ଘାତ-ପ୍ରତିଘାତ, ଦୁଃଖ-ଦୁର୍ଦ୍ଦଶାର ଭିତରେ ଆଗକୁ ବଢି ବଞ୍ଚିବା ଶିଖାଉଥିବା ମଣିଷଟି ଯେତେବେଳେ ଆତ୍ମହତ୍ୟା କରିଛି, ତାକୁ ନେଇ ବର୍ତ୍ତମାନ ଅସମାହିତ ପ୍ରଶ୍ନ । କାହିଁକି ଏଭଳି ସେ ନିଷ୍ପତ୍ତି ନେଲେ। ମିଳୁ ନ ଥିଲା କି ସିନେମା ଓ ଯାତ୍ରାରେ କାମ ଆର୍ଥିକ ଅନାଟନକୁ ନେଇ ଦୁଃଖରେ ଥିଲେ କି ନା ପରିବାରର କୌଣସି ବିଷାଦ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କଲା । ଏଭଳି ଅସମାହିତ ପ୍ରଶ୍ନର ଜଂଜାଳ ଭିତରେ ତାଙ୍କ ମୃତ୍ୟୁର ସଠିକ ତଦନ୍ତ ହେଉ ବୋଲି ସବୁଠି ଦାବି ହେଉଛି । କାରଣ ମାନସିକ ବିଷାଦଗ୍ରସ୍ତ ଥିବା ରାଇମୋହନଙ୍କ ଘରକୁ ଗତ କିଛି ଦିନ ତଳେ ପୋଲିସ ଭ୍ଯାନ ଆସିଥିବା ବି ଚର୍ଚ୍ଚା ହେଉଛି ।

ଏପରିକି ସଠିକ ତଦନ୍ତ ନ ହେଲେ କିଛି କଳାକାର ତାଙ୍କ ପାଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଉଛନ୍ତି । ଆଉ ଏହାରି ଭିତରେ ଉତ୍ତର ଆସିଛି ସେ ସର୍ବ ସମ୍ପୂର୍ଣ କଳାକାର ଥିଲେ ଯେଉଁଠି ବି କାମ ମିଳୁ ସେ କରୁଥିଲେ । କାମ ବଡ କଥା ନୁହେଁ, ଅଭିନୟରେ ଦର୍ଶକଙ୍କ ତାଳି ଆଉ ଗାଳିକୁ ସେ ବେଶୀ ଭଲ ପାଉଥିଲେ। ତେଣୁ କାମ ବା ଆର୍ଥିକ ଅଭାବ ବୋଧ ହୁଅ ତାଙ୍କ ମୃତ୍ୟୁର କାରଣ ସାଜିନଥିବ। କ'ଣ ରହିଛି କାରଣ ତାହା ତ ତଦନ୍ତରୁ ହିଁ ଜଣାପଡିବ । କାହିଁକି ନା ବାଘ ଭଳି ବଂଚୁଥିବା ମଣିଷଟାଟେ ଦିନେ ଏଭଳି କରିବ, ଏକଥାକୁ କେହିବି ହଜମ କରିପାରୁନାହାନ୍ତି।

ରାଇଙ୍କୁ ଅଭିନୟରେ ଥିଲା ବାସ୍ତବତାର ଛୁଙ୍କ । ତେଣୁ ଏବେ ବି କିଛି ସିନେମା ତାଙ୍କର ରିଲିଜ ଅପେକ୍ଷାରେ ରହିଛି । ଯେପରିକି ରକ୍ଷକ ଧରମା ବାଜିବଲୋ ସାହାନାଇ ତୋ ପାଇଁ କିଛି ବି କରିପାରେ। ସେହିପରି ଉଦଣ୍ଡୀ ସୀତା ଓ ସତମିଛ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିବା ତାଙ୍କ ସିନେମା ଯାତ୍ରା ଭିତରେ ୯୦ରୁ ଉର୍ଦ୍ଧ୍ବ ଓଡିଆ ଓ ୧୫ ରୁ ଉର୍ଦ୍ଧ୍ବ ବଙ୍ଗଳା ସିନେମାରେ ତାଙ୍କୁ ଦର୍ଶକ ଖୁସି ହେବାର ଦେଖିଥିବା ବେଳେ ବିଶ୍ୱନାଥ ଥିଲା ତାଙ୍କର ଶେଷ ଖୁସି ବ୍ୟକ୍ତର ସିନେମା । ଆଉ ନାଟକଙ୍କୁ ଭଲ ପାଉଥିବା ଓ ନାଟକରୁ ଅଭିନୟର ଯାତ୍ରା ଆରମ୍ଭ କରିଥିବା ଭେଟେରାନ ବାଦଶାହା ୪୦ରୁ ଉର୍ଦ୍ଧ୍ବ ନାଟକ ସହ ଅନେକ ଯାତ୍ରାରେ ଅଭିନୟ କରିଥିଲେ । ଏପରିକି ତାଙ୍କୁ ଗୁରୁବାର ହିଁ ୩୦ ହଜାରର ଶେଷ ପେମେଣ୍ଟ ମିଳିଥିଲା, ଏହାକୁ ଲୁବୁନ ଦେଇଥିଲେ । ତଥାପି କାହିଁକି ଆତ୍ମହତ୍ୟା କଲେ ଅଭିନେତା ରାଇମୋହନ ପରିଡା । ଏହାକୁ ନେଇ ଏବେ ବି ଦର୍ଶକଙ୍କ ଉତ୍କଣ୍ଠା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.