ଅଶାନ୍ତ ରାଉରକେଲା, ପୋଲିସ ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ

author img

By

Published : Oct 14, 2021, 10:39 AM IST

Updated : Oct 14, 2021, 11:59 AM IST

ରାଉରକେଲାରେ ଏନକାଉଣ୍ଟର, ଦୁଇ ଅପରାଧି ଆହତ

ରାଉରକେଲା ବିଶ୍ରା ମଣ୍ଡପ ନିକଟରେ ପୋଲିସର ଏନକାଉଣ୍ଟର । ୨ ଅପରାଧୀ ଆହତ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଉରକେଲା ପୋଲିସ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ଗୁରୁତର । ଆଜି ପାହାନ୍ତିଆରେ ହୋଇଛି ଏନକାଉଣ୍ଟର । ଜିତେନ୍ଦ୍ର ସାଏ ଓରଫ ଗୋରେ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ମୁସ୍ତାକ ଆଲାମ ଓ ତାର ସହଯୋଗୀ ମହମ୍ମଦ ଗୁଡ୍ଡୁକୁ ଏନକାଉଣ୍ଟର କରିଛି ପୋଲିସ । ରାଉରକେଲା ବିଶ୍ରା ମଣ୍ଡପ ଛକ ନିକଟରେ କରିଛି ଏନକାଉଣ୍ଟର ।

ଅଶାନ୍ତ ରାଉରକେଲା, ପୋଲିସ ଏନକାଉଣ୍ଟରରେ ଦୁଇ ଅପରାଧି ଆହତ

ଆଜି ପାହାନ୍ତିଆରେ ( ଭୋର 4:40 ମିନିଟ୍ ) ଏହି ଏନକାଉଣ୍ଟର ହୋଇଛି । ପ୍ରଥମେ ପୋଲିସକୁ ଦେଖି ମୁସ୍ତାକ ଆଲାମ ପୋଲିସ ଉପରକୁ ଗୁଳି ମାଡ କରିଥିଲା । ପୋଲିସର ପାଲଟା ଗୁଳିମାଡରେ ମୁସ୍ତାକ ଓ ତାର ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି ।

ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ରେଳବାଇ କଲୋନୀ ରିମଝିମ ବସ୍ତିରେ ଗତ ସେପ୍ଟେମ୍ବର 11 ତାରିଖରରେ ଜିତେନ୍ଦ୍ର ସାଏ ଓରଫ ଗୋରେକୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ ମୁସ୍ତାକ ଓ ସହଯୋଗୀ ମହମ୍ମଦ । ହତ୍ୟା ଅଭିଯୋଗରେ ପୂର୍ବରୁ 6 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ରାଉରକେଲା ପୋଲିସ । ଆଜି ଆଉ ଦୁଇଜଣ ପୋଲିସର ହାତରେ ଧରାପଡିଛନ୍ତି । ତେବେ ଏବେ ବି ଗୋରେ ହତ୍ୟାକାଣ୍ଡରେ ସାମିଲ ଥିବା ଅନେକ ଅପରାଧୀ ଫେରାର ଥିବା ଜଣାପଡିଛି ।

ସେହି ହତ୍ୟାକାଣ୍ଡର ସମସ୍ତ ଅପରାଧୀଙ୍କୁ ଧରିବା ପାଇଁ ରାଉରକେଲା ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଆଜି ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଶ୍ରା ମୁଣ୍ଡପ ଛକରେ ପହଞ୍ଚିଥିଲା । ହେଲେ ପୋଲିସକୁ ଦେଖିବା କ୍ଷଣି ମୁସ୍ତାକ ପୋଲିସ ଉପରକୁ ଫାଇରିଂ କରିଥିଲା ।

ପୋଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇଥିଲା । ଏଥିରେ ମୁଖ୍ୟ ଅପରାଧୀ ମୁସ୍ତାକ ଆଲମ ଓ ମହମ୍ମଦ ଗୁରୁତର ଆହତ ହୋଇଛନ୍ତି । ଦୁଇଜଣଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଆଇଜିଏଚକୁ ସ୍ଥାନାନ୍ତରିତ କରିଥିଲା । ତେବେ ଉଭୟଙ୍କୁ ବର୍ତ୍ତମାନ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା କଥା ଜଣାପଡିଛି । ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡ଼ ହୋଇଥିବାବେଳେ ମହମ୍ମଦ ଗୁଡୁର ଘର ରାଉରକେଲା ମାଲଗୋଦାମ ଅଞ୍ଚଳରେ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :Oct 14, 2021, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.