ETV Bharat / city

ରଥଯାତ୍ରା ଇତିହାସ: ରାଣୀ ଗୁଣ୍ଡିଚାଙ୍କ ଅନୁରୋଧ କ୍ରମେ ବଡଦାଣ୍ଡରେ ବଡଠାକୁର

author img

By

Published : Jul 2, 2022, 6:54 AM IST

ରଥଯାତ୍ରା ଇତିହାସ: ରାଣୀ ଗୁଣ୍ଡିଚାଙ୍କ ଅନୁରୋଧ କ୍ରମେ ବଡଦାଣ୍ଡରେ ବଡଠାକୁର
ରଥଯାତ୍ରା ଇତିହାସ: ରାଣୀ ଗୁଣ୍ଡିଚାଙ୍କ ଅନୁରୋଧ କ୍ରମେ ବଡଦାଣ୍ଡରେ ବଡଠାକୁର

ଐଶୌର୍ଯ୍ୟ ଓ ମାଧୁର୍ଯ୍ୟର କ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ବାର ମାସରେ ପାଳନ ହୁଏ ତେର ପର୍ବ । ସେଥିମଧ୍ୟରୁ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ । ମହାପ୍ରଭୁଙ୍କ ମହାନ ଗାଥା ବଖାଣେ ଏହି ପର୍ବ । ତେବେ କେଉଁ କାଳରୁ ରଥଯାତ୍ରା ପରମ୍ପରାର ଆରମ୍ଭ ଜାଣନ୍ତୁ ।

ପୁରୀ: ଐଶୌର୍ଯ୍ୟ ଓ ମାଧୁର୍ଯ୍ୟର କ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ବାର ମାସରେ ପାଳନ ହୁଏ ତେର ପର୍ବ । ସେଥିମଧ୍ୟରୁ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ । ମହାପ୍ରଭୁଙ୍କ ମହାନ ଗାଥା ବଖାଣେ ଏହି ପର୍ବ । କାହିଁ କେଉଁ ଆଦିମ କାଳରୁ କାଳିଆ ଠାକୁର ପତିତଜନ ଉଦ୍ଧାର ନିମନ୍ତେ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଚାଲି ଆସୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସଭିଏଁ ଏକାଠି ହୋଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଏହି ଯାତରେ ।

ରଥଯାତ୍ରା ଇତିହାସ: ରାଣୀ ଗୁଣ୍ଡିଚାଙ୍କ ଅନୁରୋଧ କ୍ରମେ ବଡଦାଣ୍ଡରେ ବଡଠାକୁର

ସମାଜରେ ଛୁଆଁ ଅଛୁଆଁ ଭେଦ-ଭାବକୁ ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ଛିନ୍ନ କରେ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ । ମାତ୍ର ରଥଯାତ୍ରାର ସୃଷ୍ଟି ଏବଂ ଅୟମାରମ୍ଭକୁ ନେଇ ଐତିହାସିକ ଏବଂ ପୌରାଣିକ ତଥ୍ୟରେ ରହିଛି ଭିନ୍ନତା । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କାଳରୁ ରଥଯାତ୍ରା ପରମ୍ପରା ଆରମ୍ଭ ନେଇ ପୌରାଣିକ ବର୍ଣ୍ଣନା ଥିଲେ ମଧ୍ୟ ରାଜା ଯଯାତି କେଶରୀଙ୍କ ସମୟରୁ ରଥଯାତ୍ରାର ଆରମ୍ଭ ବୋଲି ଇତିହାସ କହେ ।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ତତ୍ତ୍ବାବଧାନରେ ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ ଚାଲିଥିବା ସମୟରେ ରାଣୀ ଗୁଣ୍ଡିଚା ବ୍ୟାକୁଳ ହୋଇ ଦ୍ବାର ଖୋଲିବାକୁ କହିଥିଲେ । ଫଳରେ ମହାପ୍ରଭୁ ଅଧାଗଢା ହୋଇ ରହିଯାଇଥିବା ପୁରାଣରେ ବର୍ଣ୍ଣିତ । ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରେ ଅଧିଷ୍ଠିତ କରାଯାଇଥିଲା । ଏହି ସମୟରେ ରାଣୀ ଗୁଣ୍ଡିଚା, ମହାପ୍ରଭୁଙ୍କୁ ଜନ୍ମବେଦୀ ବା ଆଡପ ମଣ୍ଡପକୁ ବର୍ଷକେ ଥରେ ଆସିବାକୁ ବିନତି କରିଥିଲେ ।

ସେବେଠାରୁ ରଥଯାତ୍ରାର ଆରମ୍ଭ ବୋଲି ପୌରାଣିକ ମତ । ମାତ୍ର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପରେ ପରେ ଜଗନ୍ନାଥ ସଂସ୍କୃତି ବିଲୋପ ଏବଂ ରତ୍ନଭଣ୍ଡାର ଲୁଟ୍ ଉଦ୍ଦେଶ୍ୟରେ ବାରମ୍ବାର ଯବନଙ୍କ ଆକ୍ରମଣ କାରଣରୁ ଶ୍ରୀମନ୍ଦିରରେ ବନ୍ଦ ରହିଥିଲା ରଥଯାତ୍ରା । ଏହିସମୟରେ ଉତ୍କଳର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଗୁପ୍ତଲୀଳା କରାଯାଉଥିଲା । ଦୀର୍ଘ ୨୫୦ ବର୍ଷ ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଗମନ ହୁଏ । ସପ୍ତମ ଶତାବ୍ଦୀର ସୋମବଂଶୀ ରାଜା ଯଯାତି କେଶରୀ ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉଦ୍ଧାର କରି ରତ୍ନ ସିଂହାସନରେ ସ୍ଥାପନା କରାଇଥିଲେ । ସେବେଠାରୁ ବଡଦାଣ୍ଡରେ ରଥଯାତ୍ରା ପାଳନ ହେଉଛି ।

ସେହିପରି ଇତିହାସ ଅବଲୋକନ କଲେ ଜଣାଯାଏ... ପୂର୍ବ କାଳରେ ମହାପ୍ରଭୁଙ୍କ ପାଇଁ 6ଟି ରଥ ନିର୍ମାଣ ହେଉଥିଲା । କାରଣ ବଡ଼ଦାଣ୍ଡ ମଝିରେ ମାଳିନୀ ନଦୀରେ ଥିବା ଗଣ୍ଡ କାରଣରୁ ସିଂହଦ୍ବାରରୁ ତିନିଟି ରଥରେ ମହାପ୍ରଭୁଙ୍କୁ ନିଆଯାଇ ନଦୀ ସେପଟେ ଥିବା ଆଉ ତିନିଟି ରଥରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଉଥିଲା । ଏହାପରେ ରାଜା ଭାନୁଦେବ ମାଳିନୀ ନଦୀ ପୋତିବା ପରେ ବଡ ଦାଣ୍ଡରେ ତିନି ରଥ ଗଡୁଛି । ରହସ୍ୟରେ ଘେରା ଜଗନ୍ନାଥ ସଂସ୍କୃତିକୁ ଅବଲୋକନ କଲେ ରୋଚକ ଲାଗେ । ପୁରାଣ ଓ ଇତିହାସ ଲୀଳାମୟଙ୍କ ଲୀଳା ବଖାଣେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.