ETV Bharat / city

ମହାପ୍ରଭୁଙ୍କ ମହାପ୍ରସାଦ: ପାଚିକା ଲକ୍ଷ୍ମୀ ସାଆନ୍ତାଣୀ, ସରଞ୍ଜାମ ଯୋଗାଡ କରନ୍ତି ବିମଳା-ଦକ୍ଷିଣକାଳୀ

author img

By

Published : Jul 3, 2022, 7:03 AM IST

Updated : Jul 3, 2022, 11:39 AM IST

ମହାପ୍ରଭୁଙ୍କ ମହାପ୍ରସାଦ: ପାଚିକା ଲକ୍ଷ୍ମୀ ସାଆନ୍ତାଣୀ, ସରଞ୍ଜାମ ଯୋଗାଡ କରନ୍ତି ବିମଳା-ଦକ୍ଷିଣକାଳୀ
ମହାପ୍ରଭୁଙ୍କ ମହାପ୍ରସାଦ: ପାଚିକା ଲକ୍ଷ୍ମୀ ସାଆନ୍ତାଣୀ, ସରଞ୍ଜାମ ଯୋଗାଡ କରନ୍ତି ବିମଳା-ଦକ୍ଷିଣକାଳୀ

ଯେଉଁ ଧାମର ମୁରବି ସ୍ବୟଂ ମହାପ୍ରଭୁ, ଯେଉଁ ରୋଷଶାଳାର ପାଚିକା ମା' ଲକ୍ଷ୍ମୀ ସାଆନ୍ତାଣୀ ସେ ପ୍ରସାଦର ପ୍ରସ୍ତୁତି ମହନୀୟ । ବଡଖିଆ କାଳିଆ ଠାକୁରଙ୍କ ରୋଷଶାଳା ପ୍ରସାଦ ପ୍ରସ୍ତୁତିରେ ରହିଛି ଅନେକ କଥା, କାହାଣୀ, କିମ୍ବଦନ୍ତୀ । ରୋଷଶାଳାର ଦ୍ବାରର ଜଗୁଆଳ ଦାୟିତ୍ବରେ ଅଛନ୍ତି ମହାବୀର ହନୁମାନ, ପ୍ରସାଦ ମାରା ହେଲେ ସଙ୍କେତ ଦିଅନ୍ତି କୁତାମ ଚଣ୍ଡୀ । ଅଧିକ ପଢନ୍ତୁ

ପୁରୀ: ସେ ମହାପ୍ରଭୁ, ତାଙ୍କ ପ୍ରସାଦ ମହାପ୍ରସାଦ । ଯେଉଁ ଧାମର ମୁରବି ସ୍ବୟଂ ମହାପ୍ରଭୁ, ଯେଉଁ ରୋଷଶାଳାର ପାଚିକା ମା' ଲକ୍ଷ୍ମୀ ସାଆନ୍ତାଣୀ ସେ ପ୍ରସାଦର ପ୍ରସ୍ତୁତି ମହନୀୟ । ମହାପ୍ରଭୁଙ୍କ ମହାପ୍ରସାଦ ସହ ଜଡିତ ଓଡିଆଙ୍କ ଭାବାବେଗ । ଅବଢା, ନିର୍ମାଲ୍ୟ, କୈବଲ୍ୟକୁ ଭକ୍ତଟିଏ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ମଣିଥାଏ ।

ମହାପ୍ରଭୁଙ୍କ ମହାପ୍ରସାଦ: ପାଚିକା ଲକ୍ଷ୍ମୀ ସାଆନ୍ତାଣୀ, ସରଞ୍ଜାମ ଯୋଗାଡ କରନ୍ତି ବିମଳା-ଦକ୍ଷିଣକାଳୀ

ଯେତେବେଳେ ମହାପ୍ରଭୁଙ୍କ ନିକଟକୁ ପ୍ରସାଦ ଯାଏ, ସେତେବେଳେ ତାର ନାଁ ଅମଣିଆ ଭୋଗ, ଯେତେବେଳେ ଭିତରକୁ ଯାଏ ତାହା ଛେକ, ଭୈରବ ଚକ୍ରରେ ଲାଗିଲେ ମହାପ୍ରଭୁଙ୍କର ସ୍ବତନ୍ତ୍ର ଭୋଗ ବା ମହାପ୍ରସାଦ, ଦେବୀ ବିମଳାଙ୍କୁ ମଣଇ ହୋଇ ଯେତେବେଳେ ଭକ୍ତମାନେ ପାଆନ୍ତି ତାହା ଅବଢା, ଶୁଖିଗଲେ ନିର୍ମାଲ୍ୟ ଆଉ ପରିଶେଷରେ ତାର ନାମ କୈବଲ୍ୟ । କେବଳ ମାଟିହାଣ୍ଡିରେ ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହାପ୍ରସାଦ । ଗୋଟିଏ ଚୁଲିରେ ଏକାସାଙ୍ଗରେ ୯ଟି ହାଣ୍ଡିରେ ପ୍ରସାଦ ହୁଏ ପ୍ରସ୍ତୁତ । ସବୁଠୁ ଉପରେ ଥିବା ହାଣ୍ଡିର ଭୋଗ ଆଗ ପ୍ରସ୍ତୁତ ହେବା ଲୋକକଥା ଭୁଲ୍ ବୋଲି ସେବାୟତଙ୍କ ମତ ।

ସେବାୟତଙ୍କ କହିବା ଅନୁଯାୟୀ, ସୂର୍ଯ୍ୟଦେବଙ୍କୁ ସ୍ବତନ୍ତ୍ର ପୂଜା ପରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହୁଏ । ଏହି ଅଗ୍ନିକୁ ବାଷ୍ଣବାଗ୍ନୀ କୁହାଯାଏ । ପ୍ରସାଦ ପ୍ରସ୍ତୁତିର ଦାୟିତ୍ବ ସ୍ବୟଂ ଲକ୍ଷ୍ମୀ ସାଆନ୍ତାଣୀ ତୁଲାଇଥାନ୍ତି ଏବଂ ଦେବୀ ବିମଳା ଓ ଦକ୍ଷିଣକାଳୀ ସରଞ୍ଜାମ ଯୋଗାଡ କରନ୍ତି । ସେହିପରି ଗଙ୍ଗା-ଯମୁନା କୂପର ପାଣି ବ୍ୟବହାର ହେଉଥିବାବେଳେ ରୋଷଶାଳାର ଦ୍ବାରପାଳ ଦାୟିତ୍ବ ସ୍ବୟଂ ହନୁମାନ ବହନ କରନ୍ତି ।

ଶ୍ରୀମନ୍ଦିରର ରୋଷଶାଳାରେ ରହିଛି ୭୫୨ ଚୁଲା । ୪୦୦ରୁ ଊର୍ଦ୍ଧ୍ବ ସୁପକାର ସେବକ ରୋଷେଇ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ପ୍ରତ୍ୟେକ ଦିନ ୧୦ ହଜାରରୁ ଊର୍ଦ୍ଧ୍ବ ହାଣ୍ଡିରେ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ରୋଷଶାଳାରେ ନିୟୋଜିତ ଥିବା ସମସ୍ତ ସେବକ ନିଷ୍ଠାର ସହ ଅନ୍ନ ପ୍ରସାଦ ପ୍ରସ୍ତୁତ କରଥାନ୍ତି । ଏହି ସମୟରେ କୌଣସି ମାଦକ ଦ୍ରବ୍ୟ କିମ୍ବା ନିଶାଦ୍ରବ୍ୟ ସେବନ ବାରଣ ଥାଏ । ଏପରିକି ପ୍ରସାଦ ପ୍ରସ୍ତୁତି ସମୟରେ ଉଚ୍ଚ କଣ୍ଠରେ କିମ୍ବା କାହା ସହ ଝଗଡା କରିବା ଅନୀତି ବୋଲି ସେବାୟତଙ୍କ ମତ । ଏପରି ନିଷ୍ଠାର ସହ ପ୍ରସାଦ ପ୍ରସ୍ତୁତି ହେବା ଦ୍ବାରା ତାହା ଅମୃତରେ ପରିଗଣିତ ହୋଇଥାଏ ।

ଏସବୁ ନିଷ୍ଠା ପରେ ଯଦି କେବେ ରୋଷ ମାରା ହୁଏ ତେବେ ଚଣ୍ଡି ମାତୃକା କୁତାମ ଚଣ୍ଡି, କୁକୁର ରୂପରେ ଇତଃସ୍ତତ ଘୁରି ବୁଲିବାର ପ୍ରଥା ରହିଛି । ଏପରି ହେଲେ ପ୍ରସ୍ତୁତ ଭୋଗକୁ କୋଇଲି ବୈକୁଣ୍ଠରେ ପୋତିଦିଆଯାଏ । କୁହାଯାଏ ଯେ, ଏହି ମାରା ଭୋଗକୁ କାଉ କୋଇଲି ମଧ୍ୟ ଛୁଅଁନ୍ତିନାହିଁ । ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ୫ ରୁ ୬ ଥର ଭୋଗ ଲାଗିହୁଏ । ସକାଳେ ଗୋପାଳ ବଲ୍ଲଭ ବା ଜଳଖିଆ(ନଡିଆ, ଖୁଆମୁଣ୍ଡା) ରାଜଭୋଗ ବା ସକାଳଧୂପ ଭୋଗ, ଏଥିରେ ବିଭିନ୍ନ ପ୍ରକାର ପିଠା ଏବଂ ଶାଗ ଲାଗିହୁଏ, ଡାଲି, ଅଦାପାଚେଡି, ଭୋଗ ମଣ୍ଡପ ଭୋଗ(ଶଙ୍କରାଚାର୍ଯ୍ୟ ଉଦ୍ଭାବନ କରିଥିଲେ), ଦ୍ବିପର ଭୋଗ ମଧ୍ୟାହ୍ନ ଭୋଗ, ସନ୍ଧ୍ୟାଧୂପ ଭୋଗ, ଶୁଆର ପିଠା ଆଦି ୨୦୦ ପ୍ରକାରର ଭୋଗ ଲାଗି କରାଯାଏ ।

ପୁରପଲ୍ଲୀର ଠାକୁର-ଠାକୁରାଣୀ, ଏପରିକି ଶଙ୍କର ଭଗବାନ ମଧ୍ୟ କୈଳାସ ପର୍ବତରେ ମହାପ୍ରସାଦ ପାଇଁ ଅପେକ୍ଷାରତ ଥାଆନ୍ତି ବୋଲି ସେବାୟତଙ୍କ ମତ । ପବିତ୍ରତା, ସ୍ବଚ୍ଛତା ସର୍ବଶେଷରେ ଔଷଧୀୟ ଗୁଣ ଭରି ରହିଥିବା ଏହି ନିର୍ମାଲ୍ୟ-କୈବଲ୍ୟ ବି ଲୋଡାହୁଏ ଜୀବନର ଶେଷସମୟରେ । ଅମୂଲ୍ୟ ଏହି ମହାପ୍ରସାଦକୁ ନିଇତି ପ୍ରାପ୍ତ ହେଉଥିବା ଉତ୍କଳବାସୀଙ୍କ ପାଇଁ ଏହାଠୁ ବଳି ଭାଗ୍ୟ ଆଉ କଣ ବା ହୋଇପାରେ ।

ଇଟିଭି ଭାରତ, ପୁରୀ

Last Updated :Jul 3, 2022, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.