ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭାଇଚାରା ସହର, ମା'ଙ୍କ ମେଢ଼ କାମରେ ମୁସଲମାନ ପରିବାର

author img

By

Published : Sep 27, 2022, 9:41 PM IST

muslim family making medha for durga puja in cuttack

ଭାଇଚାରାର ସହରରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁସଲମାନ ପରିବାରଙ୍କ ହାତ ତିଆରି କାରୁକାର୍ଯ୍ୟରେ ଶୋଭା ପାଆନ୍ତି ମା' ଜଗତ ଜନନୀ । ଅଧିକ ପଢନ୍ତୁ

କଟକ: ଆଉ ଦିନ କେଇଟା ଗଲେ ଦୁର୍ଗାପୂଜା । ଧରାପୃଷ୍ଠକୁ ବିଜେ କରିବେ ଜଗତ ଜନନୀ । ଏନେଇ ଚଳଚଞ୍ଚଳ ରାଜ୍ୟବାସୀ । ଦଶହରା ଆସିଲେ ନୂଆ ରୂପରେ ସଜେଇ ହୋଇଥାଏ କଟକ ସହର । ଚାନ୍ଦି ମେଢ ସାଙ୍ଗକୁ ସୁନାର ଆଭୂଷଣରେ ଝଲସି ଉଠେ ମଣ୍ଡପ ଗୁଡିକ । ଏସବୁ ଭିତରେ ଏବେବି ଜରି ମେଢର ରହିଛି ସ୍ୱତନ୍ତ୍ରତା । ଏହି ଜରି ମେଢ଼କୁ ତିଆରି କରିଥାନ୍ତି କେତେକ ମୁସଲମାନ ପରିବାର । ଦୁଇ ବର୍ଷ ଧରି ହାତବାନ୍ଧି ବସିଥିବା କରିଗରଙ୍କୁ ଏବର୍ଷ ଫୁରସତ ନାହିଁ ।

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭାଇଚାରା ସହର

କଟକ ଦଶହରାରେ ସୁନା ଚାନ୍ଦି ମେଢର ଦୌଡ଼ରେ ଆଜି ବି ଜରି ମେଢର ଚାହିଦା କିଛି କମ ନୁହେଁ । ଦଶହରା ଆସିଲେ ଜରି ମେଢ କାରିଗରଙ୍କ ହାତକୁ ଫୁରସତ ମିଳିନଥାଏ । କଟକରେ ଖାସ କରି ମୁସଲିମ ସମ୍ପ୍ରଦାୟ ଲୋକଙ୍କ ଜରି ମେଢର ଅଧିକା ଚାହିଦା ରହିଥାଏ । ଜରି ମେଢକୁ କାହିଁ କେଉଁ ଅମଳରୁ କୌଳିକ ବୃତ୍ତି ଭାବେ ଆଦରି ନେଇଛନ୍ତି ଜାହିର ଖାନଙ୍କ ପରିବାର । ଜରି ମେଢର କାରିଗର ଭାବେ ଖାନଙ୍କ ପରିବାର କଟକରେ ବେଶ ପ୍ରସିଦ୍ଧ । କଟକ ଠାରୁ ବ୍ରହ୍ମପୁର, ରାଉରକେଲା, ସମ୍ୱଲପୁର ଯାଏଁ ଖାନ ପରିବାରର ହାତ ତିଆରି ଜରି ମେଢ କାମର ଚାହିଦା ରହିଛି । ୩ ପୀଢ଼ି ହେଲା ଜାହିରଙ୍କ ପରିବାର ଏହି ଜରି କାମ କରି ଆସୁଥିବା ବେଳେ ସେ ନିଜେ ୨୫ ବର୍ଷ ଧରି ମା'ଙ୍କ ମେଢ ନିର୍ମାଣ କରୁଛନ୍ତି । ବୁଲିୟାନ ତାରକସି କାମର ସୂକ୍ଷ୍ମ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିଥାଏ ତାଙ୍କ କରିଗରୀରେ । ଚଳିତବର୍ଷ ୧୦ ରୁ ୧୫ଟି ଜରି ମେଢ଼ର କାମ ପାଇଁ ଅର୍ଡର ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: ମା' ଦୁର୍ଗାଙ୍କ ନିଆରା କିନ୍ନର ପୂଜକ ବୈଶାଳୀ

କଟକ ଦଶହରାରେ ମୁସଲିମ ସମ୍ପ୍ରଦାୟର କାରିଗର ମାନଙ୍କ ଅବଦାନ ଥାଏ ବେଶ ଅଧିକ । ଯାହା ଏଠିକାର ଭାଇଚାରା ଓ ସଂସ୍କୃତିର ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ତେବେ ଦଶହରାର ଠିକ ୪ ମାସ ପୂର୍ବରୁ ମେଢ଼ କାମ ଆରମ୍ଭ କରାଯାଇଥାଏ । ମେଢ ତିଆରି କାମରେ ବାଉଁଶ, କାଗଜ, ଜିଙ୍କ ଠାରୁ ଆରମ୍ଭ କରି ମହମ ଅଠା ,ଜରି ଓ ଭେଲଭେଟ ଆଦିକୁ ବ୍ୟବହାର କରି ଅତି ସୂକ୍ଷ୍ମ ନିଖୁଣ କାରୁକାର୍ଯ୍ୟ କରୁଛନ୍ତି ଏଠାକାର କାରିଗର ମାନେ । ଜରି ମେଢରେ କଲିକା, ଗଦୀ, କଲାନ, ଛାଜ, ବକ୍ସ, ବେଲପାୟା, ମୁକୁଟ, ହାର ଓ ପଟିର ନିଖୁଣ କାରିଗରୀ ହିଁ ଅନେକଙ୍କୁ ଏଠାକୁ ଟାଣି ଆଣେ । ଏନେଇ କାରିଗର କହିଛନ୍ତି, " କଟକ ସହର ସହ ଭୁବନେଶ୍ୱର ,ରାଉରକେଲା, ଝାରସୁଗୁଡା ଆଦି ଅନେକ ପୂଜା ମଣ୍ଡପ ଗୁଡିକରୁ ଜରି ମେଢ ପାଇଁ ଅର୍ଡର ନେଇ ପ୍ରତିବର୍ଷ ମେଢ ଯୋଗାଇ ଆସୁଛୁ । ଆଉ ଏହି ମେଢ ତିଆରି କାମ କରି ବେଶ ଆତ୍ମସନ୍ତୋଷ ଲାଭ କରୁଛୁ ।" ପ୍ରାୟ ୪ ମାସ ପୂର୍ବରୁ ସେମାନେ ବାଉଁଶ, ଜରି, କାଗଜ ଆଦିରେ ମେଢ କାମ ଆରମ୍ଭ କରିଥାନ୍ତି । ଆଉ ସେଥିପାଇଁ କଟକ ସହ ସୁରଟ, ଦିଲ୍ଲୀ ଏବଂ କୋଲକାତା ବଜାରରୁ ଆବଶ୍ୟକୀୟ ସରଞ୍ଜାମ ଆଣିଥାନ୍ତି । ଏହି କାରଗରଙ୍କ ଦ୍ୱାରା 4ଫୁଟର ମେଢ ଠାରୁ ଆରମ୍ଭ କରି 20 ଫୁଟ ମେଢର ପ୍ରସ୍ତୁତ କରାଯାଉଛି । ଗୋଟିଏ ମେଢର ଦାମ୍ ୩୦ ହଜାରରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ ।

ସଂସ୍କୃତି ଓ ଭାଇଚାରାର ସହର କଟକ । ଆଉ କଟକର ପ୍ରସିଦ୍ଧ ଦଶହରାରେ ମୁସଲମାନ ସମ୍ପ୍ରଦାୟଙ୍କ ହାତ ମେଢରେ ନ ଲାଗିଲେ ସତେ ଯେପରି ମେଢ କାମ ଅଧା ଅଧୁରା ଲାଗେ । ଏଠାରେ ପ୍ରତିଟି ପୂଜା ପର୍ବରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.