୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

author img

By

Published : Sep 23, 2022, 7:40 PM IST

୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

ବିହାର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା । ବିଭିନ୍ନ ବ୍ୟାଙ୍କରୁ ଠକି ନେଲେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

କଟକ: ଜାଲ ଚେକ୍‌ ମାଧ୍ୟମରେ କୋଟିଏ ଟଙ୍କାର ଲୁଟ । ୧୦୦ କୋଟିର ସାଇବର ଠକେଇ ପଛରେ ରହିଛି ବ୍ୟାଙ୍କ ପିଅନଙ୍କ ହାତ । ଏଭଳି ଏକ ଠକକୁ ବିହାର ପୋଲିସ ଠାରୁ ରିମାଣ୍ଡରେ ଆଣିବା ପରେ ଏହି ବ୍ୟାଙ୍କ ପିଅନ ଜରିଆରେ ଓଡି଼ଶାରୁ ୧ କୋଟି ୫୮ଲକ୍ଷ ଟଙ୍କାର ଠକେଇ ହୋଇଥିବା ସ୍ପଷ୍ଟ ହୋଇଛି । ବିହାରର ଏହି ଠକ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ଜାଲ ଚେକ୍‌ ମାଧ୍ୟମରେ ଠକେଇ କରୁଥିବା ଜଣାପଡ଼ିଛି ।

୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

କଟକ ନୂଆବଜାରରେ ଥିବା ବ୍ୟାଙ୍କ ଅଫ ବରୋଦାରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଗତ ଜୁନ ୨ ତାରିଖରେ ୪୨ଲକ୍ଷ ଟଙ୍କା ହଡପ ହୋଇଥିଲା । ଏ ବାବଦରେ କଟକ ସାଇବର ଥାନାରେ ଏତଲା ହୋଇଥିଲା । ନିର୍ବାହୀ ଯନ୍ତ୍ରୀଙ୍କ ଚେକ୍ ଓ ଦସ୍ତଖତକୁ ଜାଲିଆତି କରି ଏହି ଟଙ୍କା ଉଠାଯାଇଥିଲା । ଘଟଣାର ତଦନ୍ତ କରୁ କରୁ ବିହାର ପୋଲିସ ଗିରଫ କରିଥିବା ବିକାଶ ସିଂଙ୍କ ବାବଦରେ ସୂଚନା ପାଇଥିଲା କଟକ ସାଇବର ଥାନା ପୋଲିସ ।

ବିକାଶର ମୋବାଇଲରୁ ସୁବର୍ଣ୍ଣପୁର, ଜଗତସିଂହପୁର ଓ କଟକ ବ୍ୟାଙ୍କ ଅଫ୍‌ ବରୋଦାର ବିଭିନ୍ନ ଚେକ୍‌ର ଫଟୋ ପାଇବା ପରେ ବିହାର ପୋଲିସ କଟକ ସାଇବର ଥାନା ପୋଲିସକୁ ସୂଚନା ଦେଇଥିଲା । କଟକ ସାଇବର ଥାନା ପୋଲିସ ବିକାଶକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ପୁରା ଠକେଇର ପର୍ଦ୍ଦାଫାଶ ହୋଇଛି । ସାଇବର ଥାନା ଇନିସପେକ୍ଟର ଚନ୍ଦ୍ରିକା ସ୍ବାଇଁଙ୍କ କହିବା ଅନୁସାରେ ବିକାଶ ବ୍ୟାଙ୍କର କ୍ଲୋଜିଂ ସମୟର ସୁଯୋଗ ନେଇ କିଛି ସାଇବର ଫ୍ରଡ ଗୋଷ୍ଠୀଙ୍କ ଜରିଆରେ ଏଭଳି ଠକେଇ କରିଛି ।

ଏହା ବି ପଢନ୍ତୁ- ମୋ ବସରେ ଲୁଟପାଟ ଗ୍ୟାଙ୍ଗ ଟ୍ରାପ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

ବ୍ୟାଙ୍କର କ୍ଲୋଜିଂ ସମୟରେ ସିଷ୍ଟମ୍ ସଟଡାଉନ୍ ହେବାକୁ ପ୍ରାୟ ୫ ମିନିଟ ସମୟ ଲାଗିଥାଏ । ସେହି ୫ମିନିଟରେ କମ୍ପ୍ୟୁଟରରେ କୌଣସି କାମ କରିବା ପାଇଁ ID ପାସଓ୍ବାର୍ଡ ଆଦି ଦରକାର ହୁଏ ନାହିଁ । ଏହାର ସୁଯୋଗ ନେଇ ବିକାଶ ଦେଶର ବିଭିନ୍ନ ବ୍ୟାଙ୍କ ଅଫ ବରୋଦା ଶାଖାରେ ଯେଉଁ ସବୁ ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଜମା ଥାଏ ତାର ବିବରଣୀ ବାହାର କରେ । ଆକାଉଣ୍ଟ ନମ୍ବର ସହ ଚେକ୍‌ର ଫଟୋ ମୋବାଇଲରେ ଉଠାଇ ନିଏ ବିକାଶ । ଏହି ତଥ୍ୟକୁ ବିକାଶ ସାଇବର ଠକଙ୍କୁ ଯୋଗାଇଥାଏ । ତା ପରେ ସାଇବର ଠକ ମାନେ ଚେକ୍ ଫଟୋରୁ ଅସଲି ଦେଖାଯାଉଥିବା ଚେକ୍ ବୁକ୍ ପ୍ରିଣ୍ଟ କରନ୍ତି ।

ଆକାଉଣ୍ଟ ସହ ଯୋଡା ଯାଇଥିବା ମୋବାଇଲ ନମ୍ବର ହଜିଯାଇଛି ଦର୍ଶାଇ ଥାନାର ମିଛ କାଗଜପତ୍ର ତିଆରି କରି ସେହି ନମ୍ବରରେ ନୂଆ ସିମ୍ ନିଅନ୍ତି । ପ୍ରିଣ୍ଟ ହୋଇଥିବା ଚେକ୍‌ରେ ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ପାଇଁ ସମ୍ପୃକ୍ତ ବ୍ୟାଙ୍କରେ ଜମା କରନ୍ତି । ବ୍ୟାଙ୍କରୁ ଫୋନ ଗଲେ ଠକ ଯେହେତୁ ସେହି ନମ୍ବର ହାତେଇ ନେଇଥାଆନ୍ତି, ତେଣୁ ତାଙ୍କ ପାଖକୁ କଲ ଯାଏ ଓ ସେମାନେ ସମ୍ମତି ଜଣାଇବା ପରେ ବ୍ୟାଙ୍କ ଦର୍ଶାଯାଇଥିବା ଆକାଉଣ୍ଟକୁ RTGS ଜରିଆରେ ଟଙ୍କା ପଠାଇ ଦିଏ ।

ଏହିଭଳି ଉପାୟରେ ବିକାଶ ସହ ମିଶି ସାଇବର ଠକ ମାନେ କଟକ ନୂଆବଜାର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ୪୨ଲକ୍ଷ ଟଙ୍କା, ଜଗତସିଂହପୁର ବ୍ୟାଙ୍କ ଅଫ୍‌ ବରୋଦାରେ ଥିବା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬ଲକ୍ଷ ୧୨ହଜାର ୯ଶହ ଟଙ୍କା ଓ ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ସୁବର୍ଣ୍ଣପୁର ମହାବିଦ୍ୟାଳୟ ଆକାଉଣ୍ଟରୁ ୭୦ଲକ୍ଷ ୪୨ହଜାର ୯ଶହ ଟଙ୍କା ହଡପ କରି ନେଇଛନ୍ତି ।

ଏହିପରି ଭାବେ ବିହାରର ସାଇବର ଠକ ମାନେ ଓଡି଼ଶାରୁ ପ୍ରାୟ କୋଟିଏ ୫୮ଲକ୍ଷ ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଗାଏବ କରି ଦେଇଛନ୍ତି । କଟକ ସାଇବର ଥାନା ବ୍ୟାଙ୍କ ପିଅନ ବିକାଶକୁ ପଚରାଉଚୁରା ବେଳେ ଏହି ସାଇବର ଠକ ଗ୍ୟାଙ୍ଗ ବାବଦରେ ଅନେକ ତଥ୍ୟ ପାଇଛି । ଏ ନେଇ ତଦନ୍ତ ଜାରି ରହିଛି ଓ ଆଗକୁ ଆହୁରି ଗିରଫଦାରୀ ହେବ ବୋଲି ସାଇବର ଥାନା ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.