ETV Bharat / city

ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

author img

By

Published : Oct 1, 2022, 2:13 PM IST

Updated : Oct 1, 2022, 2:24 PM IST

durga puja preparation by commiserate police in cuttack
ଦଶହରା ପାଇଁ ମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

କଟକରେ ସୁରୁଖୁରୁରେ ଦଶହରା ପୂଜା ସମ୍ପର୍ଣ୍ଣ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ା ସୁରକ୍ଷା ବଳୟରେ ହେବ ଦଶହରା ପୂଜା । ଅଧିକ ପଢ଼ନ୍ତୁ

କଟକ: ଦଶହରା ପାଇଁ ସଜେଇ ହୋଇଛି ସିଲଭର ସିଟି । ଦୀର୍ଘ ଦୁଇ ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ଆରମ୍ଭ ହୋଇଛି । ସୁରୁଖୁରୁରେ ତଥା ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପର୍ଣ୍ଣ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।

ପାର୍ବଣକୁ ଜଗିବ ସିସିଟିଭି

ଏଥର ପୂଜା ପାଇଁ ସହରରେ ୫୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ସୁରକ୍ଷା ଦାୟିତ୍ୱରେ ୬ ଜଣ ଅତିରିକ୍ତ ପୋଲିସ ଅଫିସର, ୪୦ ଜଣ ଡିଏସପି/ ଏସିପି ରହିବେ । ସେହିପରି ୫୫ ଜଣ ପୋଲିସ ଇନ୍ସପେକ୍ଟର, ୨୯୭ ଜଣ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୮୪ ଜଣ ହାବିଲଦାର, ୬୨୪ ଜଣ ଟ୍ରାଫିକ କନେଷ୍ଟବଳ, ୬୯୪ ଜଣ ହୋମହାର୍ଡ ଏବଂ ୭୦୬ ଜଣ ପୋଲିସ ଭଲ୍ୟୁଣ୍ଟିଅର ମୁତୟନ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଛି । ସାଉଣ୍ଡ ବି ରାତି ୧୨ ଟା ପର୍ଯ୍ୟନ୍ତ ବଜାଇବା ପାଇଁ ଅନୁମତି ଦିଆଯାଇଥିବା କମିଶନର କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ଜଗତ ଜନନୀ

ଭସାଣିରେ ମଧ୍ୟ 12ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବାଜିବ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମେଢ଼ମାନଙ୍କୁ ସମ୍ବର୍ଦ୍ଧିତ କରିବ କମିଶନରେଟ ପୋଲିସ । ପ୍ରତ୍ୟେକ ପୂଜା ମଣ୍ଡପ ତରଫରୁ ନିଜ ନିଜ ଥାନା ସ୍ତରରେ ପୂଜା ନିମନ୍ତେ ଅନୁମତି ପାଇଁ ଆବେଦନ କରିପାରିବେ । ଚଳିତ ବର୍ଷ ଭସାଣିରେ ମେଢ଼ରେ GPS ଲାଗିବାର ବ୍ୟବସ୍ଥା ହୋଇଥିଲା । ମାତ୍ର ସମସ୍ତ ମେଢ଼ରେ ସମ୍ଭବତଃ ଲାଗି ପାରିନଥିବାରୁ ଆସନ୍ତା ବର୍ଷଠାରୁ ଏହି ବ୍ୟବସ୍ଥା କରିବାକୁ କମିଶନରେଟ ପୋଲିସ କହିଛନ୍ତି ।

ପୋଲିସ ଜନସାଧାରଣ ସହଭାଗୀତାରେ ସହରରେ 200ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ପୂଜା ପୂର୍ବରୁ ଆହୁରି ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କମିଶନରେଟ ପୋଲିସ । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯିବ । ନିଶା, ଡିଜେ ଓ ବାଣ ମୁକ୍ତ ଭସାଣ ଦିଗରେ ପୂଜା କମିଟିଗୁଡିକ ଯତ୍ନବାନ ହେବାରୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ଚଳିତ ବର୍ଷ ପୂଜା ଶୃଙ୍ଖଳାରେ ସମାପ୍ତ କରିବା ନେଇ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଭାଇଚାରା ଅକ୍ଷୂର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରିଛି ଶାନ୍ତି କମିଟି ।

ଇଟିଭି ଭାରତ, କଟକ

Last Updated :Oct 1, 2022, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.