ETV Bharat / city

ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା: ଏଚ.ଆର ବିଶ୍ବାସ

author img

By

Published : May 7, 2022, 3:57 PM IST

Updated : May 7, 2022, 4:43 PM IST

ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ସମ୍ଭାବ୍ଯ ବାତ୍ଯା: ଏଚ.ଆର ବିଶ୍ବାସ
ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ସମ୍ଭାବ୍ଯ ବାତ୍ଯା: ଏଚ.ଆର ବିଶ୍ବାସ

ଆଜି(ଶନିବାର) ସନ୍ଧ୍ୟା ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞ । ଅଧିକ ପଢନ୍ତୁ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି(ଶନିବାର) ସନ୍ଧ୍ୟା ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା: ଏଚ.ଆର ବିଶ୍ବାସ

ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ଆଜି ଅବପାତରେ ପରିଣତ ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ୧୦ ତାରିଖ ଏବଂ ୧୧ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତିରେ ହଲୁକାରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲି ଠାରୁ ପବନର ବେଗ ବଢ଼ିବ । ୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ, ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି । ସେହିପରି ୧୧ ତାରିଖରେ ୭୦ ରୁ ୮୦ କିଲୋମିଟର ଏବଂ ଝଟକା ପବନ ବେଗ ୯୦ କିଲୋମିଟର ରହିପାରେ । ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏଥିସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଯଥାଶୀଘ୍ର ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :May 7, 2022, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.