ETV Bharat / city

ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

author img

By

Published : Sep 18, 2022, 6:59 PM IST

ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ
ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ, ଶତ୍ରୁର ବିନାସ କରିବାକୁ ଧରାଧାମକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଦୀର୍ଘ ଦୁଇ ବର୍ଷ ରାଜ୍ୟରେ ହେବ କଟକଣା ମୁକ୍ତ ଦଶହରା ପାଳନ । ମନ୍ଦିରମାଳିନୀ ସହର ଭୁବନେଶ୍ବରର ପ୍ରତିଟି ମଣ୍ଡପରେ ପୂଜା ପାଇବେ ଜଗତ ଜନନୀ, ଏନେଇ ଚଳଚଞ୍ଚଳ ସହରର ପ୍ରତିଟି ଗଳିକନ୍ଦି । ଚଳିତ ବର୍ଷ ଝାରପଡା ପୂଜା ମଣ୍ଡପରେ ଋଷିଆର ସେଣ୍ଟ ପିଟରବର୍ଗ ସହରର ଷ୍ଟେଟ୍ ହରମିଟେଜ୍ ସଂଗ୍ରହାଳୟ ତୋରଣ ପ୍ରଦର୍ଶିତ ହେବ । ଯାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ।

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ତୋରଣ ସଜ୍ଜା । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ମହା ଆଡମ୍ବରରେ ପାଳିତ ହେବ ଦୁର୍ଗାପୂଜା । ଏନେଇ ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି । ଚଳିତ ବର୍ଷ ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ବଜେଟ ଅଟକଳ କରାଯାଇଛି ।

ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଚଳିତ ବର୍ଷ ଝାରପଡା ଦୁର୍ଗାପୂଜା ସମିତିରେ ଆକର୍ଷଣ ସାଜିବ ଋଷିଆର ସେଣ୍ଟ ପିଟରବର୍ଗ ସହରର ଷ୍ଟେଟ୍ ହରମିଟେଜ୍ ସଂଗ୍ରହାଳୟ(State Hermitage Museum)। ୮୫ ଫୁଟ ଉଚ୍ଚ ଏବଂ ୧୫୦ ଫୁଟ ଚଉଡାରେ ନିର୍ମାଣ ହେବ ତୋରଣ । ମୁଖ୍ୟ କାରୀଗର ସହ ୫୦ ସହକାରୀଗର ନିର୍ମାଣ କରୁଛନ୍ତି ଏହି ମ୍ୟୁଜିୟମ। ବାଉଁଶ, କାଠବିଟ୍, ପ୍ଳାଏ, ଫାଇବର, ସନ୍ପ୍ୟାକ୍, ୟୁନିଫୋମ୍ ଓ ରଙ୍ଗିନ୍ କାଚରେ ଆକର୍ଷଣୀୟ ହେବ ହରମିଟେଜ୍ ମ୍ୟୁଜିୟମ୍ । ୩ଟି ମୁଖ୍ୟ ଗେଟ୍ ସହ ୨ଟି ପ୍ରସ୍ଥାନ ଗେଟ୍ରେ ସ୍ଥାନ ପାଇବ ପୌରାଣିକ, ଆଧୁନିକ ଏବଂ ଆଦିବାସୀ କଥାବସ୍ତୁ ।

''ବଙ୍ଗୀୟ ପୂଜା ନୀତିରେ ମା’ଙ୍କୁ ଆବାହନ କରାଯିବ । ମହାସପ୍ତମୀ ଠାରୁ ମଣ୍ଡପରେ ଆରମ୍ଭ ହେବ ପୂଜାର୍ଚ୍ଚନା । ସପ୍ତମୀ, ନବମୀ ଏବଂ ଦଶମୀରେ ଭକ୍ତମାନଙ୍କ ପାଇଁ ଖେଚୁଡି ଭୋଗର ବ୍ୟବସ୍ଥା କରାଯାଇଛି । ୧୨ ଫୁଟ ଉଚ୍ଚର ଦୁର୍ଗାଙ୍କ ମୂର୍ତ୍ତି ସହ ୨୦ ଫୁଟ ଉଚ୍ଚର ବୁଲେନ୍ ଓ ସୁନେଲି ମେଢ ନିର୍ମାଣ କରାଯିବ। ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପରେ ୨୦ଟି ସିସିଟିଭି ଲଗାଯିବା ସହ ବ୍ୟାପକ ସ୍ବେଚ୍ଛାସେବୀ ନିଯୁକ୍ତି କରିବ ସମିତି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପୂଜାରେ ପରିମଳ ବ୍ୟବସ୍ଥା ଏବଂ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ବ ଦିଆଯାଇଥିବା ସମିତି ପକ୍ଷରୁ କୁହାଯାଇଛି ।''

ଏହା ମଧ୍ୟ ପଢନ୍ତୁ-ଆଜି ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ୍

ଅନ୍ୟପଟେ ୨ ବର୍ଷ ପରେ ବିନା କଟକଣାରେ ହେବ ଦୁର୍ଗା ପୂଜା । ଏନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ହେଲେ ବିଏମସିର ଅବ୍ୟବସ୍ଥାକୁ ନେଇ ଚିନ୍ତାରେ କମିଟି । ଝାଡ଼ପଡା ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ରାସ୍ତା ଖାଲ ଖମାର ସାଙ୍ଗକୁ ପାଣିରେ ଭର୍ତ୍ତି ହୋଇଛି ପୁଣି କେଉଁଠି ପିଚୁ ଉଠିଯାଇଛି । ଅନ୍ୟପଟେ ନୟାପଲ୍ଲୀ ପୂଜା ମଣ୍ଡପ ସମ୍ମୁଖ ରାସ୍ତର ଦୃଶ୍ୟ ମଧ୍ୟ ସାମନ । ଖାଲି ଏହି ଦୁଇଟି ନୁହେଁ ରାଜଧାନୀର ଏମିତି ଅନେକ ପୂଜା ମଣ୍ଡପରେ ସମାନ ସମସ୍ୟା । ଭକ୍ତଙ୍କ ସୁବିଧା ପାଇଁ ପୂଜା ପୂର୍ବରୁ ସବୁ ସମାଧାନ ପାଇଁ ବିଏମସି ନିକଟରେ ଦାବି ଜଣାଇଛନ୍ତି ପୂଜା କମିଟି ଗୁଡ଼ିକ ।

ସେପଟେ ପୂଜାକୁ ସଠିକ ପରିଚାଳନା ପାଇଁ ବିଭିନ୍ନ ବିଭାଗ ସହ BMC ସମନ୍ବୟ ବୈଠକ କରିସାରିଛି । ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରାଯାଇଥିବାବେଳେ, ଏବର୍ଷ ରାଜଧାନୀରେ ୧୭୮ଟି ମେଢରେ ପୂଜା ହେବ। ତେଣୁ ଲାଇଟ, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଶାନ୍ତି ଶୃଖଳାରେ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି । ପୂଜା ପୁର୍ବରୁ ରାସ୍ତା ମରାମତି ଓ ମୁକୁଳା ଡ୍ରେନ କାମ ସାରିବା ପାଇଁ ଲକ୍ଷ୍ୟ ରଖିଛି ବିଏମସି ।

୨ ବର୍ଷ ପରେ କୋରୋନା କଟକଣା ହଟିଥିବାରୁ ବେଶ୍‌ ଉତ୍ସାହର ସହ ରାଜଧାନୀବାସୀ ଚାହିଁ ରହିଛନ୍ତି ଦୂର୍ଗା ପୂଜାକୁ । ଚଳିତ ବର୍ଷ ଝାରପଡାରେ ମୀନାବଜାର ସମେତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦଶମୀ ତିଥିରେ ସମିତି ପକ୍ଷରୁ ୪୦ ଫୁଟ ଉଚ୍ଚତାର ରାବଣପୋଡି କର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.