ଜୱାଦ ଉଜାଡିଲା ସୁନାର ଫସଲ: ଋଣ ସୁଝିବା ନେଇ କ୍ଷେତରେ କାନ୍ଦୁଛି ଚାଷୀ

author img

By

Published : Dec 6, 2021, 8:22 PM IST

ଗଜା ହେଲାଣି ଧାନ, ଚାଷୀଙ୍କ ଦାବି କ୍ଷତିପୂରଣ ଓ କୃଷିଋଣ ଛାଡ କରାଯାଉ

ଧାନ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି । ପାଚିଲା ଧାନ ଏବେ ଫିମ୍ପି ଓ ଗଜା ହେବା ପ୍ରାୟ ନିଶ୍ଚିତ। ଧାର କରଜ ଓ ଋଣ କରି ଧାନ ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ। ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଧୋଇନେଇଯାଇଛି ସୁନାର ଫସଲ । ଅଧିକ ପଢନ୍ତୁ

ନିଆଳି: ଧାନ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି। ପାଚିଲା ଧାନ ଏବେ ଫିମ୍ପି ଓ ଗଜା ହେବା ପ୍ରାୟ ନିଶ୍ଚିତ। ଧାର କରଜ ଓ ଋଣ କରି ଧାନ ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ। କିଭଳି ସୁଝିବେ କରଜ ତା’କୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଅଞ୍ଚଳରେ ବ୍ୟାପକ କ୍ଷତି କରିଛି ବାତ୍ୟା ଜଓ୍ବାଦ ।

ଗଜା ହେଲାଣି ଧାନ, ଚାଷୀଙ୍କ ଦାବି କ୍ଷତିପୂରଣ ଓ କୃଷି ଋଣ ଛାଡ କରାଯାଉ

ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷତି କରିଛି ବାତ୍ୟା । ବାତ୍ୟା ଟଳିଗଲା କିନ୍ତୁ ବର୍ଷା ଉଜାଡି ଦେଲା ସୁନାର ଫସଲ । ଚଳିତ ବର୍ଷ ପ୍ରତିକୂଳ ପାଗ ସତ୍ତ୍ବେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ଚାଷୀ । ସମ୍ପୂର୍ଣ୍ଣ ନହେଲେ ମଧ୍ୟ କିଛି ମିଳିବାର ଆଶା ରଖିଥିଲା କିନ୍ତୁ, ବାତ୍ୟା ଜୱାଦ ସବୁକିଛି ନଷ୍ଟ କରିଦେଲା । କିଛି ପାଇବା ଆଶାରେ ତରବରିଆ ଭାବେ ଭିଜିଥିବା ଧାନକୁ ପାଣିରୁ ଛାଣୁଛି ଚାଷୀ । କ’ଣ କରିବ ପ୍ରଥମେ ମରୁଡି ଆଉ ଏବେ ଅଦିନିଆ ଝଡ଼ ।

ଜିଲ୍ଲାର କୋରେଇ ବ୍ଳକରେ ୬ ହଜାର ୧ ଶହ, ଦାନଗଦିରେ ୫ ହଜାର ୩ ଶହ ଓ ସୁକିନ୍ଦାରେ ୬ ହଜାର ୨ ଶହ ହେକ୍ଟର ଜମିରେ ଧାନଚାଷ ହେଇଥିବାବେଳେ ୨୫ ଶତକଡ଼ା ଧାନ ନଷ୍ଟ ହେଇଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ଏଥିସହିତ ପ୍ରତ୍ୟେକ ବ୍ଳକର କୃଷି ଅଧିକାରୀଙ୍କୁ ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା କୃଷି ଅଧିକାରୀ ଶ୍ବେତିଞ୍ଜୟ ଦାସ ସୂଚନା ଦେଇଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲିକ ଏବଂ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.