ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ

author img

By

Published : Oct 2, 2022, 6:44 AM IST

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ
ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ ()

ଆଜିଠୁ ମାସେ ବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଗାଁରୁ ସହର ଗଳି କନ୍ଦି ବୁଲି ବୁଲି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବ ବିଜେଡି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା(Jan Sampark Padyatra) । କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗାନ୍ଧୀ ଜୟନ୍ତୀରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହି ପଦଯାତ୍ରା ଆରମ୍ଭ ହେବ । ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଚାଲିବ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା ଆରମ୍ଭ ହେବ । ଏହାସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ବିଜେଡି ସୁପ୍ରିମୋ ଦଳୀୟ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେବେ । ଏନେଇ ଗତ 29 ଓ 30 ତାରିଖ ଧରି ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।

ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କ ସହ ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଜୁ ଜନତା ଦଳ ଅକ୍ଟୋବର 2 ‘ଗାନ୍ଧୀ ଜୟନ୍ତୀ’ରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର 2 ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର 9 ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ’ ଏବଂ ଅକ୍ଟୋବର 11 ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ । ଏ ବର୍ଷର ‘ଜନ ସମ୍ପର୍କ ପଦଯାତ୍ରା’ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ।

ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡ଼ରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ବିଧାକୟ ପ୍ରାର୍ଥୀ ଏବଂ ଜିଲ୍ଲାସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସଂପର୍କ ପଦଯାତ୍ରାକୁ ପୂର୍ବ ପ୍ରାଣରେ ସଫଳ କରାଇବେ । ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନସମ୍ପର୍କ ପଦଯାତ୍ରା’ରେ ଯୋଗ ଦେବେ ।

ଏହାମଧ୍ୟ ପଢନ୍ତୁ: କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ! ଆଦାନୀର ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ ?

ଏହାସହିତ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏବଂ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ୟେକ ସ୍ଥାନରେ ଯୋଗ ଦିଅନ୍ତି, ତାହା ସୁନିଶ୍ଚିତ କରିବେ । ପଦଯାତ୍ରା ଅବଧି ମଧ୍ୟରେ ପଡୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ‘ଜନସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଏବଂ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ‘ଜନସଂପର୍କ ପଦଯାତ୍ରା ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।

ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହାବ୍ୟତୀତ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରାଯିବ । ନଭେମ୍ବର 2 ତାରିଖରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହିବେ । ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବେ । ଏଥିସହ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ସମୁହ ଶପଥ ଗ୍ରହଣ ପୂର୍ବକ ଏହି ମାସବ୍ୟାପୀ ପଦଯାତ୍ରାର ପରିସମାପ୍ତି କରାଯିବ । ଏ ସମସ୍ତ କାର୍ଯ୍ୟ କିଭଳି ସୁଚାରରୂପେ ପ୍ରତ୍ୟେକ ସ୍ତରରେ ସଂପନ୍ନ ହେଲା, ତା’ର ସବିଶେଷ ବିବରଣୀ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.