କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ! ଆଦାନୀର ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ ?

author img

By

Published : Oct 1, 2022, 6:24 PM IST

Etv Bharat

କୋଟିଆରେ ଆନ୍ଧ୍ର ସରକାର ଆଦାନୀ ଗ୍ରୁପ ସହିତ ଚୁକ୍ତିନାମା ସ୍ବାକ୍ଷର କରି କରୁଛି ଜଳବିଦ୍ୟୁତ ପ୍ରକଳ୍ପ । ଓଡିଶା ସୀମା ଭିତରେ ହେଉଛି ଜଳ ବିଦ୍ୟୁତ ପ୍ରକଳ୍ପ ! ଓଡିଶା ମାଟିରେ ସବୁ ହେଉଛି । କିନ୍ତୁ ପ୍ରଶ୍ନ ଓଡିଶା ମାଟିରେ ପ୍ରକଳ୍ପ ହୋଇ କାହିଁକି ସୁବିଧା ପାଇବନି ଓଡିଶା ? ଅଧିକ ପଢନ୍ତୁ

ଭୁବନେଶ୍ବର/କୋରାପୁଟ: କୋଟିଆକୁ ନେଇ ଶେଷ ହେଉନାହିଁ ଆନ୍ଧ୍ରର ଷଡଯନ୍ତ୍ର । ପୁରା କୋଟିଆକୁ ଅକ୍ତିଆର କରିବା ପାଇଁ ଚଳାଇଛି ଯୋଜନା ପରେ ଯୋଜନା । ଏବେ ବୃହତ ପ୍ରକଳ୍ପ କରି ନିଜ ଉପସ୍ଥିତିକୁ ସୁଦୃଢ କରିବା ପାଇଁ ଯୋଜନା କରିଛନ୍ତି ଆନ୍ଧ୍ର ସରକାର । ଯୋଜନା ଅନୁସାରେ କୋଟିଆରେ ତଥା ଓଡିଶା ମାଟିରେ ଆନ୍ଧ୍ର ସରକାର କରିବ ଜଳ ବିଦ୍ୟୁତ ପ୍ରକଳ୍ପ । ଏଥିପାଇଁ ଶେଷ ହୋଇଛି ଯୋଜନା । ମଞ୍ଜୁରୀ ହୋଇଛି ଅର୍ଥ । ଆଦାନୀ କମ୍ପାନୀ ଏହି ଜଳ ବିଦ୍ୟୁତ ପ୍ରକଳ୍ପ କରିବାକୁ ଥିବା ବେଳେ ଓଡିଶା ସରକାର କିନ୍ତୁ ଚୁପ ରହିଛନ୍ତି ।

କୋଟିଆରେ ଆନ୍ଧ୍ର ଆଦାନି ସହାୟତାରେ କରୁଛି ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ?

ଘଟଣା ଅନୁସାରେ କୋଟିଆରେ ଆନ୍ଧ୍ର ସରକାର ଆଦାନୀ ଗ୍ରୁପ ସହିତ ଚୁକ୍ତିନାମା ସ୍ବାକ୍ଷର କରି କରୁଛି ଜଳବିଦ୍ୟୁତ ପ୍ରକଳ୍ପ । ଓଡିଶା ସୀମା ଭିତରେ ହେଉଛି ଜଳ ବିଦ୍ୟୁତ ପ୍ରକଳ୍ପ । ଓଡିଶା ମାଟିରେ ସବୁ ହେଉଛି । କିନ୍ତୁ ପ୍ରଶ୍ନ ଓଡିଶା ମାଟିରେ ପ୍ରକଳ୍ପ ହୋଇ କାହିଁକି ସୁବିଧା ପାଇବନି ଓଡିଶା । ଏହି ଜଳବିଦ୍ୟୁତ ପ୍ରକଳ୍ପ ହେଲେ ଦୁଇଟି ଡ୍ୟାମ ନିର୍ମାଣ ହେବ । ଉପର ଡ୍ୟାମ ଏବଂ ତଳ ଡ୍ୟାମ । ପନିକି ଠାରୁ ଗାଲିଗବଦର ମଧ୍ୟରେ ଉପର ଡ୍ୟାମ ନିର୍ମାଣ ହେଉଥିବା ବେଳେ ନେରେଡି ବାଲସା, ତାଡି ବାଲସାରେ ନିର୍ମାଣ ହେବ ତଳ ଡ୍ୟାମ । ଆନ୍ଧ୍ର ପ୍ରସ୍ତାବିତ ଏହି ଜଳବିଦ୍ୟୁତ ପ୍ରକଳ୍ପ ହେଲେ ବୁଡିଯିବ 5 ଗାଁ । ନେରେଡି ବାଲସା, ତାଡି ବାଲସା, ଆର୍ଜୁ ବାଲସା, ଝିଙ୍କର ବାଲସା ଏବଂ ଅନ୍ୟ ଏକ ଗାଁ । ପ୍ରାୟ 2ହଜାର ବର୍ଷ ଧରି ନେରେଡି ବାଲସାରେ ପୂଜା ପାଇ ଆସୁଥିବା ଶାଙ୍କୁଶ ମାଙ୍କ ଆସ୍ଥାନ ଜଳମଗ୍ନ ହେବ । ଶ୍ରୀପତିତପାବନ ମହାପ୍ରଭୁଙ୍କ ଆସ୍ଥାନ ବି ଜଳମଗ୍ନ ହେବ । ଡ୍ୟାମ ରିଜର୍ଭର ଓଡିଶା ସୀମାରେ ହେଉଛି କିନ୍ତୁ ଓଡିଶା ଏଥିରୁ କୌଣସି ଲାଭ ପାଉନାହିଁ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡା । ତେବେ ଏହି ପ୍ରକଳ୍ପରେ ଓଡିଶା ସରକାରଙ୍କ ସହମତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ, 21 ନଭେମ୍ବର 2021ରେ ଆନ୍ଧ୍ରର ଅଧିକାରୀମାନେ ଦେଓମାଳି ଓ ଗାଲିଗବଦରରେ ବଣଭୋଜି କରିବା ବାହାନାରେ ହିଁ ଏହି ଜଳବିଦ୍ୟୁତ ପ୍ରକଳ୍ପର ମଞ୍ଜି ବୁଣିଥିଲେ । ଏସମ୍ପର୍କିତ ସମସ୍ତ ତଥ୍ୟ ଓଡିଶା ସରକାର ଗଣମାଧ୍ୟମ ଜରିଆରେ ଅବଗତ ଅଛନ୍ତି । ତଥାପି ଓଡିଶା ସରକାର ଏହି ପ୍ରକଳ୍ପକୁ ନେଇ ମୁହଁ ନ ଖୋଲି ଚୁପ ବସିଛନ୍ତି । ଓଡିଶା ସରକାର ଓଡିଶା ମାଟିରେ ଆନ୍ଧ୍ରପ୍ରଦେଶ ଓ ଆଦାନୀ ଗୃପର ସହଭାଗିତାରେ ହେଉଥିବା ଜଳବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି କୌଣସି ମନ୍ତବ୍ୟ ଦେଇନାହାନ୍ତି । ସରକାରୀ ଦଳର ନେତା ମାନେ ବି ଅସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । ଓଡିଶା ସରକାର ଚାହିଁଲେ ଆନ୍ଧ୍ର ପ୍ରଦେଶର ଏହି ପ୍ରକଳ୍ପ ସ୍ଥିତାବସ୍ଥାର ଖୋଲା ଉଲ୍ଲଙ୍ଘନ ବୋଲି ସୁପ୍ରିମକୋର୍ଟରେ ଫେରାଦ ହୋଇପାରିବେ । କିମ୍ବା ଜଳମଗ୍ନ ହେବାକୁ ଥିବା ଗ୍ରାମବାସୀ ଏହି ପ୍ରକଳ୍ପ ବିରୋଧରେ ଆଇନ ଅଦାଲତର ଆଶ୍ରୟ ନେଇପାରିବେ । ହେଲେ ଓଡିଶା ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ଅଭିଯୋଗ ହୋଇଛି ।

କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲା ବିଚାରଧିନ ରହିଛି । ଏହାସତ୍ବେ ଆନ୍ଧ୍ର ସରକାର ନିଜର ଷଡଯନ୍ତ୍ର ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.