ETV Bharat / city

ଭାରତ ବନ୍ଦ; ଜାଣନ୍ତୁ ଓଡିଶାରେ କେମିତି ରହିଛି ପ୍ରଭାବ ?

author img

By

Published : Sep 27, 2021, 6:54 AM IST

Updated : Sep 27, 2021, 8:27 PM IST

ଭାରତ ବନ୍ଦ; ଜାଣନ୍ତୁ ଓଡିଶାରେ କେମିତି ରହିଛି ପ୍ରଭାବ
ଭାରତ ବନ୍ଦ; ଜାଣନ୍ତୁ ଓଡିଶାରେ କେମିତି ରହିଛି ପ୍ରଭାବ

20:17 September 27

ଘସିପୁରା ବ୍ଲକ କଂଗ୍ରେସର ଭାରତ ବନ୍ଦ ପାଳନ

ଘସିପୁରା ବ୍ଲକ କଂଗ୍ରେସର ଭାରତ ବନ୍ଦ ପାଳନ

ଆନନ୍ଦପୁର: ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ ଏନେଇ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ନେତୃତ୍ବରେ ୨୦ ନମ୍ବର ଜାତୀୟ ରାଜପଥ ଜର୍ଦା, ସାଇଁକୂଳ, ଗୋହିରା ଛକ ନିକଟରେ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  

ପେଟ୍ରୋଲ, ଡିଜେଲେ ଓ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦ ଏବଂ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ କରାଯାଇଛି। ଏଥିରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବନ୍ଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

20:16 September 27

ଜଗତସିଂହପୁରରେ ଭାରତ ବନ୍ଦ ବିଫଳ

ଜଗତସିଂହପୁର ସହରରେ ଭାରତ ବନ୍ଦ ବିଫଳ

ଗତସିଂହପୁର: ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଜଗତସିଂହପୁର ସହରରେ ବିଫଳ ହୋଇଛି। ସକାଳ ୯ଟା ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ପୋଷ୍ଟ ଅଫିସ ଛକ ପାଖରେ ପିକେଟିଂ କରାଯାଇଥିଲା। ହେଲେ 10ଟା ବେଳକୁ କୌଣସି ସଂଗଠନର ଦେଖା ମିଳିନଥିଲା। ଯାହାକୁ ନେଇ ଜଗତସିଂହପୁର ସହରରେ ଯାନବାହାନ ଚଳାଚଳ ସ୍ୱାଭାବିକ ଥିବା ବେଳେ ସମସ୍ତ ଦୋକାନ ବଜାର ମଧ୍ୟ ଖୋଲା ରହିଥିଲା।

ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରାଯାଉଥିବା ବେଳେ ଶତାଧିକ କର୍ମକର୍ତ୍ତାଙ୍କୁ ପୋଲିସ ଅଟକାଇଥିଲା। କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି, କୃଷି ଆଇନ ପ୍ରତ୍ୟାହାର ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ସଦର ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଥିଲା। ପୋଲିସ ସେଠାରେ ପହଞ୍ଚି ତାଲାଖୋଲି ତହସିଲ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ଖବର ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

20:15 September 27

ବଲାଙ୍ଗୀରରେ କୃଷକ ସଙ୍ଗଠନର ଭାରତ ବନ୍ଦ ପ୍ରଭାବ

ବଲାଙ୍ଗୀରରେ କୃଷକ ସଙ୍ଗଠନର ଭାରତ ବନ୍ଦ ପ୍ରଭାବ

ବଲାଙ୍ଗୀର: କୃଷକ ସଙ୍ଗଠନର ଭାରତ ବନ୍ଦ ପ୍ରଭାବ ବଲାଙ୍ଗୀରରେ ମଧ୍ଯ ଦେଖିବାକୁ ମିଳିଛି । ଆଜି ସକାଳ ୬ଟାରୁ ସହରରେ ବିଭିନ୍ନ ଜାଗାରେ ପିକେଟିଂ କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସ୍କୁଲ କଲେଜ, ଦୋକାନ, ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବସ, ବ୍ୟାଙ୍କ, ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ ସବୁ ବନ୍ଦ ରହିଛି। 

ଅନ୍ୟପଟେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୋଦି ସରକାରଙ୍କ ବିରୋଧରେ ଭାରତ ବନ୍ଦ ନାରାବାଜି କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟପଟେ ଏହି ୧୨ ଘଣ୍ଟିଆ ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି  କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

20:13 September 27

ବ୍ୟାସନଗର ପୌରପରିଷଦରେ କଂଗ୍ରେସର ବନ୍ଦ

ବ୍ୟାସନଗର ପୌରପରିଷଦରେ କଂଗ୍ରେସର ବନ୍ଦ

ଯାଜପୁର: ଆଜି ବ୍ୟାସନଗର ପୌରପରିଷଦରେ କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ ଓ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ବରେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ଭାରତ ବନ୍ଦକୁ ସମର୍ଥନ ଜଣାଇଥିଲେ । ସକାଳୁ ସମସ୍ତ ବ୍ୟାଙ୍କ ଖୋଲା ଥିବା ଦେଖି କଂଗ୍ରେସ କର୍ମୀମାନେ ପିକେଟିଂ କରି ବ୍ୟାଙ୍କକୁ ଯାଇ ବ୍ୟାଙ୍କ ବନ୍ଦ କରିବାକୁ ଅଧିକାରୀଙ୍କୁ ଜୋର ଜବରଦସ୍ତ କରୁଥିବା ଦେଖିବାକୁ ମିଳିଥିଲା ।  

ଏଥିସହିତ ଏହି କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ଆଇନ ବିରୁଦ୍ଧରେ ନାରାବାଜି କରିବା ସହିତ ଏହି ଆଇନକୁ ପ୍ରତ୍ୟାହୃତ କରିବାକୁ ଚେତାବନୀ ଦେଇଥିଲେ। ଆଜି ବ୍ୟାସନଗର ପୌରପରିଷଦର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ ଓ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ତ୍ବରେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ଭାରତ ବନ୍ଦକୁ ସମର୍ଥନ ଜଣାଇଥିଲେ । ସେହିପରି ଯାଜପୁର ରୋଡ ଅଞ୍ଚଳରେ ଏସୟୁସିଆଇ ରାଜ୍ୟ କମିଟି ସଭ୍ୟ ବିଜୟନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଗୋପବନ୍ଧୁ ଛକରୁ ଏକ ଶୋଭାଯାତ୍ରା ବାହାର କରି ପୁରା ସହର ପରିକ୍ରମା କରିବା ସହିତ କେନ୍ଦ୍ରସରକାରଙ୍କ କୃଷି ଓ ଶ୍ରମ ଆଇନ ବିରୁଦ୍ଧରେ ନାରାବାଜି କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

20:12 September 27

ଭାରତବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଭାରତବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ବ୍ରହ୍ମପୁର: ଭାରତବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଧର୍ମଘଟ କରାଯାଇଛି । ସାରା ଦେଶରେ ୪୩ ଗୋଟି ଗ୍ରାମୀଣ ବ୍ୟାଙ୍କର କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ ଅଫିସର ତଥା ସେବା ନିବୃତ ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ।  

ମନିଟାଇଞ୍ଜେସନ୍ ନାମରେ ରାଷ୍ଟ୍ରାୟତ୍ତ ଶିଳ୍ପକୁ ଘରୋଇ ମାଲିକାନା ହାତରେ ଟେକିଦେବା, ଗ୍ରାମୀଣ ବ୍ୟାଙ୍କରୁ ସରକାରଙ୍କ ପ୍ରସ୍ଥାବିତ ପୁଞ୍ଜି ପ୍ରତ୍ୟାହରକୁ ଦୃଢ ଭାବେ ବିରୋଧ କରିବା, ଗ୍ରାମୀଣ ବ୍ୟାଙ୍କରେ ନୂତନ ମଞ୍ଜୁରୀ ନିର୍ଦ୍ଧାରଣ ବା ୱେବବାଇପାଟ୍ରିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା, ଦେଶରେ ରହିଥିବା ସମସ୍ତ ୪୩ ଗୋଟି ଗ୍ରାମ୍ୟ ବ୍ୟାଙ୍କକୁ ମିଶାଇ ଏକ ବୃହତ୍ ଜାତୀୟ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରିବା, ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, କାର୍ଯ୍ୟନିବୃତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନରେ ସମାନତା ଆଣିବା ଭଳି ୬ ଗୋଟି ପ୍ରମୁଖ ଦାବିକୁ ନେଇ ସମଗ୍ର ଦେଶରେ ୨୫୦୦୦ରୁ ଉର୍ଦ୍ଧ୍ବ ଶାଖାର ସମସ୍ତ କର୍ମଚାରୀ ଏଭଳି ଦିନିକିଆ ଧର୍ମଘଟରେ ସାମିଲ ହୋଇଥିଲେ । ବ୍ରହ୍ମପୁରର ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ଆୟୋଜିତ ବିକ୍ଷୋଭରେ ଏନେଇ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ    

18:47 September 27

ବସ୍ତି ସୁରକ୍ଷା ମଞ୍ଚର ନୟାପଲ୍ଲୀ କ୍ରାଉନ ହୋଟେଲ ଠାରେ ବନ୍ଦ ପାଳନ

ବସ୍ତି ସୁରକ୍ଷା ମଞ୍ଚର ନୟାପଲ୍ଲୀ କ୍ରାଉନ ହୋଟେଲ ଠାରେ ବନ୍ଦ ପାଳନ

ଭୁବନେଶ୍ବର: ବସ୍ତି ସୁରକ୍ଷା ମଞ୍ଚ ନୟାପଲ୍ଲୀର କ୍ରାଉନ ହୋଟେଲ ଠାରେ ବନ୍ଦ ପାଳନ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିବା ସହ ସରକାର ବିରୋଧୀ ନାରାବାଜି କରିଥିଲେ । ବର୍ଷା ସତ୍ତ୍ବେ ମଧ୍ୟ ରାସ୍ତାରେ ବସିରହି ଆନ୍ଦୋଳନ କରିଥିଲେ। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରି ଗରିବ ଲୋକଙ୍କ ଦୁଃଖକୁ ସରକାର ବୁଝନ୍ତୁ ବୋଲି କହିଥିଲେ ବସ୍ତିସୁରକ୍ଷା ମଞ୍ଚର ସଭାପତି ପ୍ରମିଳା ବେହେରା।

ଭୁନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

18:44 September 27

ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ

ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦେଶବ୍ଯାପୀ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ବନ୍ଦ ପାଳନ ବେଳେ ରାଜ୍ୟର ବିଭିନ ପ୍ରାନ୍ତରୁ ଓ ରାଜ୍ୟ ବାହାରରୁ ଆସିଥିବା ଯାତ୍ରୀମାନଙ୍କୁ ବରମୁଣ୍ଡା ବସ ଷ୍ଟାଣ୍ଡରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।  

ପୂର୍ବରୁ ଟ୍ରେନର ଯେଉଁ ଲୋକମାନେ ଆସିଯାଇଥିଲେ, ସେମାନେ ବସ ଚଳାଚଳ ବନ୍ଦ ଯୋଗୁଁ ଭୁବନେଶ୍ବରର ବିଭିନ୍ନ ବସଷ୍ଟାଣ୍ଡରେ ଘରକୁ ଯିବାପାଇଁ ଚାହିଁ ରହିଥିବା ବେଳେ କେତେବେଳେ ବସ ଯିବ ଅନିଶ୍ଚିତତାରେ ରହି ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ଏହାସହ ବାତ୍ୟାର ପ୍ରଭାବ ଯୋଗୁଁ ଗୋଟେ ପଟେ ଟ୍ରେନ ବିଳମ୍ବ ଏପଟେ ବର୍ଷା ହେଉଥିବାରୁ ଛୁଆ ଓ ପରିବାର ସହ ଅପେକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ଯାତ୍ରୀ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

18:43 September 27

କେନ୍ଦ୍ରାପଡାରେ ଭାରତ ବନ୍ଦ ସଫଳ

କେନ୍ଦ୍ରାପଡାରେ ଭାରତ ବନ୍ଦ ସଫଳ

କେନ୍ଦ୍ରାପଡା: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ କେନ୍ଦ୍ରାପଡାରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ କୃଷକ ସଙ୍ଗଠନ ସାମିଲ ହୋଇ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଅନ୍ୟ ୨୧ ଗୋଟି ଦାବି ରଖିଛନ୍ତି।  

ଆନ୍ଦୋଳନକାରୀ ମାନେ କେନ୍ଦ୍ରାପଡା ତିନିମୁହାଣୀ ଛକରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ କେନ୍ଦ୍ରାପଡ଼ା ଟାଉନର ଦୁହୁରିଆ, ଗୋପ, ପୁରୁଣା ବସଷ୍ଟାଣ୍ଡ, ଶାନ୍ତି ସାହି ପ୍ରଭୃତି ସ୍ଥାନରେ ମଟର ସାଇକେଲ ଶୋଭାଯାତ୍ରା କରି ଦୋକାନ ବଜାର ବନ୍ଦ କରିଥିଲେ। ସହରରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିବା ବେଳେ ଗାଡି ମୋଟର ଚଳାଚଳ ସ୍ବାଭାବିକ ରହିଥିଲା।  

ତେବେ ବନ୍ଦକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କେତେକ ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରିଥିଲେ। ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ଵୟ ସମିତି, ଓଡିଶା କୃଷକ ସଭା, ଅଖିଳ ଭାରତ କୃଷକ ସଭା, କଂଗ୍ରେସ, ସିପିଆଇ, ସିପିଏମ୍ ପ୍ରଭୃତି ବନ୍ଦରେ ସାମିଲ ହୋଇଥିଲେ। କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ସିପିଆଇ ଏମ୍ ନେତା ଗୟାଧର ଧଳ, ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ବନ୍ଦର ନେତୃତ୍ତ୍ବ ନେଇଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

18:39 September 27

ରାଜଧାନୀରେ ଛାତ୍ର କଂଗ୍ରେସର ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ

ରାଜଧାନୀରେ ଛାତ୍ର କଂଗ୍ରେସର ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ

ଭୁବନେଶ୍ବର: ଆଜି 10 ଘଣ୍ଟିଆ ବନ୍ଦର ପ୍ରଭାବ ଦେଖବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ରାଜଧାନୀର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଛାତ୍ର କଂଗ୍ରେସର ସଦସ୍ୟ ମାନେ ଉତ୍ତରା ଛକ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦକୁ ସମର୍ଥନ କରିବା ସହ ସହଯୋଗ କରିଥିଲେ । ଛାତ୍ର କଂଗ୍ରେସ ସଭାପତି ୟାସୀର ନଓ୍ବାଜ ସେଠାରେ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦକୁ ସ୍ୱାଗତ କରିଥିଲେ । ଛାତ୍ର କଂଗ୍ରେସର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

16:33 September 27

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ

ଅନୁଗୋଳ: ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ କୃଷକ ସଙ୍ଗଠନ, ଶ୍ରମିକ ସଂଗଠନ ଏବଂ ଜିଲ୍ଲା କଂଗ୍ରେସ ମିଳିତ ଭାବେ ବନ୍ଦ ପାଳନକୁ ସଫଳ କରିଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ବନ୍ଦ ପାଳନ କରାଯାଇଛି। ସବୁ ଜାଗାରେ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।  

ଦଳ ଦଳ ହୋଇ ବୁଲି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଜିଲ୍ଲାରେ ଥିବା ବଡ଼ ବଡ଼ ଶିଳ୍ପ ସଂସ୍ଥା ଗୁଡିକୁ ମଧ୍ୟ କର୍ମଚାରୀଙ୍କୁ ଛଡା ଯାଇନଥିଲା। ମୋଟାମୋଟି କହିବାକୁ ଗଲେ ଗାଡି ଚଳାଚଳ, ଦୋକାନ ବଜାର ସବୁ କିଛି ବନ୍ଦ ରହିଥିଲା । ଜିଲ୍ଲାରେ ବନ୍ଦର ପ୍ରଭାବ ସଫଳ ରହିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

16:31 September 27

ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ ଭାରତ ବନ୍ଦ ଏକ ଚକ୍ରାନ୍ତ: ପ୍ରଦୀପ ପୁରୋହିତ

ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ ଭାରତ ବନ୍ଦ ଏକ ଚକ୍ରାନ୍ତ: ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଭାରତ ବନ୍ଦ ଉପରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ଏ ଆନ୍ଦୋଳନ କ’ଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସେ କହିଛନ୍ତି, ସୁପ୍ରିମକୋର୍ଟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି, କେନ୍ଦ୍ର ସରକାର ତ କହୁଛନ୍ତି ଯେ, ଆସି ଆଲୋଚନା କରନ୍ତୁ । କିନ୍ତୁ ଆଲୋଚନା କରୁନାହାଁନ୍ତି କଣ ପାଇଁ ?  

ଭାରତ ବନ୍ଦ ଡାକରା ଦେଇଥିବା ଦଳ ଗୁଡିକ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତାରେ ଅସହିଷ୍ଣୁ ହୋଇପଡିଛନ୍ତି । କଂଗ୍ରେସ ସମେତ କିଛି ଦଳ ଗୁଡିକ ଅସ୍ତିତ୍ଵ ହରାଇଛନ୍ତି । କେବଳ ସ୍ଥିତି ଜାହିର କରିବାକୁ କୃଷି ଆନ୍ଦୋଳନକୁ ଢାଲ କରିଛନ୍ତି । ଆନ୍ଦୋଳନକୁ 10 ମାସ ବିତିଥିଲେ ବି ସେମାନଙ୍କୁ ଜନମତ ମିଳିପାରୁନି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

16:30 September 27

ସମ୍ବଲପୁରରେ ସଂଯୁକ୍ତ କୃଷଜ ମୋର୍ଚ୍ଚାର ବନ୍ଦ ପ୍ରଭାବ

ସମ୍ବଲପୁରରେ ସଂଯୁକ୍ତ କୃଷଜ ମୋର୍ଚ୍ଚାର ବନ୍ଦ ପ୍ରଭାବ

ସମ୍ବଲପୁର: ସମ୍ବଲପୁରରେ ସଂଯୁକ୍ତ କୃଷଜ ମୋର୍ଚ୍ଚାର ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଛି। ସମ୍ବଲପୁରର ବିଭିନ୍ନ ଛକ, ରାଜରାସ୍ତାରେ ଆନ୍ଦୋଳନକାରୀ ମନେ ପିକେଟିଂ କରିଛନ୍ତି। ଏହାସହ ବନ୍ଦର ପ୍ରଭାବରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ଅଫିସ, ବୀମା କାର୍ଯ୍ୟଳୟ ଏବଂ ସ୍କୁଲ-କଲେଜ ଆଜି ବନ୍ଦ ରହିଛି। ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ।  

ରାଜରାସ୍ତା ମଧ୍ୟ ଶୂନଶାନ ହୋଇ ଯାଇଛି। ସମ୍ବଲପୁର କଚେରୀ ଛକରେ ଆନ୍ଦୋଳନକାରୀ ମାନେ ଜଜ ମାନଙ୍କୁ ପିକେଟିଂ କରି ଫେରାଇ ଦେଇଛନ୍ତି। ଫଳରେ କୋର୍ଟ କଚେରୀ ମଧ୍ୟ ବନ୍ଦ ରହିଛି। ଏହି ଆନ୍ଦୋଳନରେ ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, କଂଗ୍ରେସ ପାର୍ଟିର ସମର୍ଥନ ରହିଛି। ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଭିତରେ ସରକାରୀ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ କାର୍ଯ୍ୟକାର୍ତ୍ତ ମାନେ ଏହାର ପ୍ରତିବାଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଘରକୁ ପଠାଇ ଦେଇଥିଲେ।

ଅନ୍ୟପଟେ ସମ୍ବଲପୁର ବରେଇ ପାଳି RMC ଛକରେ ମୁମ୍ବାଇ କୋଲକାତା ରାଜରାସ୍ତାକୁ ଦିନ 10ରୁ 1 ଟା ପର୍ଯ୍ୟନ୍ତ ଚାଷୀମାନେ ଅବରୋଧ କରି ଗାଡି ଚଳାଚଳକୁ ପୁରା ବନ୍ଦ କରି ଦେଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

16:24 September 27

ମାଲକାନଗିରିରେ ଭାରତ ବନ୍ଦ ପ୍ରଭାବ

ମାଲକାନଗିରିରେ ଭାରତ ବନ୍ଦ ପ୍ରଭାବ

ମାଲକାନଗିରି: କେନ୍ଦ୍ର ସରକାର କୃଷକ ମାନଙ୍କ ହିତ ଚାହୁଁନାହାନ୍ତି। ତେଣୁ, ସାରା ଭାରତରେ କେନ୍ଦ୍ର ସରକାର ବିରୋଧରେ (ସିପିଆଇ-ଏମ୍‌) ଗର୍ଜିଥିଲା ଏବଂ ଭାରତ ବନ୍ଦ କରାଯାଇଥିଲା । 

ଯାହାର ପ୍ରଭାବ ମାଲକାନଗିରିରେ ପଡିଥିଲା । ସିପିଆଇ-ଏମ୍‌ କର୍ମୀମାନେ ପିକେଟିଂ କରି ମାଲକାନଗିରି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତାରୋକ କରିଥିଲେ । ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ବସ ଚଳାଚଳ ବନ୍ଦ ରହିବା ସହ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

15:03 September 27

ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ

ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ

ବୌଦ୍ଧ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆଜି ସାରା ଭାରତ ବର୍ଷରେ ବନ୍ଦ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡିମୋଟର ବନ୍ଦ ସହିତ ଦୋକାନ ବଜାର ବନ୍ଦ କରାଯାଇଥିଲା ।  

କିଷାନ କଂଗ୍ରେସ ସହିତ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, କଂଗ୍ରେସ ସେବାଦଳର ସଦସ୍ୟ ମାନେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ ପ୍ରଭୃତି ପିକେଟିଂ କରି ବନ୍ଦ କରିଥିଲେ । ବିଶେଷ ଭାବରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ତିନୋଟି କୃଷି ଆଇନ ପ୍ରଣୟନ କରିନଥିବାରୁ ଏହାକୁ କିଷାନ କଂଗ୍ରେସ ତୀବ୍ର ବିରୋଧ କରିଛି । ତୁରନ୍ତ ଏହି କଳା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କିଷାନ କଂଗ୍ରେସ ଦାବି କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

13:25 September 27

ଭାରତ ବନ୍ଦ ଡାକରାରେ ରାୟଗଡା ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ, ଘରୋଇ ବସ ଚଳାଚଳ ଠପ୍

ଭାରତ ବନ୍ଦ ଡାକରାରେ ରାୟଗଡା ଜିଲ୍ଲା ସମ୍ପୂର୍ଣ ପ୍ରଭାବିତ, ଘରୋଇ ବସ ଚଲାଚଳ ଠପ୍

ରାୟଗଡ଼ା: କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରାରେ ଆଜି ରାୟଗଡ଼ା ଜିଲ୍ଲାରେ ପ୍ରଭାବ ପକାଇଛି । ସ୍ଥାନୀୟ କପିଳାସ ଛକରେ ସିପିଆଇ(ଏମ ଏଲ)ଲିବରେସନ, ଅଖିଳ ଭାରତୀୟ କୃଷକ ମହାସଭା,ଇଣ୍ଡିଆନ ନେସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ଫଳରେ ରାୟଗଡା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭାରତ ବନ୍ଦ ଡାକରା ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏହା ସାଙ୍ଗକୁ ରାୟଗଡା ବସ ଷ୍ଟାଣ୍ଡରୁ ସରକାରୀ କିମ୍ବା ଘରୋଇ କୌଣସି ବସ ଚଳାଚଳ କରୁନାହିଁ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଆନ୍ଦୋଳନ ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ସେହିପରି ଗୁଣୁପୁରର ସଦର ମହାକୁମାରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ପାରମ୍ପରିକ ଢଙ୍ଗରେ ବନ୍ଦ ପାଳନ କରିଥିଲେ ।  

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

13:24 September 27

ନବରଙ୍ଗପୁରରେ ଦୋକାନ ବଜାର ବନ୍ଦ, ଆନ୍ଦୋଳନରେ ଶହଶହ କର୍ମୀ ସାମିଲ

ନବରଙ୍ଗପୁରରେ ଦୋକାନ ବଜାର ବନ୍ଦ, ଆନ୍ଦୋଳନରେ ଶହଶହ କର୍ମୀ ସାମିଲ

ନବରଙ୍ଗପୁର: କୃଷି ଆଇନ ବିରୋଧରେ କୃଷକ ସଂଘ ତରଫରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ପ୍ରବଳ ବର୍ଷା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ଛକ ବିକ୍ଷୋଭ କରିବା ସହ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହାସହ ଆନ୍ଦୋଳନକାରୀ ମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି । ରାସ୍ତା ଅବରୋଧ ଫଳରେ ସହର ମଧ୍ୟ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ସହ ର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଗୁଡିକ ବାଦ ପଡିଛି । ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନକାରୀ କୃଷକ ମାନଙ୍କ ସହିତ ବନ୍ଦରେ ସାମିଲ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

13:24 September 27

ନୟାଗଡ଼ରେ ଯାତାୟାତ ବନ୍ଦ, ହନ୍ତସନ୍ତ ଲୋକେ

ନୟାଗଡ଼ରେ ଯାତାୟାତ ବନ୍ଦ, ହନ୍ତସନ୍ତ ଲୋକେ

ନୟାଗଡ: ଜିଲ୍ଲାରେ ମଧ୍ୟ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି  l ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସମ୍ପର୍ଣ୍ଣ ବନ୍ଦ ରହିଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଆନ୍ଦୋଳନକାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି  l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ରହିଥିବାରୁ ଆନ୍ଦୋଳନ କାରୀମାନେ କାର୍ଯ୍ୟାଳୟ ଭିତରେ ପଶି ବନ୍ଦ କରିଛନ୍ତି । ଏହାସହ ନୟାଗଡ଼ ଟ୍ରାଫିକ ଛକ ନିକଟରେ ଆନ୍ଦୋଳନ କାରୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଥିବାରୁ ଯାତାୟତ ସମ୍ପର୍ଣ୍ଣ ବନ୍ଦ ରହିଛି l ଏହା ଫଳରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି l ଚାଷୀଙ୍କ ଆନ୍ଦୋଳନଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସ ଓ ବିଭିନ୍ନ ରାଜନୈତିକ ଦଳର ନେତା, କଳାକାନୁନ ପ୍ରତ୍ୟାହାର ଓ ଏମଏସପିକୁ ଆଇନ ପରିସର ଭୁକ୍ତ କରିବା ଦାବି କରିଛନ୍ତି ଆନ୍ଦୋଳନ କାରୀମାନେ  l ସେପଟେ ଚାଷୀଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ମଧ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

13:21 September 27

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ

ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି ଢେଙ୍କାନାଳରେ। ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏ ଏହି ୧୦ଘଣ୍ଟିଆ ବନ୍ଦ ଡାକରାରେ କଂଗ୍ରେସ କର୍ମୀ ମାନେ ସାମିଲ ହୋଇଛନ୍ତି । ଏପରିକି କଟକ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ କଲେଜ ବାଏପାସ, ସିମିନଇ ଛକ, କୋରିଆ ଛକ ଆଦି ସ୍ଥାନରେ ନବନିର୍ମାଣ କୃଷକ ସଙ୍ଗଠନ ଓ କଂଗ୍ରେସ କର୍ମୀ ମାନେ ଅବରୋଧ କରିବା ସହ ନାରବାଜି ଦେଇଥିଲେ । ଫଳରେ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ ଠପ ହୋଇଯାଇଛି । ଏପଟେ ଆନ୍ଦୋଳନ କାରୀ ମାନେ ଢେଙ୍କାନାଳ ସହରରେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରୁଥିବା ଦେଖାଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ କିଛି ମାତ୍ରାରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

13:20 September 27

ବରଗଡ଼ରେ ସଫଳ ହେଲା 10 ଘଣ୍ଟିଆ ଭାରତ ବନ୍ଦ ପାଳନ, ବିଭିନ୍ନ ଦଳ କଲେ ସମର୍ଥନ

ବରଗଡ଼ରେ ସଫଳ ହେଲା 10 ଘଣ୍ଟିଆ ଭାରତ ବନ୍ଦ ପାଳନ, ବିଭିନ୍ନ ଦଳ କଲେ ସମର୍ଥନ

ବରଗଡ଼: କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବୀ ସହ ବିମୁଦ୍ରିକରଣ ନାଁରେ ସରକାରୀ ସମ୍ପତିର ଲୁଟକରଣ ପ୍ରତିବାଦରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଛି । ତେବେ ବରଗଡ଼ ଜିଲ୍ଲାରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବରଗଡ଼ ସହରରର ଗାନ୍ଧୀ ଛକ , ଭଟଲି ଛକ ଆଦି ଅନ୍ୟାନ୍ୟ ସ୍ଥାନରେ ରାସ୍ତା ଉପରେ ନିଆଁ ଜାଳି 10 ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବେଳେ ବରଗଡ଼ ସହରର ସମସ୍ତ ଦୋକାନ, ବଜାର, ଅନୁଷ୍ଠାନ ଆଦି ବନ୍ଦ ରହିଛି । ଆଜିର ଏହି ବନ୍ଦ ଡାକରା ଆନ୍ଦୋଳନରେ ଯାନବାହନ ଚଳାଚଳକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ଏବଂ କେବଳ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇ କୋହଳ କରାଯାଇଛି । ଚାଷୀଙ୍କ ଆଜିର ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

12:32 September 27

କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ, ଝାରସୁଗୁଡ଼ାରେ ପିକେଟିଂ କରୁଛନ୍ତି ବିଭିନ୍ନ ଦଳ

କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ, ଝାରସୁଗୁଡ଼ାରେ ପିକେଟିଂ କରୁଛନ୍ତି ବିଭିନ୍ନ ଦଳ

ଝାରସୁଗୁଡ଼ା: କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହାର ପ୍ରଭାର ଝାରସୁଗୁଡା ଜିଲ୍ଳା ସମେତ ଲଖନପୁର ,କୋଲାବିରା ,କିର୍ମିରା ଓ ଲାଇକେର ବ୍ଲକରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ କଂଗ୍ରେସର ବାମଦଳ ସମେତ ବିଭିନ୍ନ ସଂଗଠନ ଏହି ସମର୍ଥନ ଜଣାଇଛନ୍ତି। ସକାଳୁ ସକାଳୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି। ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ପିକେଟିଂ କରୁଛନ୍ତି। ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଥିବା ବେଳେ ଏହି ବନ୍ଦ ଯୋଗୁଁ ଜିଲ୍ଲାରେ ବସ ସେବା ଯାତ୍ରୀ ପରିବହନ ସେବା ତଥା ବ୍ୟାଙ୍କ୍ , ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ରହିଛି ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

12:32 September 27

10 ଘଣ୍ଟିଆ ଭାରତ ବନ୍ଦରେ ଆଂଶିକ ପ୍ରଭାବିତ ହୋଇଛି ସିଲଭରସିଟି

10 ଘଣ୍ଟିଆ ଭାରତ ବନ୍ଦରେ ଆଂଶିକ ପ୍ରଭାବିତ ହୋଇଛି ସିଲଭରସିଟି

କଟକ: କଟକରେ ପଡିଲା ଭାରତ ବନ୍ଦର ପ୍ରଭାବ। କିଷାନଙ୍କ ପକ୍ଷରୁ ଡାକରା ଦିଆଯାଇଥିବା 10 ଘଣ୍ଟିଆ ଭାରତ ବନ୍ଦରେ ଆଂଶିକ ପ୍ରଭାବିତ ହୋଇଛି ସିଲଭରସିଟି । ତେବେ ବନ୍ଦରେ ସାମିଲ ହୋଇଛନ୍ତି ଅନେକ ରାଜନୈତିକ ଦଳ । କେନ୍ଦ୍ର ସରକାରଙ୍କ ଅହେତୁକ ଦର ବୃଦ୍ଧି ଓ ଚାଷୀ ମାରଣ ନୀତି ଯୋଗୁଁ ଏହି ବନ୍ଦ ଡକାରା ଦିଆଯାଇଛି। କାହିଁକିନା କୃଷକ ହେଉଛନ୍ତି ଭାରତ ବର୍ଷର ମେରୁଦଣ୍ଡ । କିନ୍ତୁ କେନ୍ଦ୍ର ସରକାର ଯେଉଁ କଳା ଆଇନ ଆଣିଛନ୍ତି ତାହା କୃଷକମାନଙ୍କ ସମ୍ପୁର୍ଣ୍ଣ ବିପକ୍ଷରେ। ତେଣୁ ଏହି ବନ୍ଦ ହେଉଛି ସରକାରଙ୍କୁ କଡା ଚେତାବନୀ । ତେବେ ଏହି ବନ୍ଦ କଟକର ବିଭିନ୍ନ ଛକରେ ଦୃଶ୍ୟ ହୋଇଛି। ପିକେଟିଂ ଓ ଆନ୍ଦୋଳନ ଜରିଆରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କୃଷକ ଓ ରାଜନୈତିକ ଦଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

12:31 September 27

କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ, ସମର୍ଥନରେ ବିଭିନ୍ନ ରାଜନୈତିକ ଦଳ

କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ, ସମର୍ଥନରେ ବିଭିନ୍ନ ରାଜନୈତିକ ଦଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ। ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭା କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣା ସହର ଘୋଡାଘାଟ ଛକରେ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଯଦ୍ବାରା ଯାନବାହାନ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି। ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା କହିଛନ୍ତି ଆନ୍ଦୋଳନ କାରୀ। ତେବେ କୃଷକ ସଙ୍ଗଠନର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଯଥା ସିପିଆଇ , ସିପିଏମଏଲ , କୃଷକ ସଂଗଠନ ଓ ଜିଲ୍ଲା କଂଗ୍ରେସ କମିଟି ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।  

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

11:33 September 27

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ସହ ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଆଜି ସଂଯୁକ୍ତ କୃଷକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିପରି ରାଜ୍ୟର କଂଗ୍ରେସ ସମେତ ୭ଟି ବାମପନ୍ଥୀ ଦଳ ପକ୍ଷରୁ ୧୭ଦଫା ଦାବି ନେଇ ବନ୍ଦ ପାଳନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ଓ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନ୍ୟାର୍ଯ୍ୟ ଦାବିକୁ ସମର୍ଥନ ଜଣାଇ ରାଜ୍ୟର ନବନିର୍ମାଣ କୃଷକ ସଙ୍ଗଠନ, ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ, ନିଖିଳ ଓଡ଼ିଶା ପେଟ୍ରୋଲ, ଡିଜେଲ ପମ୍ପ ସଂଘ, କ୍ଷେତ ମଜଦୂର ସଂଘ, ଏନସିପି, ସିପିଆଇ, ସିପିଏମ, ସିପିଏମଏଲ ଓ ସମାଜବାଦୀ ପାର୍ଟି ସମର୍ଥନ ଜଣାଇଥିବାବେଳେ କଂଗ୍ରେସ ମଧ୍ୟ ଏହାକୁ ନୈତିକ ସମର୍ଥନ ଜଣାଇଛି। ଭାରତ ବନ୍ଦର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । କଂଗ୍ରେସ, ବାମପନ୍ଥୀ ଦଳ, କୃଷକ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ପାଳନ ହୋଇଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

11:33 September 27

ପୁରୀରେ ଭାରତ ବନ୍ଦ ପାଳନ କଲେ ବିଭିନ୍ନ ସଂଗଠନ, ଖୋଲା ରହିଛି ଦୋକାନ ବଜାର

ପୁରୀରେ ଭାରତ ବନ୍ଦ ପାଳନ କଲେ ବିଭିନ୍ନ ସଂଗଠନ, ଖୋଲା ରହିଛି ଦୋକାନ ବଜାର

ପୁରୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର, ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲର ଦରଦାମ ବୃଦ୍ଧି ବିରୋଧରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି । ବାମପନ୍ଥୀ ଦଳ, ଶ୍ରମିକ ସଂଗଠନ , କୃଷକ ସଂଗଠନ ଏବଂ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଆଜି ଭାରତ ବନ୍ଦ ଡାକରାରରେ ଏହାର ଆଂଶିକ ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି । ପୁରୀ କଚେରୀ ଛକରେ ସିଆଇଟିୟୁ, ସଂଯୁକ୍ତ କୃଷକ ମୋର୍ଚ୍ଚା, ବାମପନ୍ଥୀ ଓ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ କଂଗ୍ରେସ ଦଳ ବନ୍ଦ ଡାକରକୁ ସମର୍ଥନ କରିଥିଲେ ମଧ୍ୟ ପୁରୀରେ ସ୍ବାଭାବିକ ଜୀବନଯାତ୍ରା ଚାଲୁ ରହିଛି। କେବଳ ଶରଧାବାଲି ବସଷ୍ଟାଣ୍ଡରେ ଆଜି ବସ ଚଳାଚଳ ବନ୍ଦ ରହିଥିବା ବେଳେ ରେଳଷ୍ଟେସନରେ ସକାଳୁ ରେଳ ସେବା ଚାଲୁ ରହିଛି । ଅନ୍ୟପକ୍ଷରେ ସହରରେ ଦୋକାନ ବଜାର ଖୋଲା ରହିଛି। ସେହିପରି ଅଟୋରିକ୍ସା, ଚାରିଚକିଆ, ଦୁଇଚକିଆ ଜାନ ମଧ୍ୟ ଚାଲୁରହିଛି। ସମୁଦ୍ରକୂଳରେ ମଧ୍ୟ ସ୍ବାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:57 September 27

ମୟୂରଭଞ୍ଜରେ ଭାରତ ବନ୍ଦର ପ୍ରଭାବ: ରାସ୍ତା ଅବରୋଧ ଯୋଗୁଁ ଅଟକି ରହିଛି ଗାଡ଼ି

ମୟୂରଭଞ୍ଜରେ ଭାରତ ବନ୍ଦର ପ୍ରଭାବ: ରାସ୍ତା ଅବୋରାଧ ଯୋଗୁଁ ଅଟକି ରହିଛି ଶହ ଶହ ଗାଡ଼ି

ବାରିପଦା: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆର୍ଥିକ ନୀତି ସାଙ୍ଗକୁ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଭାରତ ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଆଜି କଂଗ୍ରେସ, ଜେଏମଏମ୍ ସିପିଆଇ, ସିପିଏମ୍ ସହ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ବନ୍ଦ ପାଳନ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସମେତ ଉଦଳା, କରଞ୍ଜିଆ, ରାଇରଙ୍ଗପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏପଟେ ୧୮ ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ଦଳର କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି, ଯାହା ଫଳରେ ଶହ ଶହ ଗାଡି ଅଟକି ରହିଛି। ବାରିପଦା ସହରରେ କର୍ମୀମାନେ ଦୋକାନ ବଜାର ବନ୍ଦ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

10:57 September 27

କୃଷକ ସଂଗଠନ ପକ୍ଷରୁ ସୋନପୁର ବନ୍ଦ ପାଳିତ

କୃଷକ ସଂଗଠନ ପକ୍ଷରୁ ସୋନପୁର ବନ୍ଦ ପାଳିତ

ସବର୍ଣ୍ଣପୁର: ଜିଲ୍ଲା କୃଷକ ସମନ୍ବୟ ସମିତି ପକ୍ଷରୁ ଆଜି(ସୋମବାର) ସୋନପୁରରେ 10 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ,ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ , ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଗାଡି ମୋଟର ସବୁ ବନ୍ଦ କରାଯାଇଛି। କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି । ତେବେ ଏହି ଆନ୍ଦୋଳନକୁ ବାମ ସାମୁଖ୍ୟ, ଟ୍ରେଡ଼ ୟୁନିୟନ, ବଣିକ ସଂଘ ସମେତ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ,ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସହରର ବ୍ଲକ ଛକ, ନଳିନୀ ଛକ, ସୂତା ମିଲ ଛକ ଆଦିରେ ପିକେଟିଂ କରି ରାସ୍ତା ଅବରୋଧ କରାଯାଇଛି। ତେବେ ଦାବି ପୂରଣ ନ ହେଲେ ଆନ୍ଦୋଳନ ପୁନର୍ବାର କରିବେ ବୋଲି ଚେତାବନୀ ଦେଇଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଗୁରୁତ୍ବପୂର୍ଣ୍ଣ ଯାଗା ଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଯାଏଁ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି।

ସବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

10:28 September 27

ବାଲେଶ୍ବରରେ ଭାରତ ବନ୍ଦର ପ୍ରଭାବ: ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ

ବାଲେଶ୍ବରରେ ଭାରତ ବନ୍ଦର ପ୍ରଭାବ: ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ

ବାଲେଶ୍ବର: ଦରଦାମ ବୃଦ୍ଧି ତଥା ସରକାରୀ ସମ୍ପତ୍ତି ଘରୋଇକରଣକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରାର ପ୍ରଭାବ ବାଲେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳେ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ ଅଟକାଇବା ସହ ଦୋକାନ ବଜାର ବନ୍ଦ କରାଇଥିଲେ। ଏହାସହ ଷ୍ଟେସନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରେ ଯାତାୟାତ କରୁଥିବା ଗାଡି ଆଦିକୁ ବନ୍ଦ କରାଇଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

10:26 September 27

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ

ଭଦ୍ରକ: କୃଷି ଆଇନକୁ ବିରୋଧ କରିବା ସହ ତିନି କଳା କୃଷି ଆଇନିଙ୍କୁ ପ୍ରତ୍ୟାହାର କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରା । ତେବେ ଏହି ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଛି । ଜିଲ୍ଲାର ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛନ୍ତି । ସହରର ବନ୍ତ ଛକଠାରେ କର୍ମୀମାନେ ପିକେଟିଂ କରୁଛନ୍ତି । ଏହାସହ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ ନିକଟରେ ଜାତୀୟ ରାଜପଥକୁ  ଅବରୋଧ କରି ଗାଡି ଚଳାଚଳକୁ ବନ୍ଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ କୃଷି ଆଇନକୁ ବିରୋଧ କରି ନାରାବାଜି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

10:02 September 27

ଭୁବନେଶ୍ଵରରେ ଭାରତ ବନ୍ଦ ପ୍ରଭାବ, ମାଷ୍ଟରକ୍ୟାଣ୍ଟିନରେ ଅଟକାଇଲେ ଗାଡି

ଭୁବନେଶ୍ଵରରେ ଭାରତ ବନ୍ଦ ପ୍ରଭାବ, ମାଷ୍ଟରକ୍ୟାଣ୍ଟିନରେ ଅଟକାଇଲେ ଗାଡି

ଭୁବନେଶ୍ବର: ଭାରତବନ୍ଦକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ, ମାଷ୍ଟରକ୍ୟାଣ୍ଟିନରେ ଦେଖିବାକୁ ମିଳିଛି ବନ୍ଦ ସମୟରେ ଦୃଶ୍ୟ। ରାସ୍ତା ଉପରେ ବସିବା ସହ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇଛନ୍ତି ବିଭିନ୍ନ ସଂଗଠନ। କିପରି ‌ଲୋକଙ୍କ ସମସ୍ୟା ପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି ତାହା ବୁଝାଇଛନ୍ତି। ଏଥିସହ ନାରାବାଜି ଜରିଆରେ ସରକାରଙ୍କ ଉପରେ ବର୍ଷିଛନ୍ତି ଏବଂ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ପ୍ରକାଶ ଥାଉକି, ବିବାଦୀୟ ତିନି କୃଷି ଆଇନକୁ ନେଇ ୧୦ ମାସ ହେଲା ଜାରି ରହିଛି ଚାଷୀ ଆନ୍ଦୋଳନ। ଗତ ବର୍ଷ ସଂସଦରେ ବିଲ୍‌ ପାସ ହୋଇଥିଲା। ସେପ୍ଟେମ୍ବର ୨୭ରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ତାର ବର୍ଷ ପୂର୍ତ୍ତିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

10:01 September 27

ବାଣୀବିହାର, ଜୟଦେବବିହାରରେ ଭାରତ ବନ୍ଦର ପ୍ରଭାବ

ବାଣୀବିହାର, ଜୟଦେବବିହାରରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ବର: ତିନି କଳା କୃଷି ଆଇନିଙ୍କୁ ପ୍ରାତ୍ୟହାର କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦର ଡାକରା ଦିଆଯାଇଛି । ତେବେ ଏହାର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି । ଏନେଇ CITU, AIDWA, DYFI ଏହି ତିନି ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ବନ୍ଦକୁ ସଫଳ କରିବାକୁ ଯାଇ ବାଣୀବିହାର ଓ ଜୟଦେବ ବିହାରଠାରେ ରାସ୍ତାରୋକ କରାଯାଇଛି । ଏହାକୁ ନେଇ ସହ ସହ ଗାଡି ରାଜପଥରେ ଅଟକି ରହିଥିଲା । କର୍ମୀମାନେ ସରକାରୀ ବିରୋଧୀ ନାରାବାଜି ଦେବା ସହ କୃଷି ଅଇନ ପ୍ରତ୍ୟାହାର ଏବଂ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବନ୍ଦ କରିବାକୁ ପ୍ରତିକ୍ରିୟା ରଖିଥିଲେ ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

09:59 September 27

ଭାରତ ବନ୍ଦ: କେନ୍ଦୁଝର ଜିଲ୍ଲାରେ ସାମୟିକ ପ୍ରଭାବ

ଭାରତ ବନ୍ଦ: କେନ୍ଦୁଝର ଜିଲ୍ଲାରେ ସାମୟିକ ପ୍ରଭାବ

କେନ୍ଦୁଝର: ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି(ସୋମବାର) ୧୦ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । କେନ୍ଦୁଝର ସହରର ଗାନ୍ଧୀ ଛକଠାରେ ସଂଗଠନ ପକ୍ଷରୁ ପିକେଟିଂ କରିବା ସହ ଗାଡି ମୋଟର ଚଳାଚଳକୁ ବନ୍ଦ କରାଯାଇଛି । ସକାଳୁ କେନ୍ଦୁଝରଗଡ଼ ଷ୍ଟେସନରେ ମାଲବାହୀ ଟ୍ରେନ ଆଗରେ ପିକେଟିଂ କରାଯାଇ ଟ୍ରେନ ବନ୍ଦ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ସଂଗଠନ ପକ୍ଷରୁ କୁହାଯାଇଛି । 

ପ୍ରକାଶ ଯେ, କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ ଯଥା- କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ଆଦି ସମର୍ଥନ ଦେଇଛନ୍ତି। ବନ୍ଦ ସମୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି ବନ୍ଦରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ବସ ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିବେ ବୋଲି ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

07:23 September 27

ଭୁବନେଶ୍ଵର ରେଳ ଷ୍ଟେସନରେ ଭାରତ ବନ୍ଦର ପ୍ରଭାବ, ରେଳଗାଡି ସାମ୍ନାରେ କିଷାନ ମୋର୍ଚ୍ଚାର ହଲ୍ଲାବୋଲ

ଭୁବନେଶ୍ଵର ରେଳ ଷ୍ଟେସନରେ ଭାରତ ବନ୍ଦର ପ୍ରଭାବ, ରେଳଗାଡି ସାମ୍ନାରେ କିଷାନ ମୋର୍ଚ୍ଚାର ହଲ୍ଲାବୋଲ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦ ଓ ରେଳବାୟୀ ଓ ବିମାବନ୍ଦର ଆଦି ଘରୋଇକରଣ ବିରୋଧ କରି ଭାରତବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଯାହାର ପ୍ରଭାବରେ ଭୁବନେଶ୍ଵର ସ୍ଥିତ ରେଳ ଷ୍ଟେସନରେ ରେଳଗାଡି ଆଗରେ କରିଛନ୍ତି ହଲ୍ଲାବୋଲ। ସଂଗଠନର ସଦସ୍ୟମାନେ କୃଷକ ଓ କୃଷି ଆଇନକୁ ବିରୋଧ , ଶ୍ରମିକ ଆଇନ ବିରୋଧୀ ସହ ଦରଦାମ ବୃଦ୍ଧି ଆଦି ପ୍ରତିବାଦରେ ରେଳଗାଡି ଅଟକାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅଲ ଇଣ୍ଡିଆ ଫର ଓ୍ବାର୍ଡ ବ୍ଲକ । ତେବେ ଏନେଇ କିଛି ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

06:19 September 27

ଆଜି 10 ଘଣ୍ଟିଆ ଭାରତ ବନ୍ଦ; ରେଳଗାଡି ସାମ୍ନାରେ କିଷାନ ମୋର୍ଚ୍ଚାର ହଲ୍ଲାବୋଲ

ଭୁବନେଶ୍ବର: ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି(ସୋମବାର) ୧୦ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ, ଯେପରିକି କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ଆଦି ସମର୍ଥନ ଦେଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ବନ୍ଦ ସମୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଏହି ସବୁ ପ୍ରତିଷ୍ଠାନ ଓଡ଼ିଶାରେ ବନ୍ଦ ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି। ବସ ଚଳାଚଳ ମଧ୍ୟ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିବେ ବୋଲି ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି।

Last Updated :Sep 27, 2021, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.