କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ! ବୁଡିଯିବ ଓଡିଶା ଗାଁ

author img

By

Published : Sep 22, 2022, 9:07 PM IST

Updated : Sep 22, 2022, 10:16 PM IST

ବୁଡିଯିବ ଓଡିଶା ଗାଁ

ଓଡିଶାର କୋଟିଆରେ ଆନ୍ଧ୍ର ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ କଲେ ବୁଡିଯିବ 5 ଗାଁ । ଏହା ଜାଣି ସୁଦ୍ଧା କାହିଁକି ବିରୋଧ କରୁନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ହେଉଛି । ଅଧିକ ପଢନ୍ତୁ

କୋରାପୁଟ/ ଭୁବନେଶ୍ବର: ଓଡିଶାର କୋଟିଆରେ ଆନ୍ଧ୍ର ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ କଲେ ବୁଡିଯିବ 5 ଗାଁ । ଏହା ଜାଣି ସୁଦ୍ଧା କାହିଁକି ବିରୋଧ କରୁନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ହେଉଛି । କୋଟିଆରେ ଆନ୍ଧ୍ର ସରକାର କରିବେ ନା ଓଡିଶା ସରକାର କରିବେ । ନା କେନ୍ଦ୍ରୀୟ ସହାୟତାରେ ଉଭୟ ଆନ୍ଧ୍ର ଏବଂ ଓଡିଶା ସହଭାଗିତାରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ । ଆନ୍ଧ୍ର ଏବଂ ଆଦାନୀ ଗ୍ରୁପ ମଧ୍ୟରେ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ଜୁନ 2021ରେ ଚୁକ୍ତି ସ୍ବାକ୍ଷର ହୋଇସାରିଛି । କୋଟିଆ ନେରେଡି ବାଲସା ଏବଂ ତାଡି ବାଲସାରେ ଆନ୍ଧ୍ର ପକ୍ଷରୁ ଗତବର୍ଷ ମାଟି ପରୀକ୍ଷା ମଧ୍ୟ ସରିଛି ।

କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ରୋଜେକ୍ଟ

କାରଣ ଏବେ ଆଶଙ୍କା ହେଉଛି ଯଦି ଏହି ପ୍ରକଳ୍ପ ହୁଏ । ତେବେ ଡ୍ୟାମ ହେବ । ଡ୍ୟାମ ହେଲେ 5ଟି ଗାଁ ନେରେଡି ବାଲସା, ତାଡି ବାଲସା, ଝିଙ୍କର ବାଲସା, ଆରଜୁ ବାଲସା ଏବଂ ଅନ୍ୟ ଏକ ଗାଁ ପାଣିରେ ବୁଡିଯିବ । ଲୋକେ ବିସ୍ଥାପିତ ହେବେ । କ୍ଷତିଗ୍ରସ୍ତ ହେବେ । ଏହା ସ୍ଥିତାବସ୍ଥାର ଉଲ୍ଲଙ୍ଘନ ବୋଲି କହିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡା ।

ଅନ୍ୟପଟେ କୋଟିଆ ପଞ୍ଚାୟତର ନେରେଡି ବାଲସାରେ ଓଡିଶା ସରକାର ଏବଂ ଆଦାନୀ ଗୃପର କର୍ମକର୍ତ୍ତା ଦଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ସ୍ଥାନ ନିରୁପଣ କରିବା ଲାଗି ବୁଲୁଛନ୍ତି । ଯାହା ଅନୁମାନ କରାଯାଉଛି ଆନ୍ଧ୍ର ସରକାରଙ୍କ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରକ୍ରିୟା ତ୍ବରାନ୍ବିତ ହେଉଥିବା ଦେଖି ଓଡ଼ିଶା ସରକାର ଆଗଭର ହୋଇଥିବା ଅନୁମାନ କରାଯାଉଛି । ଓଡିଶାର ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେସନର ଜିଏମ ଏବଂ ଆଦାନୀ ଗୃପର ଡିଜିଏମ । ବଡ କଥା ହେଲା କୋଟିଆବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଶା ସରକାର ସ୍ପଷ୍ଟ କରିବା ଦରକାର ଯେ ଆଗାମୀ ଦିନରେ ଏଠାରେ କଣ ହେବାକୁ ଯାଉଛି । ଯଦି ଆନ୍ଧ୍ର ଏଠାରେ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି ତେବେ ରାଜ୍ୟ ସରକାର ତୁରନ୍ତ ବିରୋଧ କରନ୍ତୁ କିମ୍ବା ଆନ୍ଧ୍ର ସହିତ ମିଶି ବୁଝାମଣାରେ ପ୍ରକଳ୍ପ ତିଆରି ହେଉ । ଯାହା ଦ୍ବାରା ଅଞ୍ଚଳବାସୀ ଲାଭବାନ ହେବେ ଏବଂ ଉଭୟ ରାଜ୍ୟ ମଧ୍ୟ । କିନ୍ତୁ ରାଜ୍ୟ ସରକାର ଏବେବି ଚୁପ ବସିଛନ୍ତି ।

ଏପଟେ ସ୍ଥାନୀୟ ଆଇନଜୀବୀ କହିଛନ୍ତି, "କୋଟିଆରେ ଅନେକ ସମସ୍ୟା ରହିଛି । କୋଟିଆରେ ସରକାର କାହିଁକି କିଛି ଲୁଚାଇ କରୁଛନ୍ତି ? ଯଦି କିଛି ପ୍ରକଳ୍ପ କରୁଛନ୍ତି ସ୍ଥାନୀୟ ଲୋକଙ୍କୁ ବିଶ୍ବାସକୁ ନିଅନ୍ତୁ । କଣ କରିବାକୁ ଚାହୁଁଛନ୍ତି ସ୍ପଷ୍ଟ କରନ୍ତୁ ।" ସେପଟେ ଶକ୍ତି ବିଶେଷଜ୍ଞ କହିଛନ୍ତି, "କୋଟିଆ ଅଞ୍ଚଳରେ ଯେଉଁ ପ୍ରକଳ୍ପ ଯୋଜନା ଚାଲିଛି, ସେଥିରୁ ସ୍ଥାନୀୟ ଲୋକଙ୍କ କିଛି ଲାଭ ହେବ ନାହିଁ । ବଂର ଏହି ପ୍ରକଳ୍ପ ହେଲେ ସ୍ଥାନୀୟ ଅଞ୍ଚଳର ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବ । କୋଟିଆ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଏହା କରିଯିବା ଅନୁଚିତ ।"

ସୂଚନାଯୋଗ୍ୟ ଯେ ଓଡିଶାର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ 5ହଜାର କୋଟି ଟଙ୍କା ବିନିଯୋଗ ହେବାର ପ୍ରସ୍ତାବ ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 2200 ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହେବ । ଏବେ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ଉଭୟ ଆନ୍ଧ୍ର ଓ ଓଡିଶା କସରତ କରିବାକୁ ଆରମ୍ଭ କରିଥିବା ବେଳେ ଆନ୍ଧ୍ର ସରକାର ଆଦାନୀ ସହିତ ଏମଓୟୁ କରିଛି । ଓଡିଶା ସରକାରଙ୍କ କାର୍ଯ୍ୟ ପ୍ରକ୍ରିୟା କିଛି ସ୍ପଷ୍ଟ ହୋଇନାହିଁ । ଏବେ ବଡ଼ ପ୍ରଶ୍ନ ରାଜ୍ୟ ସରକାର ଉତର ରଖିବେ କି ଆଦାନୀ ସହିତ ଏମଓୟୁ କରିଛନ୍ତି କି ନାହିଁ । ଯଦି କରିନାହାନ୍ତି ତେବେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରିବେ କି ରାଜ୍ୟ ସରକାର ।

ଇଟିଭି ଭାରତ, କୋରାପୁଟ

Last Updated :Sep 22, 2022, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.