RBI କାର୍ଡ ଟୋକନ ବ୍ୟବସ୍ଥା କ'ଣ, କିପରି ଏହା ଲାଭଦାୟକ ?

author img

By

Published : Sep 30, 2022, 2:23 PM IST

RBI କାର୍ଡ ଟୋକନ ବ୍ୟବସ୍ଥା କ'ଣ, କିପରି ଏହା ଲାଭଦାୟକ ?

ଅକ୍ଟୋବରରୁ ୧ରୁ ଆରମ୍ଭ ହେବ RBI କାର୍ଡ ଟୋକନ ବ୍ୟବସ୍ଥା । ଜାଣନ୍ତୁ କ'ଣ ଏହି ବ୍ୟବସ୍ଥା ଏବଂ କିପରି ଫାଇଦା ପାଇବେ ଗ୍ରାହକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଯେତେବେଳେ ଆପଣ ଅନଲାଇନ କିଛି ଜିନିଷ କିଣନ୍ତି, ସେହି ସମୟରେ ନିଜ ଡେବିଟ୍ କାର୍ଡ ବା କ୍ରେଡିଟ କାର୍ଡ ବିବରଣୀ ଇ-କମର୍ସ ପ୍ଲାଟଫର୍ମ ସହ ସେୟାର କରିଥାନ୍ତି । ଆପଣଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଡାଟା ପ୍ଲାଟଫର୍ମରେ ସେଭ୍ ହୋଇଯାଇଥାଏ । ଯାହାଫଳରେ ଅନେକ ସମୟରେ ଏହି ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଥାଏ । ତେଣୁ କାର୍ଡ ଟ୍ରାଞ୍ଜାକ୍ସନ/ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) କାର୍ଡଧାରୀଙ୍କ ପାଇଁ ଟୋକନାଇଜେସନ ବା କାର୍ଡ ଟୋକନ ବ୍ୟବସ୍ଥା(Tokenization) ଆଣିଛି ।

ଭବିଷ୍ୟତ ପେମେଣ୍ଟ ପାଇଁ ଅନେକ କାର୍ଡଧାରୀ ସେମାନଙ୍କ କାର୍ଡ ଡାଟାକୁ ମର୍ଚ୍ଚାଣ୍ଟ ୱେବସାଇଟରେ ସେଭ୍ କରି ରଖିଥାନ୍ତି । କେବେ ଯଦି ସେହି ୱେବସାଇଟ ହ୍ୟାକ୍ ହୋଇଯାଏ, ତାହାହେଲେ ଆପଣଙ୍କ ସମ୍ବେଦନଶୀଳ ଡାଟା ମଧ୍ୟ ପଦାରେ ପଡିଯିବ । ତେଣୁ ଗ୍ରାହକଙ୍କ କ୍ରେଡିଟ ଓ ଡେବିଟ କାର୍ଡର ଅପବ୍ୟବହାରକୁ ରୋକିବା ପରିପ୍ରେକ୍ଷୀରେ ଟୋକନ ବ୍ୟବସ୍ଥା ଆଣିଛି ରିଜର୍ଭ ବ୍ୟାଙ୍କ । ନୂଆ ବ୍ୟବସ୍ଥାରେ ଆଉ କୌଣସି କାର୍ଡର ଡାଟା ଯଥା, ୧୬ ଅଙ୍କ ବିଶିଷ୍ଟ ସଂଖ୍ୟା, ନାମ, ଏକ୍ସପାରି ତାରିଖ, CVV କୋଡ୍ ଆଦି ୱେବସାଇଟରେ ସଂରକ୍ଷିତ ରହିବ ନାହିଁ । ଏ ସମ୍ପର୍କିତ ସୂଚନା ବଦଳରେ ଏକ ଟୋକନ ଦିଆଯିବ । ମର୍ଚ୍ଚାଣ୍ଟ ୱେବସାଇଟରେ ସେହି ଟୋକନକୁ ବ୍ୟବହାର କରି କାର୍ଡରେ କାରବାର ହେବ ।

୨୦୨୧ ସେପ୍ଟେମ୍ବରରେ ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ବିଜ୍ଞପ୍ତି ଅନୁଯାୟୀ, ୩୦ ଜୁନ ୨୦୨୨ ପରଠାରୁ କାର୍ଡ ଟ୍ରାଞ୍ଜାକ୍ସନ ବା ପେମେଣ୍ଟରେ କୌଣସି ଡାଟା ଇ-କମର୍ସ ପ୍ଲାଟଫର୍ମ କିମ୍ବା ମର୍ଚ୍ଚାଣ୍ଟ ୱେବସାଇଟରେ ସଂରକ୍ଷିତ ରହିବ ନାହିଁ । ଜୁନ ୩୦ରୁ ପେମେଣ୍ଟ ଏଗ୍ରିଗେଟର ପେମେଣ୍ଟ ପ୍ରୋସେସିଂ ପାଇଁ ଡେବିଟ୍ ଓ କ୍ରେଡିଟ କାର୍ଡ ନମ୍ବର ବଦଳରେ ଟୋକନର ବ୍ୟବହାର କରିବେ । ଅନଲାଇନ ଠକେଇରୁ ଗ୍ରାହକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ନୂଆ କାର୍ଡ ଟୋକନ ବ୍ୟବସ୍ଥା ଲାଗୁ ହେବ ।

ଟୋକନ ବ୍ୟବସ୍ଥା କ'ଣ ?

ଟୋକନାଇଜେସନ ବ୍ୟବସ୍ଥା ଡେବିଟ ବା କ୍ରେଡିଟ କାର୍ଡ ବିବରଣୀକୁ ଅପରେଟିଂ ବ୍ୟାଙ୍କ ଦ୍ବାରା ଜାରି ଟୋକନକୁ ବଦଳାଇବ । ଏହାର ଅର୍ଥ, କୌଣସି ସାମଗ୍ରୀ ପାଇଁ ଅନଲାଇନ ପେମେଣ୍ଟ କରିବା ସମୟରେ ଗ୍ରାହକଙ୍କୁ ଆଉ କାର୍ଡର ୧୬ ଅଙ୍କ ବିଶିଷ୍ଟ ସଂଖ୍ୟା/ଡିଜିଟ୍ ଦେବାକୁ ପଡିବ ନାହିଁ । ଏହି ଟ୍ରାଞ୍ଜାକ୍ସନ ପାଇଁ ବ୍ୟାଙ୍କ ଏକ ଟୋକନ ଜାରି କରିବ । ଯଦ୍ବାରା କାର୍ଡଧାରୀଙ୍କ ସମ୍ବେଦନଶୀଳ ତଥ୍ୟଗୁଡିକ କୌଣସି ମର୍ଚ୍ଚାଣ୍ଟ ସାଇଟ୍‌, ପେମେଣ୍ଟ ଗେଟୱେ କିମ୍ବା କୌଣସି ଥାର୍ଡ ପାର୍ଟି ପ୍ଲାଟଫର୍ମରେ ଉପଲବ୍ଧ ହେବନାହିଁ । ଫଳରେ ଗ୍ରାହକଙ୍କ ଡାଟା ଚୋରି ଭୟ ମଧ୍ୟ ରହିବ ନାହିଁ ।

ଏହା କିପରି କାର୍ଯ୍ୟ କରିବ ?

ଅକ୍ଟୋବର ପହିଲାରୁ ଦେଶରେ କାର୍ଡ ଟୋକନ ବ୍ୟବସ୍ଥା ଆରମ୍ଭ ହେବ । ଏହାଦ୍ବାରା କାର୍ଡର ସବିଶେଷ ଡାଟା କେବଳ ରିଜର୍ଭ ବ୍ୟାଙ୍କ ପାଖରେ ରହିବ । କେହି ମଧ୍ୟ ଆପଣଙ୍କ ଡାଟା ଚୋରି କରିପାରିବେ ନାହିଁ । ସାଇବର ଅପରାଧ, ସୁରକ୍ଷିତ କାର୍ଡ ପେମେଣ୍ଟ ସହ ଗ୍ରାହକ, ମର୍ଚ୍ଚାଣ୍ଟ ଏବଂ ବ୍ୟାଙ୍କଗୁଡିକର ସୁବିଧା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ନୂଆ ବ୍ୟବସ୍ଥା ଆଣିଛି । ଟୋକନାଇଜେସନକୁ କାର୍ଡ ପେମେଣ୍ଟର ଏକ ସୁରକ୍ଷିତ ବିକଳ୍ପ ଭାବେ ବିବେଚନା କରାଯାଉଛି । କାରଣ ପେମେଣ୍ଟ ସମୟରେ ମର୍ଚ୍ଚାଣ୍ଟ ସାଇଟରେ ଆପଣଙ୍କ ପ୍ରକୃତ କାର୍ଡ ବିବରଣୀ ଉପଲବ୍ଧ ହେବ ନାହିଁ । ଏହି ସ୍ଥାନରେ ଟୋକନ କାର୍ଯ୍ୟ କରିବ ।

ଟୋକନାଇଜ ପ୍ରକ୍ରିୟା:

  • ପ୍ରଥମେ କୌଣସି ସାମଗ୍ରୀ କ୍ରୟ ପାଇଁ ଇ-କମର୍ସ ୱେବସାଇଟ ଯାଆନ୍ତୁ ।
  • ପେମେଣ୍ଟ ପ୍ରକ୍ରିୟାରେ ନିଜର କାର୍ଡ ଅପ୍ସନ ଚୟନ କରନ୍ତୁ
  • ସାବଧାନତାର ସହ ଆବଶ୍ୟକୀୟ ସମସ୍ତ ବିବରଣୀ ଦିଅନ୍ତୁ
  • 'ସିକ୍ୟୋର ଇୟୋର କାର୍ଡ ଆଜ ପର୍ ଆରବିଆଇ ଗାଇଡଲାଇନ' ଅପ୍ସନକୁ ଟ୍ୟାପ୍ କରନ୍ତୁ ।
  • ନିଜର ପଞ୍ଜିକୃତ ମୋବାଇନ ଫୋନକୁ ଯେଉଁ ଓଟିପି ଆସିବ ତାହାକୁ ଏଣ୍ଟର କରନ୍ତୁ । ଏହାଦ୍ବାରା ଟୋକନ ଜେନେରେଟ ହୋଇଯିବ ।
  • ଏହାପରେ ଏହି ଟୋକନ ମର୍ଚ୍ଚାଣ୍ଟ ୱେବସାଇଟକୁ ଚାଲିଯିବ ଏବଂ ଆପଣଙ୍କ ବ୍ୟକ୍ତିଗତ କାର୍ଡ ବିବରଣୀ ସ୍ଥାନରେ ଉପଲବ୍ଧ ହେବ

ଯାହାଦ୍ବାରା ପରେ ଗ୍ରାହକ ଇ-କମର୍ସ ଏବଂ ମର୍ଚ୍ଚାଣ୍ଟ ୱେବସାଇଟ ଭିଜିଟ୍ କଲେ ସେଭ୍ କାର୍ଡର ଶେଷ ଚାରି ସଂଖ୍ୟା ପ୍ରଦର୍ଶିତ ହେବ । ଏଥିରୁ ଆପଣ ସୁନିଶ୍ଚିତ ହୋଇଯିବେ ଯେ, ଆପଣଙ୍କ ଡେବିଟ୍ କାର୍ଡ ବା କ୍ରେଡିଟ କାର୍ଡ ଟୋକନାଇଜ୍ ହୋଇଯାଇଛି । ତେବେ ଏହି ଟୋକନ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.