GST କାଉନସିଲ ବୈଠକ: କମିବ ପେଟ୍ରୋଲ-ଡିଜେଲ ଦର !

author img

By

Published : Sep 17, 2021, 5:50 PM IST

GST କାଉନସିଲ ବୈଠକ: କମିବ ପେଟ୍ରୋଲ-ଡିଜେଲ ଦର!

ଦେଶରେ କମିପାରେ ପେଟ୍ରୋଲ-ଡିଜେଲ ଦର । ଆଜି ଲକ୍ଷ୍ନୌ ଠାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରରେ ଆଣିବା ନେଇ ପ୍ରସ୍ତାବ ଉପରେ ହୋଇପାରେ ନିଷ୍ପତ୍ତି । ଯଦ୍ବାରା ତୈଳ ଦର ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀରେ ମଧ୍ୟ କମିପାରେ ଟ୍ୟାକ୍ସ । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଆଜି ଲକ୍ଷ୍ନୌ ଠାରେ ବସିଛି ଜିଏସଟି କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଆଜିର ଏହି ବୈଠକଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଏଥିରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ କିମ୍ବା ନାହିଁ, ତାହା ଉପରେ ବିଚାର କରାଯିବ । ଯଦି ପେଟ୍ରୋଲ-ଡିଜେଲ ଜିଏସଟି ଅଧିନରେ ଆସେ, ତେବେ ଏହି ତୈଳ ଦରରେ ବଡ ହ୍ରାସ ଆସିବା ନେଇ ଅନୁମାନ କରାଯାଉଛି । ଏହାବ୍ୟତୀତ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯିବ । ଯେଉଁଥିରେ ସାଧାରଣ ଲୋକଙ୍କୁ କିଛି ସାମଗ୍ରୀ ଉପରେ ଅଧିକ ଟ୍ୟାକ୍ସ ଦେବାକୁ ପଡିପାରେ । ସେହିପରି କିଛି ଜିନିଷ ଉପରେ ଆଶ୍ବସ୍ତି ମଧ୍ୟ ମିଳିପାରେ ।

କହିରଖୁଛୁ କି, 2020 ମାର୍ଚ୍ଚ ପରଠାରୁ ଜିଏସଟି କାଉନସିଲର ସମସ୍ତ ବୈଠକ ଭର୍ଚ୍ଚୁଆଲ ଯୋଗେ ହେଉଥିବାବେଳେ ଆଜି ପ୍ରଥମ ଥର ଲକ୍ଷୌଠାରେ ସମସ୍ତଙ୍କ ଉପସ୍ଥିତିରେ ବୈଠକ ବସିଛି । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ସକାଳ 11 ଟାରୁ ଆରମ୍ଭ ହୋଇଛି । ଏଥିରେ 28 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ସାମିଲ ହୋଇଛନ୍ତି । ବୈଠକରେ ବହୁ ଜରୁରୀ ନିର୍ଣ୍ଣୟ ନିଆଯିବ । ସେଥିମଧ୍ୟରୁ କିଛିଟାରେ ଗ୍ରାହକଙ୍କ ଉପରେ ବୋଝ କମ୍ ହେବ ତ ଆଉ କିଛି କ୍ଷେତ୍ରରେ ବୋଝ ବଢିପାରେ । କାରଣ ଆଜିର ବୈଠକରେ 50ରୁ ଅଧିକ ବସ୍ତୁ ଏବଂ ସେବା ଦରରେ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ । ଯେଉଁଥିରେ ସବୁଠି ଅଧିକ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲ-ଡିଜେଲରେ ଜିଏସଟି ଲାଗୁ ହେବ ନା ନାହିଁ ।

ବୈଠକରେ ଅନ୍ୟ ପ୍ରମୁଖ ମୁଦ୍ଦା ଏହାମଧ୍ୟ ରହିବ ଯେ, ଜିଏସଟି ଲାଗୁ ହେଲେ ରାଜ୍ୟଗୁଡିକ ସହୁଥିବା କ୍ଷତି ସମ୍ପୂର୍ଣ୍ଣ ରୂପେ କେମିତି ଭରଣା କରିବେ । ପ୍ରକୃତରେ 2017 ଜୁଲାଇ ପହିଲାରେ ଲାଗୁ ହୋଇଥିବା ଜିଏସଟି ଆକ୍ଟରେ କୁହାଯାଇଥିଲା ଯେ, ଜିଏସଟି ଲାଗୁ ହେବା ପରେ ଯଦି ରାଜ୍ୟଗୁଡିକ ଜିଏସଟି କ୍ଷେତ୍ରରେ 14 ପ୍ରତିଶତରୁ କମ୍ ଅଭିବୃଦ୍ଧି ହାସଲ କରନ୍ତି ତେବେ ସେମାନଙ୍କୁ ଆଗାମୀ 5 ବର୍ଷ ଯାଏଁ ଏହି କ୍ଷତି ଭରଣା କରିବା ଲାଗି ଅଟୋମୋବାଇଲ ଓ ତମାଖୁ ଭଳି କିଛି ଉତ୍ପାଦ ଉପରେ ବିଶେଷ ସେସ୍ ଲାଗୁ କରିବା ନେଇ ଅନୁମତି ଦିଆଯିବ ।

ଉପଭୋକ୍ତାଙ୍କ ପାଇଁ ଭଲ ଖବର:

ମେଡିସିନ ଏବଂ କୋଭିଡ ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରାଯାଇପାରେ । ଆଜିର ବୈଠକରେ ମହାମାରୀ ଲାଗି ଉର୍ଦ୍ଧିଷ୍ଟ 11ଟି ମେଡିସିନରେ ଟ୍ୟାକ୍ସ କାଟ କରିବା ସମର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଏହାବ୍ୟତୀତ ଅନ୍ୟାନ୍ୟ ଔଷଧ ସାମଗ୍ରୀ ଉପରେ ମଧ୍ୟ ଜିଏସଟି 12% ରୁ 5%କୁ କମ୍ କରାଯାଇପାରେ ।

ପେଟ୍ରୋଲ-ଡିଜେଲ ଉପରେ ଜିଏସଟି:

ଗତ ଜୁନରେ କେରଳ ହାଇକୋର୍ଟ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଦିଗରେ ବିଚାର କରିବାକୁ ଜିଏସଟି କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କାଉନସିଲକୁ 6 ମାସ ସମୟ ଦେଇଥିଲେ କୋର୍ଟ । ଜାତୀୟ ରାଜଧାନୀରେ ଲୋକେ 101 ଟଙ୍କାରେ ପେଟ୍ରୋଲ କିଣିବା ପାଇଁ ପାଖାପାଖି 60 ଟଙ୍କା ଟ୍ୟାକ୍ସ ଦେଉଛନ୍ତି । ଅନ୍ୟପଟେ ତୈଳ ଉପରେ ଜିଏସଟି ଲାଗୁ କରିବା ପ୍ରସ୍ତାବକୁ ରାଜ୍ୟଗୁଡିକ ବିରୋଧ କରୁଛନ୍ତି । କାରଣ ଏପରି ହେଲେ ରାଜ୍ୟ ରାଜସ୍ବ ବିପୁଳ ପରିମାଣର କ୍ଷତି ସହିବ ।

ଉପଭୋକ୍ତାଙ୍କ ପାଇଁ ଖରାପ ଖବର:

ଜିଏସଟି କାଉନସିଲ ବୈଠକରେ ଉପଭୋକ୍ତଙ୍କ ଉପରେ ବୋଝ ମଧ୍ୟ ବଢିପାରେ । ଫୁଟଉଅର, ଟେକ୍ସଟାଇଲ କ୍ଷେତ୍ରରେ ଟ୍ୟାକ୍ସ ବୃଦ୍ଧି ନେଇ ଅନୁମାନ କରାଯାଉଛି । ଏହାବ୍ୟତୀତ SWIGGY, zomato ଭଳି ଅନଲାଇନ ଖାଦ୍ୟ ବିତରଣ ଆପ୍ସରେ ଖାଦ୍ୟ ବିତରଣ ଉପରେ 5 ପ୍ରତିଶତ ଯାଏଁ ଜିଏସଟି ଲାଗିବା ସମ୍ପର୍କିତ ପ୍ରସ୍ତାବ ଉପରେ ବିଚାର କରାଯିବ । ଯଦି ଏହି ପ୍ରସ୍ତାବକୁ ଅନୁମିତ ମିଳିବ ତେବେ ଅନଲାଇନ ଫୁଡ ଅର୍ଡର କଲେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିପାରେ ।

ଏହାବ୍ୟତୀତ 1 ଲିଟରରୁ କମ୍ ପ୍ୟାକିଂ ହେଉଥିବା ନଡିଆ ତେଳ ଉପରେ ମଧ୍ୟ 18% ଜିଏସଟି ଏବଂ 1 ଲିଟରରୁ ଅଧିକ ପାକିଂରେ 5% ଜିଏସଟି ଲାଗିବା ନେଇ ମଧ୍ୟ ବିଚାର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.