ETV Bharat / bharat

Sister gave Priceless Gift: ରକ୍ଷା ବନ୍ଧନ ପୂର୍ବରୁ ଭାଇକୁ ନୂଆ ଜୀବନ ଦେଲେ ପ୍ରିୟଙ୍କା, ଦାନ କଲେ କିଡନୀ

author img

By ETV Bharat Odisha Team

Published : Aug 29, 2023, 9:27 PM IST

Etv Bharat
Etv Bharat

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭାଇକୁ ନୂଆ ଜୀବନ ଦେଲା ଭଉଣୀ । କିଡନୀ ଦାନ କରି ଚର୍ଚ୍ଚାରେ ଦିଲ୍ଲୀର ପ୍ରିୟଙ୍କା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କାଲି ରାକ୍ଷୀ ପୂର୍ଣ୍ଣିମା । ଭାଇଭଉଣୀର ପବିତ୍ର, ବିଶ୍ବାସ ଓ ପ୍ରେମଭରା ସମ୍ପର୍କକୁ ସାରା ଦେଶ କରିବ ସେଲିବ୍ରେଟ । ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଲୋଡିଥାଏ ସୁରକ୍ଷା । ହେଲେ ଏଠାରେ ଭାଇକୁ ନୂଆ ଜୀବନ ଦେଇଛି ଭଉଣୀ । ଅଙ୍ଗ ଦାନ କରି ଭାଇର ଜୀବନ ବଞ୍ଚାଇଛି ଭଉଣୀ । ରକ୍ଷା ବନ୍ଧନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଦିଲ୍ଲୀ ଅଧିବାସୀ ହରେନ୍ଦ୍ର (୩୫) ପେଶାରେ ଜଣେ ସେଲ୍ସ ମ୍ୟାନ । ୨୦୨୨ରେ ତାଙ୍କୁ ବିନା କାରଣରେ ଥକ୍କା ଲାଗିବା ସହ ଭୋକ ହେଉନଥିଲା । ଏହାପରେ ସେ ଡାକ୍ତରଙ୍କୁ ଦେଖାଇବା ପରେ ସେ କିଡନୀ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହାପରେ ଧୀରେ ଧୀରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ନିୟମିତ ଭାବେ ତାଙ୍କର ଡାଏଲେସିସ କରାଯାଉଥିଲା । ଅସୁସ୍ଥତା କାରଣରୁ ସେ ଚାକିରି ମଧ୍ୟ ଛାଡ଼ିଦେଇଥିଲେ । ଏହାପରେ ସେ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲେ । ହେଲେ ଏହି ସମୟରେ ଭଉଣୀ ହେଲେ ସାହା ।

ଏହା ବି ପଢନ୍ତୁ- ଅନ୍ୟ ମୁହଁରେ ହସ ଫୁ଼ଟାଇବାକୁ ପ୍ରୟାସ, ଅଙ୍ଗ ଦାନ କରି ମହାନତାର ପରିଚୟ ଦେଲେ ଯୁବକ

ହରେନ୍ଦ୍ରଙ୍କ ସାନ ଭଉଣୀ ପ୍ରିୟଙ୍କା (୨୩) ଭାଇକୁ କିଡନୀ ଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଏଥିଲାଗି ସମସ୍ତେ ଖୁସି ହୋଇଥିଲେ । ହେଲେ ପ୍ରିୟଙ୍କା ଗୋଟିଏ କିଡନୀ ଦାନ କରିବା ପରେ ଭବିଷ୍ୟତରେ ତାଙ୍କୁ ଗର୍ଭଧାରଣରେ ସମସ୍ୟା ହେବ ବୋଲି ଅନେକ ଲୋକ କହିଥିଲେ । ହେଲେ କାହା କଥାକୁ ଖାତିର ନ କରି ନିଜ ଭାଇକୁ ଜୀବନ ଦେବା ଲାଗି ସେ ବାହାରିପଡ଼ିଥିଲେ । ଆଉ ଶେଷରେ ଗତ ୧୦ ତାରିଖରେ ସେ ନିଜ ଭାଇକୁ କିଡନୀ ଦାନ କରିଛନ୍ତି । ଏହାପରେ ପୁଣି ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ହରେନ୍ଦ୍ର ।

ଏବେ ହରେନ୍ଦ୍ର ପୁଣି ନିଜ ଚାକିରିକୁ ଫେରିଛନ୍ତି । ରକ୍ଷା ବନ୍ଧନ ପୂର୍ବରୁ ପ୍ରିୟଙ୍କାଙ୍କ ଏହି ତ୍ୟାଗକୁ ପରିବାର ସମେତ ଏବେ ସମସ୍ତେ ପ୍ରଶଂସା କରିଛନ୍ତି । ଆଜିକାଲି ଦୁନିଆରେ ଭାଇ ଭାଇର ଶତ୍ରୁ ହେଉଥିବା ବେଳେ ଏପଟେ କିନ୍ତୁ ପ୍ରିୟଙ୍କା ନିଜ ଭାଇ ପାଇଁ ଦେବଦୂତ ସାଜିଛନ୍ତି । ଫଳରେ ସେ ସମାଜରେ ଏକ ଉଦାହରଣ ପାଲଟିଛନ୍ତି । ଏହି ଅପରେସନ ସଫଳ ହୋଇଥିବା ବେଳେ ଉଭୟ ଭାଇ ଭଉଣୀ ସୁସ୍ଥ ହୋଇଥିବା ପ୍ରାଇମ୍ସ ହସ୍ପିଟାଲର ଡାକ୍ତର କହିଛନ୍ତି । ସେପଟେ କିଡନୀ ଦାନ କରିବା ପରେ ଗର୍ଭଧାରଣରେ କୌଣସି ସମସ୍ୟା ଦେଖାଯାଏ ନାହିଁ ବୋଲି ଡକ୍ଟର ପିପି ବର୍ମା ସ୍ପଷ୍ଟ କରିଛନ୍ତି ।

ଡାକ୍ତରଙ୍କଠାରୁ ଏହି ପଦଟିଏ କଥା ଶୁଣିବା ପରେ ଖୁସିବ୍ୟକ୍ତ କରି ହରେନ୍ଦ୍ର କହିଛନ୍ତି, "ମୋ ଭଉଣୀ ରକ୍ଷା ବନ୍ଧନ ପୂର୍ବରୁ ମୋତେ ଏକ ଅତୁଳନୀୟ, ବହୁମୂଲ୍ୟର ଉପହାର ଦେଇଛି । ଆଉ ମୋ ସହିତ ସର୍ବଦା ଶକ୍ତିର ସ୍ବରୂପିଣୀ ହୋଇ ଠିଆ ହୋଇଛି ।" ସେପଟେ ପ୍ରିୟଙ୍କା ନିଜ ଭାଇର ଜୀବନ ବଞ୍ଚାଇ ବେଶ ଖୁସିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.