ETV Bharat / state

ଅନ୍ୟ ମୁହଁରେ ହସ ଫୁ଼ଟାଇବାକୁ ପ୍ରୟାସ, ଅଙ୍ଗ ଦାନ କରି ମହାନତାର ପରିଚୟ ଦେଲେ ଯୁବକ

author img

By

Published : Jan 2, 2021, 9:51 PM IST

Updated : Jan 2, 2021, 10:18 PM IST

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗାଁର ଦେବାଶିଷ । ନିଜର ସମ୍ପୂର୍ଣ୍ଣ ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅଧିକ ପଢନ୍ତୁ...

ନବରଙ୍ଗପୁର ଅଙ୍ଗ ଦାନ କରି ମହାନତାର ପରିଚୟ ଦେଲେ ଯୁବକ
ନବରଙ୍ଗପୁର ଅଙ୍ଗ ଦାନ କରି ମହାନତାର ପରିଚୟ ଦେଲେ ଯୁବକ

ନବରଙ୍ଗପୁର: କିଏ କହିଲା ମଣିଷର ମୃତ୍ୟୁ ପରେ ତାର ସ୍ଥାନ ସ୍ମଶାନରେ । ଆମେ ଆଜି ବିଂଶ ଶତାବ୍ଦୀର ଦାୟାଦ । ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଫଳରେ ମଣିଷ ମରି ମଧ୍ୟ ଅମର ହୋଇପାରୁଛି । ହେଲେ ଏଥିପାଇଁ ଜଣେ ହୃଦୟବାନ ବ୍ୟକ୍ତି ହେବା ନିହାତି ଆବଶ୍ୟକ। ଏହିପରି ଜଣେ ପରୋପକାରୀ, ହୃଦୟବାନ ବ୍ୟକ୍ତି ହେଉଛନ୍ତି ଦେବାଶିଷ ମହାନ୍ତି । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗାଁରେ । ବାପା ତାଙ୍କର 7 ବର୍ଷ ହେଲାଣି ଆରପାରିରେ, ଦୁଃଖେ କଷ୍ଟେ ବିଧବା ମା’ଙ୍କୁ ନେଇ ଛୋଟ ସଂସାରଟେ। ହେଲେ ତମାମ ଜୀବନ ତାଙ୍କର ‘ମାନବ ସେବା ହିଁ ମାଧବ ସେବା’ ମନ୍ତ୍ରରେ ଅଭିମନ୍ତ୍ରିତ ।

ଅନ୍ୟ ମୁହଁରେ ହସ ଫୁ଼ଟାଇବାକୁ ପ୍ରୟାସ, ଅଙ୍ଗ ଦାନ କରି ମହାନତାର ପରିଚୟ ଦେଲେ ଯୁବକ

ସମାଜ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବନା ନେଇ ସେ କରିଛନ୍ତି ଅଙ୍ଗ ଦାନ । ଆଉ ଏହା ହିଁ ଦେବାଶିଷଙ୍କୁ ଦେଇଛି ଏହି ବସ୍ତୁବାଦି ସମାଜରେ ଏକ ସ୍ବତନ୍ତ୍ର ପରିଚୟ। ସେଥିପାଇଁ ସେ ମୃତ୍ୟୁ ପୂର୍ବରୁ ଅମର ହୋଇଯାଇଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ। ନିଜର ସମସ୍ତ ଅଙ୍ଗଦାନ କରି ଅନ୍ୟ କାହା ଜୀବନରେ ଟିକିଏ ହସ ଫୁ଼ଟାଇବା ପାଇଁ ସ୍ୱଇଛାରେ ଏଭଳି ନିଷ୍ପତ୍ତି ନେଇଥିବା ଦେବାଶିଷ କୁହନ୍ତି।

ବିଶ୍ୱାସ ରହିଛି ଯେ "ଅଙ୍ଗଦାନ ମହତ ଦାନ" । ଜଣେ ବ୍ୟକ୍ତି ମୃତ୍ୟୁ ପରେ ଅମର ରହିବାର ଅନ୍ୟତମ ମହତ ଉପାୟ ହେଉଛି ଅଙ୍ଗଦାନ । ଅନ୍ୟ ର ଉପକାର ପାଇଁ ସବୁ ବେଳେ ଚେଷ୍ଟିତ ଦେବାଶିଷ ଏବେ ଏହି ମହତ୍ କାର୍ଯ୍ୟ ପାଇଁ ଲୋକମାନଙ୍କୁ ଆଗେଇ ଆସିବା ନିମନ୍ତେ ସଚେତନର ବାର୍ତ୍ତା ଦେଇଛନ୍ତି । ଦେବାଶିଷଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ବେଶ୍ ଗର୍ବିତ ।

ଦାନ କରିଥିବା ବ୍ୟକ୍ତି ହିଁ ବୁଝିଥାଏ ଦାନର ମହତ୍ତ୍ବ। ନିଜର ଶରୀର ଦାନ କରି ଆଉ କାହା ମୁହଁରେ ହସ ଦେଖିବା ପାଇଁ ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଅଙ୍ଗଦାନ କରିବାକୁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଦେବାଶିଷ । ଦେବାଶିଷଙ୍କୁ ଅନୁସରଣ କରି ସମାଜସେବା କ୍ଷେତ୍ରରେ ଆଗେଇ ଆସିଛନ୍ତି ଗାଁର କିଛି ଯୁବ ଗୋଷ୍ଠୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jan 2, 2021, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.