ETV Bharat / bharat

କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଅକୁ ଡେଇଁବାକୁ ପସନ୍ଦ କରିବି: ନୀତିନ ଗଡ଼କରୀ

author img

By

Published : Jun 17, 2023, 10:32 PM IST

union minister nitin gadkari recounts offer to join congress
କଂଗ୍ରେସରେ ଯୋଗ ଦେବା ପ୍ରସଙ୍ଗରେ ନୀତିନଙ୍କ ବୟାନ

କଂଗ୍ରେସରେ ଯୋଗ ଦେବା ନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି । ଏହି ଦଳରେ ଯୋଗ ଦେବା ଅପେକ୍ଷା ସେ କୂଅକୁ ଡେଇଁବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କଂଗ୍ରେସରେ ଯୋଗ ଦେବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, " ଜଣେ ନେତା ତାଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଏହି ଦଳରେ ଯୋଗ ଦେବା ଅପେକ୍ଷା କୂଅକୁ ଡେଇଁବାକୁ ପସନ୍ଦ କରିବେ ।"

କେନ୍ଦ୍ରମନ୍ତ୍ରୀ ଦାବି କରି କହିଛନ୍ତି ଯେ, କଂଗ୍ରେସ ଶାସନର ୬୦ ବର୍ଷ ମଧ୍ୟରେ ଯେତେ କାର୍ଯ୍ୟ କରାଯାଇଛି ତା' ତୁଳନାରେ ବିଜେପି ସରକାର ୯ ବର୍ଷ ମଧ୍ୟରେ ଦେଶ ପାଇଁ ଦ୍ବିଗୁଣିତ କାର୍ଯ୍ୟ କରିଛନ୍ତି । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ଭଣ୍ଡାରା ଠାରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏପରି କହିଛନ୍ତି ।

ମହାରାଷ୍ଟ୍ର ଭଣ୍ଡାରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଜେପିରେ ଯୋଗ ଦେବା ସମୟରେ ତାଙ୍କର ପୂରୁଣା ଦିନ ଗୁଡ଼ିକୁ ମନେ ପକାଇଥିଲେ ଏବଂ ଦଳର ଯାତ୍ରା ବିଷୟରେ କହିଥିଲେ । କଂଗ୍ରେସର ଦିବଙ୍ଗତ ନେତା ଶ୍ରୀକାନ୍ତ ଜିଚକର ତାଙ୍କୁ ଦେଇଥିବା ପରାମର୍ଶକୁ ନୀତିନ ମନେ ପକାଇଥିଲେ । ସେ କହିଛନ୍ତି, "ସ୍ବର୍ଗତ ଜିଚକର ଥରେ ମୋତେ କହିଥିଲେ ତୁମେ ଜଣେ ବହୁତ ଭଲ ନେତା ଓ ଦଳର କାର୍ଯ୍ୟକର୍ତ୍ତା । ଯଦି ତୁମେ କଂଗ୍ରେସରେ ଯୋଗ ଦିଅ, ତୁମର ଭବିଷ୍ୟତ ବହୁତ ଉଜ୍ଜଳ ହେବ । କିନ୍ତୁ ମୁଁ କହିଥିଲି, କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଅକୁ ଡେଇଁବାକୁ ପସନ୍ଦ କରିବି । କାରଣ ବିଜେପି ଏବଂ ଏହାର ବିଚାରଧାରା ଉପରେ ମୋର ଦୃଢ ବିଶ୍ବାସ ରହିଛି । ତେଣୁ ମୁଁ ସେହି ଦଳ ପାଇଁ କାର୍ଯ୍ୟ କରିବା ଜାରି ରଖିବି ।"

ଏହା ମଧ୍ୟ ପଢ଼ନ୍ତୁ: Death Threat to Gadkari: ଜେଲରୁ ହତ୍ୟା ଧମକ ଦେଇଥିବା କଏଦୀର ରହିଛି ଦାଉଦ ଲିଙ୍କ୍‌, ଆକ୍ସନରେ NIA

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଗଣତନ୍ତ୍ରର ଇତିହାସକୁ ଭୁଲିଯିବା ଉଚିତ ନୁହେଁ । ଭବିଷ୍ୟତ ପାଇଁ ଅତୀତରୁ ଶିଖିବା ଉଚିତ । ୬୦ ବର୍ଷର ଶାସନ କାଳରେ କଂଗ୍ରେସ 'ଗରିବି ହଟାଓ' ନାରା ଦେଇଥିଲା । କିନ୍ତୁ ବ୍ୟକ୍ତିଗତ ଲାଭ ପାଇଁ ଦଳ ଅନେକ ଶିକ୍ଷାନୁଷ୍ଠାନ ଖୋଲିଥିଲା । ଭାରତକୁ ଏକ ଅର୍ଥନୈତିକ ଶକ୍ତି ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଦେଶର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.