ETV Bharat / bharat

POKରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି, ନିଆଯିବ ଇଣ୍ଟରପୋଲ ସହାୟତା

author img

By

Published : Apr 26, 2023, 4:55 PM IST

POK ରେ ଲୁଚିଥିବା 23 କାଶ୍ମୀର ଆତଙ୍କବାଦୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲା NIA
POK ରେ ଲୁଚିଥିବା 23 କାଶ୍ମୀର ଆତଙ୍କବାଦୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲା NIA

POKରେ ଲୁଚିଥିବା 23 କାଶ୍ମୀର ଆତଙ୍କବାଦୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲା NIA । ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଘାଟି ଛାଡି ପାକିସ୍ତାନ ଅଧିକୃତ କାଶ୍ମୀରରେ ଲୁଚିଛନ୍ତି । ନିଆଯିବ ଇଣ୍ଟରପୋଲ ସହାୟତା । ଅଧିକ ପଢନ୍ତୁ

ଶ୍ରୀନଗର: ଘାଟିରେ ଏକାଧିକ ଆକ୍ରମଣ ଓ ହିଂସା ଘଟାଇ ପାକିସ୍ତାନ ଅଧିକୃତ କାଶ୍ମୀର(POK)ରେ ଆତ୍ମଗୋପନ କରିଥିବା ଆତଙ୍କୀଙ୍କ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଜାରି କଲା ଜାମିନ ବୀହିନ ଗିରଫ ପରଓ୍ବାନା । ଏହି ଆତଙ୍କୀମାନେ ଘାଟିରେ ବହୁ ଆକ୍ରମଣରେ ସାମିଲ ଓ ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଗତ କିଛି ବର୍ଷ ହେବ ପିଓକେରେ ଆତ୍ମଗୋପନ କରିଛନ୍ତି । ପାକିସ୍ତାନ ସେନା ସେମାନଙ୍କୁ ସହଯୋଗ ମଧ୍ୟ କରୁଛି । ଏହିପରି ମୋଟ 23 ହାର୍ଡକୋର ଆତଙ୍କୀଙ୍କ ବିରୋଧରେ ଏନଆଇଏର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି ।

ସୂଚନା ଅନୁସାରେ, ଏହି ସମସ୍ତ 23 ଆତଙ୍କବାଦୀଙ୍କ ଘର କାଶ୍ମୀରର କିସ୍ତିଓ୍ବାର ଅଞ୍ଚଳରେ । ସେମାନେ ଗତ କିଛି ବର୍ଷ ଘାଟିରେ ହୋଇଥିବା ହିଂସାରେ ସାମିଲ ଥିଲେ । ଗତ ମାର୍ଚ୍ଚରୁ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କରିବା ପାଇଁ ପୋଲିସ ଏନଆଇଏ ସ୍ବତନ୍ତ୍ର କୋର୍ଟକୁ ନିବେଦନ କରିଥିଲା । କୋର୍ଟ ଆଜି ଏହି ନୋଟିସ ଜାରି କରିଛନ୍ତି । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ପୃଷ୍ଠପୋଷକତା କରିଆସୁଛି । ସେମାନଙ୍କୁ ପାକିସ୍ତାନ ଆର୍ମୀ ମଧ୍ୟ ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛି । ଏପରି ସ୍ଥଳେ ଏମାନଙ୍କୁ ଗିରଫ କରିବା ପାଇଁ NIA ଇଣ୍ଟରପୋଲ୍‌ର ସାହାଯ୍ୟ ମଧ୍ୟ ନେବାକୁ ନିଷ୍ପତ୍ତି ନେଇଛି ।

ଜାମ୍ମୁ କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହି ଏନବିଡ୍ଲ୍ୟୁ ଜାରି କରିବା ଘଟଣା ପ୍ରଥମ ନୁହେଁ ବରଂ ପୂର୍ବରୁ ମଧ୍ୟ ଥରେ ଜାତୀୟ ତଦନ୍ତକାରୀ ସଂସ୍ଥା କୋର୍ଟଙ୍କ ଜରିଆରେ ଏପରି କିଛି ହାର୍ଡକୋର ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ବିରୋଧରେ ଜାମିନ ବୀହିନ ଗିରଫ ପରଓ୍ବାନା ଜାରି କରିଥିଲା । ଏହି ପ୍ରଥମ ତାଲିକାରେ 13 ହାର୍ଡକୋର ଆତଙ୍କୀଙ୍କ ନାମ ରହିଥିଲା । ପୋଲିସ ସୂଚନା ଅନୁସାରେ କିସ୍ତାଓ୍ବାରର ପ୍ରାୟ 36 ଜଣ ଯୁବକ ସୀମାପାର କରି ପାକିସ୍ତାନରେ ଆତଙ୍କୀ ଆକ୍ରମଣ ପ୍ରଶିକ୍ଷଣ ପାଇଁ ଯାଇଥିଲେ ।

ଏମାନଙ୍କ ମଧ୍ୟରୁ କିଛି ସେନା ଗୁଳିରେ ନିପାତ ମଧ୍ୟ ହୋଇସାରିଛନ୍ତି । ପୂର୍ବରୁ 13 ଓ ଏବେ 23 ଜଣଙ୍କ ବିରୋଧରେ ଏହି ଏନବିଡବ୍ଲୁୁ ଘୋଷଣା କରାଯାଇଛି । ଏମାନଙ୍କୁ ଠାବ କରିବା ଓ ଗିରଫ କରିବା ପାଇଁ କାଶ୍ମୀର ପୋଲିସ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ଇଣ୍ଟରପୋଲର ସହାୟତା ନେବାକୁ ପ୍ରୟାସ କରିବ । ଅନ୍ୟପଟେ କାଶ୍ମୀର ପୋଲିସ ଆଇଜି ବିଜୟ କୁମାରଙ୍କ ଅନୁସାରେ ଏବେ ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ସେନା ମଧ୍ୟ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.