ETV Bharat / bharat

ସୀମାରେ ଘର: ଦୁଇଟି ରାଜ୍ୟ ପାଇଁ ଦେଉଛନ୍ତି ଭୋଟ, ପାଉଛନ୍ତି ଡବଲ ସୁବିଧା

author img

By ETV Bharat Odisha Team

Published : Nov 12, 2023, 9:25 PM IST

ସୀମାରେ ଘର, ଦୁଇଟି ରାଜ୍ୟ ପାଇଁ ଦେଉଛନ୍ତି ଭୋଟ
ସୀମାରେ ଘର, ଦୁଇଟି ରାଜ୍ୟ ପାଇଁ ଦେଉଛନ୍ତି ଭୋଟ

ତେଲେଙ୍ଗାନା ଓ ମହାରାଷ୍ଟ୍ର ସୀମାନ୍ତ ଗ୍ରାମ । ଉଭୟ ରାଜ୍ୟ କରୁଛନ୍ତି ଦାବି । ସର୍ବୋଚ୍ଚ କୋର୍ଟରେ ମାମଲା । ଗ୍ରାମବାସୀ ପାଉଛନ୍ତି ଦୁଇଗୁଣା ସୁବିଧା । ଦେଉଛନ୍ତି ଦୁଇଟି ରାଜ୍ୟରେ ଭୋଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୁଇଟି ରାଜ୍ୟର ସୀମାନ୍ତରେ ଘର । ଦୁଇଟି ରାଜ୍ୟର ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା ଓ ସାଧାରଣ ନର୍ବାଚନରେ ଭୋଟ ଦେଇଆସୁଛନ୍ତି ଗ୍ରାମବାସୀ । ସେମାନଙ୍କର ନିକଟରେ ଦୁଇଟି ରାଜ୍ୟର ଭୋଟର ପରିଚୟପତ୍ର, ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା ସରକାରୀ ସୁବିଧା ମଧ୍ୟ ରହିଛି । କେବଳ ସେତିକି ନୁହେଁ ଏହି ସବୁ ସୀମାନ୍ତ ଗ୍ରାମଗୁଡିକରେ ଉଭୟ ରାଜ୍ୟ ଦ୍ବାରା ନିର୍ମିତ ସ୍କୁଲ, ଅଙ୍ଗନାବାଡି କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଆଦି ମଧ୍ୟ ରହିଛି । ସେମାନେ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଦୁଇ ରାଜ୍ୟରେ ଭୋଟ ଦେଇଆସୁଛନ୍ତି । ତେଣୁ ସେମାନଙ୍କର ଜନପ୍ରତିନିଧି ମଧ୍ୟ ଦୁଇଟି ଲେଖାଏଁ । ରାଜସ୍ବ ବିବାଦର ଏପରି କିଛି ଭିନ୍ନ କାହାଣୀ ତେଲେଙ୍ଗାନା ଓ ମହାରାଷ୍ଟ୍ର ସୀମାରେ ଥିବା ପ୍ରାୟ 12ଟି ଗ୍ରାମବାସୀଙ୍କର ।

ମହାରାଷ୍ଟ୍ର ସୀମାନ୍ତ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର କେରମେରୀ ମଣ୍ଡଳର ପାରାଣ୍ଡୋଲି, କୋଟା, ଶଙ୍କରଲୋଦି, ଲାନ୍ଦିଜାଲା, ମୁକୁଦାଙ୍ଗୁଡା, ମହାରାଜଗୁଡା, ଅନନ୍ତପୁର, ଇନ୍ଦ୍ରନଗର, ପଦ୍ମାବତୀ, ଏସାପୁର, ବୋଲାପାଟାର ଏବଂ ଗୌରୀ ଗ୍ରାମକୁ ନେଇ ପ୍ରାୟ 7 ଦଶନ୍ଧି ଧରି ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । 1956ରେ ରାଜ୍ୟ ପୁନର୍ଗଠନ ପ୍ରକ୍ରିୟା ବେଳେ ଏହି ସବୁ ଗ୍ରାମଗୁଡିକୁ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ସହ ମିଶାଇ ଦିଆଯାଇଥିଲା । ମାତ୍ର ଏହି ସୀମାନ୍ତ ଗ୍ରାମବାସୀଙ୍କର ଭାଷାଗତ ଓ ସାଂସ୍କୃତିକ ସମ୍ପର୍କ ମହାରାଷ୍ଟ୍ର ସହିତ ମଧ୍ୟ ରହିଛି । ଏହି 12ଟି ଗ୍ରାମର ମୋଟ ଜନସଂଖ୍ୟା 9,246 ଏବଂ ଭୋଟର ସଂଖ୍ୟା 3,283 । ଭୌଗୋଳିକ ଓ ସାଂସ୍କୃତିକ ଭାବେ ଏମାନେ ମହାରାଷ୍ଟ୍ରର ନିକଟତର ହୋଇଥିବାରୁ 1987 ମସିହାରେ ଏହି ଗ୍ରାମଗୁଡିକ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ଅଂଶ ଭାବେ ଘୋଷଣା କରିବା ସହ ସେହିବର୍ଷ ଏଠାରେ ପଞ୍ଚାୟତ ନିର୍ବାଚନ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Israel Hamas war: ‘ହମାସକୁ ଶେଷ କରିବା ପାଇଁ ବିଶ୍ବ ବିରୋଧରେ ଯାଇପାରେ ଇସ୍ରାଏଲ’

ପରେ ଏହି ସବୁ ଗ୍ରାମକୁ ହାଇକୋର୍ଟ ଆନ୍ଧ୍ର ପ୍ରଦେଶର ଅଂଶ ଭାବେ ଘୋଷଣା କରିଥିଲେ । ଆନ୍ଧ୍ର ମଧ୍ୟ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କଲା । ଏହାକୁ ବିରୋଧ କରି ମହାରାଷ୍ଟ୍ର ସରକାର ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର କରିଥିଲେ । ଯାହା ଏବେ ବିଚରାଧୀନ ରହିଛି । 2014ରେ ଆନ୍ଧ୍ର ପ୍ରଦେଶ ବିଭାଜିତ ତେଲେଙ୍ଗାନା ଆତ୍ମପ୍ରକାଶ କରିବା ପରେ ଏହି ସବୁ ଗ୍ରାମ ତେଲେଙ୍ଗାନା ଅଧୀନକୁ ଆସିଲା । ମାତ୍ର ପୂର୍ବ ପରି ତେଲେଙ୍ଗାନା ଓ ମହାରାଷ୍ଟ୍ର ମଧ୍ୟରେ ଏହି ସୀମାନ୍ତ ଗ୍ରାମକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଏହି ସବୁ ଗ୍ରାମବାସୀ ଦୁଇଟି ସରକାର ଠାରୁ ସମସ୍ତ ସୁବିଧା ପାଇବା ସହ ଦୁଇ ରାଜ୍ୟ ପାଇଁ ଭୋଟ ମଧ୍ୟ ଦେଉଛନ୍ତି । ନିର୍ବାଚନ ଆସିଲେ ଏହି ସୀମାନ୍ତ ଗ୍ରାମ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.