ETV Bharat / bharat

ଚେନ୍ନାଇରେ ବର୍ଷା ବିତ୍ପାତ; ଗଲାଣି ୫ ଜୀବନ, ଉବୁଟୁବୁ ହେଉଛି ସହର

author img

By ETV Bharat Odisha Team

Published : Dec 5, 2023, 8:44 AM IST

ଚେନ୍ନାଇରେ ବର୍ଷା ବିତ୍ପାତ
ଚେନ୍ନାଇରେ ବର୍ଷା ବିତ୍ପାତ

ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ଭୀଷଣ ବର୍ଷା । ଏ ପର୍ଯ୍ୟନ୍ତ ଗଲାଣି ୫ ଜୀବନ । ଅଧିକ ପଢନ୍ତୁ

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ମିଗଜୋମ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି । ବିଶେଷକରି ଭୀଷଣ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ ସହର । ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କାରଣରୁ ଧନଜୀବନ ଗଭୀର ଭାବେ ପ୍ରଭାବିତ ହେଉଛି । ଏହି ବର୍ଷା ଜନିତ ବିଭିନ୍ନ କାରଣରୁ ସହରରେ ଏବେ ସୁଦ୍ଧା ୫ ଜଣଙ୍କର ଜୀବନ ଗଲାଣି । ସେଥିମଧ୍ୟରୁ ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସନ୍ତ ନଗର ଅଞ୍ଚଳରେ ଗଛ ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି ।

ଚେନ୍ନାଇ ମହାନଗର ନିଗମ ଅନୁଯାୟୀ, ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଯୋଗୁଁ ହଜାର ହଜାର ଲୋକଙ୍କୁ ସରକାରୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବିସ୍ଥାପିତ ଲୋକଙ୍କ ରହଣୀ ପାଇଁ ଅତିକମରେ ୪୦୦ ବିବାହ ହଲ୍ ବ୍ୟବସ୍ଥା କରାଯାଇଛି । ପାଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚେନ୍ନାଇ, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ ଏବଂ ଥିରୁଭାଲ୍ଲୁର ଜିଲ୍ଲାରେ ସୋମବାରଠାରୁ ମଙ୍ଗଳବାର ଯାଏଁ ଦୁଇ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି । ସମସ୍ତ ଜରୁରୀ ବିଭାଗକୁ ଆଲର୍ଟ ରଖାଯାଇଛି । ପ୍ରଭାବିତ ଜିଲ୍ଲାରେ ରେସ୍କ୍ୟୁ ଅପରେସନ ପାଇଁ ଏନ୍‌ଡିଆରଏଫ୍‌ର ୨୫୦ ଜଣିଆ ୧୦ ଟିମ୍ ନିୟୋଜିତ କରାଯାଇଛି । ଏହି ରେସ୍କ୍ୟୁ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ସହ ରିଲିଫ୍ ସାମଗ୍ରୀ ଯୋଗାଇ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାତ୍ୟା ‘ମିଗଜୋମ’: ପାଣିରେ ବୁଡିଲା ଚେନ୍ନାଇ, ରାସ୍ତା ପାଲଟିଛି ନଈ ! କାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ

ଏହା ମଧ୍ୟ ପଢନ୍ତୁ: ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମିଗଜୋମ୍ ! ଓଡ଼ିଶାରେ ପ୍ରବଳ ବର୍ଷା

ଚେନ୍ନାଇ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଯୋଗାଯୋଗ ଓ ଯାତାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲି ନଦୀର ଭ୍ରମ ସୃଷ୍ଟି କରୁଛି । ଆଖି ଆଗରେ କାଗଜ ଡଙ୍ଗା ଭଳି ଭାସିଯାଉଛି ଦାମୀ କାର୍ । ସହରରେ ବିଦ୍ୟୁତ ସମସ୍ୟା ମଧ୍ୟ ଦେଖାଯାଉଛି । ଯେଉଁ କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିମାନ ଓ ଟ୍ରେନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ବିମାନ ବନ୍ଦରର ରନୱେ ଓ ପାର୍କିଂ ଏରିଆରେ ପାଣି ଜମିଥିବାରୁ ଫ୍ଲାଇଟ୍ ଅପରେସନ ବନ୍ଦ ରଖାଯାଇଛି । ରେଲୱେ ଟ୍ରାକ୍‌ ବୁଡ଼ିଯିବା ଫଳରେ ରେଳସେବା ମଧ୍ୟ ପ୍ରଭାବିତ ହୋଇଛି ।

ପ୍ରକାଶ ଥାଉକି, ଆଜି(ମଙ୍ଗଳବାର) ପୂର୍ବାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପାଟଲା ନିକଟରେ ମିଗଜୋମ୍ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମିଗଜୋମର ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ସର୍ବାଧିକ ୧୧୦ କିମି ରହିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.