ETV Bharat / bharat

ବାତ୍ୟା ‘ମିଗଜୋମ’: ପାଣିରେ ବୁଡିଲା ଚେନ୍ନାଇ, ରାସ୍ତା ପାଲଟିଛି ନଈ ! କାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ

author img

By ETV Bharat Odisha Team

Published : Dec 4, 2023, 5:37 PM IST

ବାତ୍ୟା ‘ମିଗଜୋମ’ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି: ଚେନ୍ନାଇରେ ସ୍ଥିତି ବେହାଲ
ବାତ୍ୟା ‘ମିଗଜୋମ’ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି: ଚେନ୍ନାଇରେ ସ୍ଥିତି ବେହାଲ

ବାତ୍ୟା ‘ମିଗଜୋମ’ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି । ରାଜଧାନୀ ଚେନ୍ନାଇରେ ସାଙ୍ଘାତିକ ସ୍ଥିତି । ବିମାନ ବନ୍ଦର ସାମୟିକ ବନ୍ଦ । ରେଳସେବା ମଧ୍ୟ ପ୍ରଭାବିତ । ସ୍କୁଲ କଲେଜ ବନ୍ଦ । ତଳିଆ ଅଞ୍ଚଳରୁ ଉଦ୍ଧାର ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ବାତ୍ୟା ‘ମିଗଜୋମ’ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି: ଚେନ୍ନାଇରେ ସ୍ଥିତି ବେହାଲ

ଚେନ୍ନାଇ: ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ‘ମିଗଜୋମ’(Michaung) ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ଯା ସହ ଯୋଗାଯୋଗ ଓ ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନ-ଓ୍ବେ ଓ ପାର୍କିଂ ଏରିଆରେ ବର୍ଷାପାଣି ଜମି ରହିଥିବାରୁ ଫ୍ଲାଇଟ ଅପରେସନ ବନ୍ଦ ରଖାଯାଇଛି । କିଛି ସ୍ଥାନରେ ରେଳ ଧାରଣା ବୁଡିଯିବା ଫଳରେ ରେଳସେବା ମଧ୍ୟ ପ୍ରଭାବିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟର ଗ୍ରାଉଣ୍ଡଫ୍ଲୋରରେ ପାଣି ପଶିଛି । ତଳିଆ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।

ରାଜ୍ୟରେ ବାତ୍ୟାର ପ୍ରଭାବ ସେତେମାତ୍ରାରେ ପଡିବାକୁ ନଥିବା ବେଳେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଚେନ୍ନାଇ ସହରରେ ସମସ୍ତ ଶିକ୍ଷାନୁଷ୍ଠାନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି । ସମସ୍ତ ଜରୁରୀ ବିଭାଗକୁ ଆଲର୍ଟ ରଖାଯାଇଛି । ଉଦ୍ଧାରକାରୀ ଟିମ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସହ ନିୟୋଜିତ ରହିବା ସହ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି । ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ କିଛି ସୂଚନା ନାହିଁ ।

ସ୍ଥଳଭାଗ ନିକଟତର ହେଉଥିବା ବାତ୍ୟା 'ମିଗଜୋମ (Michaung)' ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଆସନ୍ତାକାଲି (ଡିସେମ୍ବର 5) ତାରିଖରେ ପୂର୍ବାହ୍ନରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାକାଳନ କରାଯାଇଛି । ଆଜି ପୂର୍ବାହ୍ନରେ ଏହା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏହାର ପ୍ରଭାବରେ ଓଡିଶାରେ କିଛି ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ର ଓ ତାମିଲନାଡୁର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ', ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁସାରେ, ଏହି ବାତ୍ୟା ଏବେ ପୁଡୁଚେରୀରୁ ପ୍ରାୟ ୨୦୦ କି.ମି ପୂର୍ବ-ଉତ୍ତରପୂର୍ବ, ଚେନ୍ନାଇରୁ ୧୩୦ କି.ମି ପୂର୍ବ, ଆନ୍ଧ୍ର ଉପକୂଳର ନେଲୋରରୁ ୨୨୦ କି.ମି ଦକ୍ଷିଣ-ପୂର୍ବ, ବାପାଟଲାର ୩୩୦ କି.ମି ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ମଛଲିପଟନମଠାରୁ ୩୫୦ କି.ମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି (5 ତାରିଖ) ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏଥିପାଇଁ ତାମିଲନାଡୁ, ଆନ୍ଧ୍ର ଓ ଓଡିଶା ସରକାର ସମ୍ଭାବ୍ୟ ପ୍ରସ୍ତୁତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.