ETV Bharat / bharat

Bihar: ଟ୍ରକକୁ ପଛରୁ ଧକ୍କା ଦେଲା ସ୍କର୍ପିଓ, ଦୁର୍ଘଟଣାରେ ୭ ମୃତ

author img

By ETV Bharat Odisha Team

Published : Aug 30, 2023, 9:42 AM IST

ଟ୍ରକକୁ ପଛରୁ ଧକ୍କା ଦେଲା ଦ୍ରୁତଗାମୀ ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଆହତ । ଅଧିକ ପଢନ୍ତୁ

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ପାଟନା: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଦୁଇଟି ଛୋଟ ଛୁଆ ଅଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି (ବୁଧବାର) ସକାଳ ପ୍ରାୟ ୩ଟା ବେଳେ ରୋହତାସ ଜିଲ୍ଲାର ଶିବସାଗର ଥାନା ଅନ୍ତର୍ଗତ ୨ ନଂ ଜାତୀୟ ରାଜପଥରେ ଏହି ଭୀଷଣ ଦୁର୍ଘଟଣା ଘଟିଛି ।

ଯାହା ସୂଚନା ମିଳିଛି, ମୃତକମାନେ ବିହାର କୈମୁର ଜିଲ୍ଲା କୁଡାରି ଗ୍ରାମ ନିବାସୀ ଅଟନ୍ତି । ସମସ୍ତେ କୌଣସି କାମରେ ପଡୋଶୀ ରାଜ୍ୟ ଝାଡଖଣ୍ଡର ରାଞ୍ଚିକୁ ଯାଇଥିଲେ । ଗତକାଲି ରାତିରେ ରାଞ୍ଚିରୁ ସ୍କର୍ପିଓ ଯୋଗେ ନିଜ ଗାଁକୁ ଫେରୁଥିଲେ । ଶିବସାଗର ଅଞ୍ଚଳର ୨ ନମ୍ବର ଜାତୀୟ ରାଜପଥରେ ଗାଡି ଦ୍ରୁତଗତିରେ ଆଗକୁ ବଢୁଥିଲା । ଏତିକି ବେଳେ ଦୁର୍ଭାଗ୍ୟବଶତଃ ଚାଳକଙ୍କ ଆଖି ଲାଗି ଯାଇଥିଲା । ଫଳରେ ଗାଡି ଦ୍ରୁତଗତିରେ ଥିବାରୁ ସିଧା ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା । ଆଜି ସକାଳ ପାଖାପାଖି ୩ଟା ବେଳେ ଏହି ଅଘଟଣ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: Tragic Accident: ଖାଇକୁ ଖସିଲା ଜିପ୍‌, ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ଦୁର୍ଘଟଣା ସମୟରେ ସ୍କର୍ପିଓ ଗାଡିରେ ୧୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଓ ସ୍ଥାନୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲକୁ ନେଇଥିଲେ । ଏବେ ସମସ୍ତଙ୍କର ଚିକିତ୍ସା ଚାଲିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ଗୁଡିକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, କିଛି ଦିନ ତଳେ ବିହାରର ସାରଣରେ ଏଭଳି ଆଉ ଏକ ଦୁର୍ଘଟଣା ଘଟିଥିଲା । ଗୋଟିଏ ପରିବାରର ୬ ଜଣ ସଦସ୍ୟ ଶ୍ରାଦ୍ଧ ଭୋଜି ଖାଇ ସ୍କର୍ପିଓରେ ଘରକୁ ଫେରୁଥିବା ବେଳେ ବାଟରେ ଗାଡିଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା । ଏଥିରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.