ETV Bharat / bharat

ଶିବ କୁମାରଙ୍କୁ ଆଶ୍ବସ୍ତି: CBI ତଦନ୍ତ ଉପରେ ଜାରି ରହିତାଦେଶ ଉଠାଇବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Oct 16, 2023, 4:06 PM IST

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଶିବକୁମାରଙ୍କୁ ଆଶ୍ବସ୍ତି: ସିବିଆଇ ତଦନ୍ତ ଉପରେ ଲାଗିଥିବା ରହିତାଦେଶ ଉଠାଇବାକୁ ମନା କଲେ କୋର୍ଟ
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଶିବକୁମାରଙ୍କୁ ଆଶ୍ବସ୍ତି: ସିବିଆଇ ତଦନ୍ତ ଉପରେ ଲାଗିଥିବା ରହିତାଦେଶ ଉଠାଇବାକୁ ମନା କଲେ କୋର୍ଟ

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବ କୁମାରଙ୍କୁ ଆଶ୍ବସ୍ତି । ତଳକୋର୍ଟଙ୍କ ସ୍ଥଗିତାଦେଶ ଖାରଜ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ/ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏବେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ଏହି ମାମଲାରେ ସିବିଆଇ ତଦନ୍ତ ଉପରେ କର୍ଣ୍ଣାଟକ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ହଟାଇବା ପାଇଁ ମନା କରି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଜୁନ୍ 12 ତାରିଖରେ ଦେଇଥିବା ଅନ୍ତରୀଣ ରହିତାଦେଶକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରଥିଲା ସିବିଆଇ । ଆଜି ସର୍ବୋଚ୍ଚ କୋର୍ଟଙ୍କ ରାୟ ମଧ୍ୟ ଶିବ କୁମାରଙ୍କ ସପକ୍ଷରେ ଯାଇଛି ।

ଆଜି ସିବିଆଇ କରିଥିବା ଆବେଦନର ଶୁଣାଣି ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ବେଲା ଏମ.ତ୍ରିବେଦୀଙ୍କ ଖଣ୍ଡପୀଠରେ ହୋଇଥିଲା । ପୂର୍ବରୁ ଶିବ କୁମାରଙ୍କୁ ମିଳିଥିବା ସ୍ଥଗିତାଦେଶ ଖାରଜ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ କେନ୍ଦ୍ରୀୟ ସଂସ୍ଥା ପହଞ୍ଚିଛି । ମାତ୍ର ସର୍ବୋଚ୍ଚ କୋର୍ଟ ତଳକୋର୍ଟଙ୍କ ରହିତାଦେଶକୁ ଖାରଜ କରିବାକୁ ମନା କରିଛନ୍ତି । ଏହି ଆବେଦନ ଉପରେ ନଭେମ୍ବର 7 ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ଉତ୍ତର ରଖିବାକୁ କୋର୍ଟ ଶିବ କୁମାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି ।

ଆଜି ସୁପ୍ରିମକୋର୍ଟରେ ଆବେଦନକାରୀ ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖିଥିଲେ । କହିଥିଲେ, ଶିବ କୁମାରଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ କରୁଥିଲା । ଏହା ପ୍ରାୟ 90 ପ୍ରତିଶତ ଶେଷ ମଧ୍ୟ ହୋଇସାରିଛି । ମାତ୍ର ହାଇକୋର୍ଟର ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଯୋଗୁଁ ତଦନ୍ତ ପ୍ରକ୍ରିୟା ଶେଷ ଭାଗରେ ଅଟକି ରହିଛି । ତେବେ କୋର୍ଟ ରହିତାଦେଶ ପ୍ରତ୍ୟାହାର କରିବାକୁ ମନା କରିବା ସହ ଆସନ୍ତା ମାସ 7 ତାରିଖରେ ଏହି ମାମଲାରେ ଶିବ କୁମାରଙ୍କ ଠାରୁ ଉତ୍ତର ମାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Nithari Case: 2 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ

ଚଳିତ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଜନାଦେଶ ପାଇଥିଲା । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ । ମାତ୍ର ଶେଷ ପର୍ଯ୍ୟାୟରେ ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ ସନ୍ତୁଷ୍ଟ କରିବାରେ ସଫଳ ହୋଇଥିଲା । ପୂର୍ବରୁ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଛନ୍ଦି ହୋଇଥିବା କାରଣରୁ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଚୟନ ନକରି ଉପମୁଖ୍ୟମନ୍ତ୍ରୀ କଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.