ETV Bharat / bharat

ଅନ୍ଧବିଶ୍ବାସର ଅନ୍ଧଗଳି: 3ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର

author img

By ETV Bharat Odisha Team

Published : Jan 3, 2024, 9:24 PM IST

ଅନ୍ଧ ବିଶ୍ବାସର ଅନ୍ଧଗଳି: 3 ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା
ଅନ୍ଧ ବିଶ୍ବାସର ଅନ୍ଧଗଳି: 3 ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା

Woman kept locked up in a dark room for 3 months: ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପ୍ରେତାତ୍ମା ଶବାର କହି ବନ୍ଦ ରଖିଥିଲେ ସ୍ବାମୀ ଓ ନଣନ୍ଦ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଚନ୍ଦ୍ରରେ ସଫଳ ଅବତରଣ ସମ୍ଭବ ହେବା ସହ ଅନେକ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ହେବା ପରେ ମଧ୍ୟ ଭାରତୀୟ ସମାଜରେ ଅନ୍ଧବିଶ୍ବାସ ଦୂରୀକରଣ ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇନି । 3 ମାସ ଧରି ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ମହିଳା ଓ ଶିଶୁ ବିକାଶ ବିଭାଗର ଟିମ୍‌ । ମହିଳାଙ୍କୁ ଏକ ପରିତ୍ୟକ୍ତ ଘରେ ବନ୍ଦ କରି ରଖାଯାଇଥିଲା । ତେବେ ପଡୋଶୀଙ୍କ ନିକଟରୁ ଖବର ପାଇଁ ସ୍ଥାନୀୟ ପୋଲିସ ସହଯୋଗରେ ମହିଳା ଓ ଶିଶୁ ବିକାଶ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ପ୍ରାଥମିକ ତଦନ୍ତ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏପୁରା କାଣ୍ଡ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମହିଳାଙ୍କ ନିଜ ପରିବାର ସଦସ୍ୟ ହିଁ ଭିଆଇଛନ୍ତି । ମହିଳାଙ୍କୁ ପ୍ରେତାତ୍ମା ଶବାର ହେଉଥିବା ଅଭିଯୋଗରେ ଏପରି କରାଯାଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ଦକ୍ଷିଣ କାନ୍ନାଡା ଜିଲ୍ଲାରେ ସାମ୍ନାକୁ ଆସିଛି ।

ଦକ୍ଷିଣ କାନ୍ନାଡା ଜିଲ୍ଲା ପୁଟ୍ଟୁର ଅଞ୍ଚଳର କେମ୍ମିନଜେ ଗ୍ରାମର ଶ୍ରୀପତି ହେବାର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦୀର୍ଘ ମାସ ହେବ ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ନେଇ ଅଜଣା ସୂତ୍ରରୁ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଫୋନ କଲ ପାଇଥିଲା । ତୁରନ୍ତ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିଥିବା ସୂଚନା ଅନୁସାରେ, ଏକ ପରିତ୍ୟକ୍ତ ଘରେ ଜଣେ ମହିଳା ଥିବା ଜଣାପଡିଥିଲା । ତାଙ୍କୁ ଉଦ୍ଧାର କରିବା ପରେ ସେ ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଛିଡା ହେବା କିମ୍ବା କଥା କହିବା ପରିସ୍ଥିତିରେ ମଧ୍ୟ ନଥିଲେ । ସେ ବନ୍ଦ ଥିବା ଘରେ ବାୟୁ ଚଳାଚଳ ଓ ବିଜୁଳି ସଂଯୋଗ ମଧ୍ୟ ନଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ପଠାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜଣାପଡିଥିଲା ମହିଳାଙ୍କ ପରିବାର ସଦସ୍ୟ ଏପରି କରିଛନ୍ତି । ମହିଳାଙ୍କୁ ବାରମ୍ବାର ପ୍ରେତାତ୍ମା ଶବାର ହେଉଥିବାରୁ ତାଙ୍କ ସ୍ବାମୀ ଓ ନଣନ୍ଦ ତାଙ୍କୁ କଠୋରୀରେ ବନ୍ଦ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:- ଗୋଟିଏ ଧର୍ମ, ସନାତନ ଧର୍ମ: ଯୋଗୀ ଆଦିତ୍ୟନାଥ

ମହିଳା ଜଣକ କୌଣସି ମାନସିକ ରୋଗରେ ପୀଡିତ । ତାଙ୍କ ବ୍ୟବହାରରେ ଅସ୍ବାଭାବିକତା ପ୍ରକାଶ ପାଇବା ପରେ ପରିବାର ଲେକେ ଚିକିତ୍ସା କରିବା ବଦଳରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି । ଯାହା ଫଳରେ ମହିଳାଜଣକ ସମ୍ପୂର୍ଣ୍ଣ ଅସୁସ୍ଥ ଓ ଦୁର୍ବଳ ହୋଇପଡିଛନ୍ତି । ଏବେ ସେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପରିବାର ସଦସ୍ୟଙ୍କ ଉପରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.