ETV Bharat / bharat

PM Modi in Rajasthan:‘କଂଗ୍ରେସର ପରାଜୟର କାରଣ ହେବ ନାଲି ଡାଏରୀ’

author img

By

Published : Jul 27, 2023, 4:00 PM IST

କଂଗ୍ରେସର ପରାଜୟର କାରଣ ହେବ ନାଲି ଡାଏରୀ
କଂଗ୍ରେସର ପରାଜୟର କାରଣ ହେବ ନାଲି ଡାଏରୀ

ରାଜସ୍ଥାନରେ ନାଲି ଡାଏରୀ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ । କହିଲେ ଡାଏରୀ ନାଁ ଶୁଣି ବଡ ବଡ କଂଗ୍ରେସ ନେତା ଛାନିଆଁ । କଂଗ୍ରେସର ନିର୍ବାଚନ ପରାଜୟର କାରଣ ହେବ ଏହି ନାଲି ଡାଏରୀ । ଅଧିକ ପଢନ୍ତୁ

ଜୟପୁର: ଚଳିତବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଏବେ ‘ନାଲି ଡାଏରୀ’ ରାଜନୀତି । ଗେହେଲଟ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା ମୁଖ୍ୟମନ୍ତ୍ରୀ ଅଶୋକ ଗେହେଟଲଙ୍କ ଆର୍ଥିକ କଳା କାରବାର ଉଲ୍ଲେଖ ଥିବା ନାଲି ଡାଏରୀ ତାଙ୍କ ପାଖରେ ଥିବା କହିବା ପରେ ଏବେ ରାଜ୍ଯ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜିି ରାଜସ୍ଥାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । କହିଛନ୍ତି, ଏହି ନାଲି ଡାଏରୀ ଏବେ କଂଗ୍ରେସର ନିଦ ହଜାଇ ଦେଲାଣି । ଶୁଣିବାକୁ ମିଳୁଛି ଏହାର ପୃଷ୍ଠା ଲେଉଟିବ ତ ଅନେକ ବଡ ବଡ କଂଗ୍ରେସ ନେତା ସଫା ହୋଇଯିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି(ଗୁରୁବାର) ଶିକାରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି,‘‘ଏହି ନାଲି ଡାଏରୀ ହେଉଛି କଂଗ୍ରେସର ଝୁଟ୍‌ କି ଦୁକାନର ସଦ୍ଯତମ ପ୍ରଡକ୍ଟ । ଆପଣମାନେ ଏହି ରେଡ ଡାଏରୀ ସମ୍ପର୍କରେ ଜାଣିଛନ୍ତି ନା ! ଏହି ଡାଏରୀ ଏବେ ବଡ ବଡ କଂଗ୍ରେସ ନେତାଙ୍କ ନିଦ ହଜାଇ ଦେଲାଣି । ଏହି ଡାଏରୀରେ ସେମାନଙ୍କ କଳା ଚିଠା ରହିଛି । ଏହି ଡାଏରୀର ପୃଷ୍ଠା ଲେଉଟିଲେ, କଂଗ୍ରେସର ବଡ ବଡ ନେତା ମଧ୍ୟ ସଫା ହୋଇଯିବେ । ଏହି ନାଲି ଡାଏରୀର ନାଁ ଶୁଣିବା ମାତ୍ରେ ବଡ ବଡ କଂଗ୍ରେସ ନେତାଙ୍କର ମୁଁହ ବନ୍ଦ ହେଇଯାଉଛି । ଏମାନେ ଯେତେ ମୁଁହ ବନ୍ଦ ରଖିଲ ସୁଦ୍ଧା ଏହି ଡାଏରୀ ନିର୍ବାଚନରେ କଂଗ୍ରେସ ପାଇଁ ମହଙ୍ଗା ପଡିବ ।’’

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବହୁଚର୍ଚ୍ଚିତ ପେପର ଲିକ୍‌ ପ୍ରସଙ୍ଗ ଉଠାଇ ଗେହେଲଟ ସରକାରଙ୍କୁ ଘେରିଥିଲେ । ରାଜ୍ୟ ଏବେ ପେପର ଲିକ୍‌ର ହବ୍‌ରେ ପରିଣତ ହୋଇସାରିଲାଣି । ଯୁବପିଢିଙ୍କ ଆକାଂକ୍ଷା ପୂରଣ କରିବାକୁ ହେଲେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ପଡିବ । ଏବେ ଆଉ ବରଦାସ୍ତ କରାଯିବ ନାହିଁ । ଏହିଥର ରାଜସ୍ଥାନରେ ଏହି ନାରା ‘ନେହି ସହେଗା ରାଜସ୍ଥାନ’ ବୋଲି ସଭାମଞ୍ଚରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ଯ ପଢନ୍ତୁ :- Rajasthan: ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ, ପୁରାଇ ଦେଲେନି ସୁରକ୍ଷା ଅଧିକାରୀ

24 ତାରିଖରେ ଗେହେଲଟଙ୍କ କ୍ୟାବିନେଟରୁ ବରଖାସ୍ତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା ହାତରେ ଏକ ନାଲି ଡାଏରୀ ଧରି ବିଧାନସଭାକୁ ପ୍ରବେଶ କରିବାକୁ ଉଦ୍ୟମ କରିିଥିଲେ । ତାଙ୍କୁ ସୁରକ୍ଷା ଅଧିକାରୀମାନେ ରୋକିବା ସହ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ । ପ୍ରଥମ ଥର ଗୁଡ୍ଡା ସାଙ୍ଗରେ ଆଣିଥିବା ନାଲି ଡାଏରୀକୁ ନେଇ ଚର୍ଚ୍ଚା ହୋଇଥିଲା । ଗୁଡ୍ଡା କହିଥିଲେ, ସେ ସାଙ୍ଗରେ ଆଣିଥିବା ନାଲି ଡାଏରୀରେ ଗେହଲୋଟ ସରକାରଙ୍କ ଆର୍ଥିକ ଅନିୟମିତତାର ପ୍ରମାଣ ଥିଲା । ସେ ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଆସିଥିଲେ । ହେଲେ ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ । ଏହାପରେ ଏହି ଡାଏରୀ ରାଜନୀତି ଜାରି ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗେହେଲଟ କହିଛନ୍ତି, କେନ୍ଦ୍ର ସରକାର ନାଲି ଡାଏରୀ କଥା ଛାଡି ନାଲି ଟମାଟୋ କଥା ମଧ୍ୟ କହିବା ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.