ETV Bharat / bharat

Vijayadashami: ଭାରତ-ଚୀନ ସୀମାରେ ସେନାର ଶସ୍ତ୍ର ପୂଜା, ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

author img

By ETV Bharat Odisha Team

Published : Oct 24, 2023, 4:35 PM IST

Updated : Oct 24, 2023, 6:22 PM IST

Shastra Puja: ଭାରତ-ଚୀନ ସୀମୀରେ ଭାରତୀୟ ସେନାର ଶସ୍ତ୍ରପୂଜା, ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ
Shastra Puja: ଭାରତ-ଚୀନ ସୀମୀରେ ଭାରତୀୟ ସେନାର ଶସ୍ତ୍ରପୂଜା, ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

ଚୀନ ସୀମାରେ ବିଜୟା ଦଶମୀ ପାଳିଲା ସେନା । ଶସ୍ତ୍ରପୂଜାରେ ଅଂଶଗ୍ରହଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସାଙ୍ଗରେ ଥିଲେ ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ

ତଓ୍ୱାଙ୍ଗ (ଅରୁଣାଚଳ): ଆଜି ସାରା ଦେଶରେ ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ । ଏହି ଅବସରରେ ସେନା ମଧ୍ୟ ବିଜୟା ଦଶମୀ ପାଳନ କରିଛି । ସୀମାରେ ସେନା ସହ ସାମିଲ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ ଆଜି ଭାରତ-ଚୀନ ଅନ୍ତର୍ଜାତୀୟ ସୀମାର ଅରୁଣାଚଳ ପ୍ରଦେଶରେ ଥିବା ଫରଓ୍ବାର୍ଡ ପୋଷ୍ଟରେ ବିଜୟା ଦଶମୀ ପାଳନ କରିବା ସହ ଶସ୍ତ୍ର ପୂଜାରେ ଅଂଶଗ୍ରହଣ କରିଛନ୍ତି । ସେନା ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଆଜି ଭାରତୀୟ ପରମ୍ପରା ଅନୁସାରେ ପୂଜା କରାଯାଇଥିଲା ।


ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟବର୍ତ୍ତୀ ଫରଓ୍ବାର୍ଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସାଙ୍ଗରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଏକାଧିକ ବରିଷ୍ଠ ସେନାଧିକାରୀ ମଧ୍ୟ ଥିଲେ । ସେଠାରେ ନିୟୋଜିତ ଥିବା ଯବାନମାନଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇବା ସହ ଶସ୍ତ୍ରପୂଜାରେ ମଧ୍ୟ ରାଜନାଥ ଅଂଶଗ୍ରହଣ କରିଥିଲେ । ସୀମାରେ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ ।

3,500 କି.ମି ବିଶିଷ୍ଟ ଇଣ୍ଡୋ-ଚୀନ ବର୍ଡର ସୀମା ସୁରକ୍ଷା ଦୃଷ୍ଟିରୁ ସର୍ବାଧିକ ଆହ୍ବାନପୂର୍ଣ୍ଣ କୁହାଯାଏ । ଏହି ସ୍ଥାନରେ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ (ଆଇଟିବିପି) ମୁତୟନ ହୋଇଛନ୍ତି । ଏହା କାଶ୍ମୀରଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି । ତେବେ 2020 ରେ ପୂର୍ବ-ଲଦାଖର ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଏହି ପୂର୍ବ ଲଦାଖ କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ଅଞ୍ଚଳ ଭାବେ ଉଭା ହୋଇଛି । ଅନ୍ୟପଟେ ଅରୁଣାଚଳ ପ୍ରଦେଶକୁ ଚୀନ ବାରମ୍ବାର ନିଜର ଦାବି କରିବା ଓ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିବା ମଧ୍ୟ ଦୃଶ୍ୟମାନ ହେଉଛି ।

ଏହା ମଧ୍ୟ ପଢନ୍ତୁ:- ବିଜୟା ଦଶମୀ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ତେବେ ଭାରତୀୟ ପରମ୍ପରା ଅନୁସାରେ, ଶାରଦୀୟ ଦୁର୍ଗାପୂଜାର ଶେଷ ପର୍ବ ବଜୟା ଦଶମୀରେ ଅସ୍ତ୍ରଶସ୍ତ୍ର ପୂଜା କରାଯିବାର ପରମ୍ପରା ରହିଛି । ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟା ଦଶମୀ ପାଳନ କରାଯାଉଥିବା ବେଳେ ଆତ୍ମରକ୍ଷା, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ଭାବେ ଅସ୍ତ୍ରଶସ୍ତ୍ର ମଧ୍ୟ ପୂଜା କରାଯିବାର ପରମ୍ପରା ଭାରତୀୟ ସମାଜରେ ରହିଆସିଛି । ଅନ୍ତର୍ଜାତୀୟ ସୀମାରେ ଦେଶର ଅଖଣ୍ଡତାକୁ ସୁରକ୍ଷା ଦେଉଥିବା ସେନା ମଧ୍ୟ ଏହି ପ୍ରାଚୀନ ପରମ୍ପରାକୁ ପାଳନ କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 24, 2023, 6:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.