ETV Bharat / bharat

ରାଜସ୍ଥାନ ଜନାଦେଶ 2023: ହାର ସ୍ବୀକାର କଲେ ଗେହଲଟ, ରାଜଭବନ ପହଞ୍ଚି ଦେଲେ ଇସ୍ତଫା

author img

By ETV Bharat Odisha Team

Published : Dec 3, 2023, 8:03 PM IST

Rajasthan CM Ashok Gehlot
Rajasthan CM Ashok Gehlot

ପରାଜୟକୁ ସ୍ବୀକାର କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜ୍ୟପାଳଙ୍କୁ ହସ୍ତାନ୍ତର କଲେ ଇସ୍ତଫା ପତ୍ର । ଅଧିକ ପଢ଼ନ୍ତୁ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ଏବେ ସର୍ବସମ୍ମୁଖରେ ଜନତାଙ୍କ ଜନାଦେଶ । ରାଜ୍ୟବାସୀ ସତ୍ତା ପରିବର୍ତ୍ତନର ପରମ୍ପରାକୁ ବଜାୟ ରଖି 5ବର୍ଷ ପରେ ପୁଣି ବିଜେପିକୁ ସୁଯୋଗ ଦେଇଛନ୍ତି । ଫଳରେ କଂଗ୍ରେସ ହାତରୁ ଖସିଛି ରାଜସ୍ଥାନ । ବିଜେପି ବହୁମତ ସହିତ ମରୁଭୂମିରେ ପଦ୍ମ ଫୁଟାଇବା ପରେ ପରାଜୟକୁ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାପରେ ସେ ସନ୍ଧ୍ୟାରେ ରାଜଭବନ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଭେଟିବା ପରେ ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ରାଜସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ 199 ଆସନରୁ ବିଜେପି 115 ଆସନରେ ବିରୋଧୀଙ୍କୁ ମାତ୍‌ ଦେଇଛି । ବିଜେପିକୁ 115ଟି ସିଟ୍‌ ମିଳିଥିବା ବେଳେ କଂଗ୍ରେସକୁ 69 ଓ ଅନ୍ୟ ଦଳକୁ 11ଟି ଆସନ ମିଳିଛି । କଂଗ୍ରେସ ରାଜ୍ୟରେ ସରକାର ଗଢିପାରିନି ସତ, କିନ୍ତୁ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ 6ଷ୍ଠ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ନିଜ ଆସନ ବ୍ୟତୀତ ରାଜ୍ୟରେ ଗେହଲଟଙ୍କ ଯାଦୁ ଅକାମୀ ହୋଇଛି ।

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ ଭାବେ ଜଣାଯାଉଥିବା ଗୋବିନ୍ଦ ରାମ ମେଘୱାଲ କଂଗ୍ରେସର ବରିଷ୍ଠ ନେତା ସିପି ଯୋଶୀ, ପ୍ରତାପସିଂ ଚୌରାସିଆ ଓ ଦିବ୍ୟ ମଦେରଣାଙ୍କ ଭଳି ହେବିୱେଟ ନେତା ପରାଜୟ ବରଣ କରିଛନ୍ତି । ଯୋଧପୁର ସର୍ଦ୍ଦାରପୁର ବିଧାନସଭା ଆସନରୁ ଅଶୋକ ଗେହଲଟ ଯଦିଓ ନିର୍ବାଚନ ଜିତିଛନ୍ତି, କିନ୍ତୁ 2018ରେ ନିଜ ବିଜୟର ରେକର୍ଡକୁ ଜାରି ରଖିବାରେ ବିଫଳ ହୋଇଛନ୍ତି । 2018ରେ ସେ 45 ହଜାର ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ଚଳିତ ଥର ମାତ୍ର 26,396 ଭୋଟରେ ବିଜୟୀ ହୋଇଛନ୍ତି । ଏହି ଆସନରେ ଗେହଲଟଙ୍କୁ ମୋଟ 96,869 ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ 70 ହଜାର 463ଟି ଭୋଟ ମିଳିଛି ।

ଡିସେମ୍ବର 5ରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ:- ଚଳିତ ନିର୍ବାଚନରେ ବିଜୟ ହାସଲ କରିଥିବା କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତା 5 ତାରିଖରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସରା ସୂଚନା ଦେଇଛନ୍ତି । ସେ ରାଜ୍ୟ କଂଗ୍ରେସର ସଭାପତି ହୋଇଥିବାରୁ ଏ ସମ୍ପର୍କରେ ଅବଗତ କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.