ETV Bharat / bharat

Railway Tracks Safety: ଜେନେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶନାମା ଜାରି କଲା ରେଳ ବୋର୍ଡ

author img

By

Published : Jun 9, 2023, 5:24 PM IST

Etv Bharat
Etv Bharat

ରେଳ ଟ୍ରାକର ଯାଞ୍ଚ ଉପରେ ଗୁରୁତ୍ବ । ସମସ୍ତ ଜୋନର ଜେନେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶନାମା ଜାରି କଲା ରେଳ ବୋର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ପ୍ରାଣ ହାନି ଘଟିଥିବା ବେଳେ ସତର୍କ ହୋଇଛି ରେଳ ବୋର୍ଡ । ଭବିଷ୍ୟତରେ ଯେପରି ଏଭଳି କୌଣସି ମର୍ମନ୍ତୁଦ ରେଳ ଦୁର୍ଘଟଣା ନଘଟେ, ସେଥିଲାଗି ସବୁ ଦିଗରୁ ଉଦ୍ୟମ ଆରମ୍ଭ କରିଛି ବୋର୍ଡ । ଏହାରି କ୍ରମରେ ବୋର୍ଡ ପକ୍ଷରୁ ଶୁକ୍ରବାର ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଟ୍ରାକ୍‌ର ସୁରକ୍ଷା ଯାଞ୍ଚ ଲାଗି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ରେଳ ଭିତ୍ତିଭୂମି, ମରାମତି ଓ ରେଳ ଲାଇନ ଟ୍ରାକର ସୁରକ୍ଷା ଯାଞ୍ଚ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ବୋର୍ଡ ପକ୍ଷରୁ ଜାରି ହୋଇଥିବା ଏହି ଚିଠିରେ ସମସ୍ତ ଜୋନ୍‌ର ଜେନେରାଲ ମ୍ୟାନେଜରଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ବିଶେଷ କରି ଯେଉଁ ରେଳ ଲାଇନରେ ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ଚାଲିଛି ସେଠାରେ ଅଧିକ ସତର୍କ ହୋଇ ଯାଞ୍ଚ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ଡ ଅଧିକାରୀ ଯେପରି ଅଧିକରୁ ଅଧିକ ସମୟ ମରାମତି ଓ ନିର୍ମାଣଧୀନ ସ୍ଥାନରେ ରହି କାର୍ଯ୍ୟକୁ ତଦାରଖ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ସଠିକ ଭାବେ ପାଳନ ହେଉଛି କି ନାହିଁ ତାହାର ରିପୋର୍ଟ ଦେବାକୁ ମଧ୍ୟ ରହିଛି ନିର୍ଦ୍ଦେଶ ।

ଏହା ବି ପଢନ୍ତୁ- Illegal Mining: ବେଆଇନ ଖଣି ଖନନ ବେଳେ ଅଘଟଣ: ୩ ମୃତ, ଅନେକ ଆହତ

ରେଳ ଲାଇନ ମରାମତି ବା ନିର୍ମାଣ କାର୍ଯ୍ୟରେ ରହିଥିବା ଜୁନିଅର ଇଞ୍ଜିନିୟରମାନଙ୍କୁ ବିଭାଗୀୟ ମୁଖ୍ୟ ନିଜେ ନିର୍ଦ୍ଦେଶ ରହିବା ସହ ୱାର୍କ ସାଇଟକୁ ଭ୍ରମଣ କରି ତଦାରଖ କରିବେ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କାର୍ଯ୍ୟ ଲାଗି ସର୍ଟକର୍ଟ୍‌ ପଦ୍ଧତିକୁ ଯେପରି ଅନୁସରଣ ନ କରାଯାଏ, ସେନେଇ ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହାସହିତ ୱାର୍କ ସାଇଟ୍‌ରେ ଆବଶ୍ୟକୀୟ ସତର୍କତାମୂଳକ ବୋର୍ଡ, ସୁରକ୍ଷା ବୋର୍ଡ, ଟିପି, ଟିଜି, ବ୍ୟାନର ଫ୍ଲାଗ୍‌ ଓ ହ୍ୟାଣ୍ଡ ସିଗ୍ନାଲର ଯେପରି ବ୍ୟବହାର କରାଯିବ, ତାହା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ ।

ଏହାସହିତ ଡବ୍ଲିଂ ଓ ଟ୍ରିପଲିଂ କାମକୁ ପ୍ରତିଦିନ ଯାଞ୍ଚ କରିବା ଲାଗି ଓପନ ଲାଇନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ରସିଂ, ପୋଲ, ଗିର୍ଡର ବ୍ରିଜ୍‌ ଆଦିକୁ ପ୍ରତିଦିନ ଯାଞ୍ଚ କରିବା ଲାଗି ମଧ୍ୟ ରହିଛି ନିର୍ଦ୍ଦେଶ । ସେହିପରି ଅଧିକ ସମୟ କାର୍ଯ୍ୟସ୍ଥଳରେ ରହି ଜୁନିଅର ଇଞ୍ଜିନିୟରମାନଙ୍କୁ ଗାଇଡ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି ଗତ ଜୁନ୍‌ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ବାହାନଗା ରକ୍ତରେ ଜୁଡୁବୁଡୁ ହୋଇଥିଲା । ୨୮୮ ଯାତ୍ରୀଙ୍କ ପ୍ରାଣହାନି ହୋଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ସେପଟେ ଗ୍ରୀନ ସିଗ୍ନାଲ ପାଇ ଲୁପ ଲାଇନରେ ଯାଇଥିଲା ବୋଲି କହିଥିଲେ କରମଣ୍ଡଳ ଏକ୍ସପ୍ରେସର ପାଇଲଟ । କେଉଁଠି ତ୍ରୁଟି ରହିଲା ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ଲାଗି ରେଳ ବୋର୍ଡ ଅଧିକ ସତର୍କ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.