ETV Bharat / bharat

Manipur violence: 29ରେ ମଣିପୁର ଯିବେ ରାହୁଲ !

author img

By

Published : Jun 27, 2023, 10:08 PM IST

Manipur violence : 29 ରେ ମଣିପୁର ଯିବେ ରାହୁଲ !
Manipur violence : 29 ରେ ମଣିପୁର ଯିବେ ରାହୁଲ !

29 ରୁ ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ରିଲିଫ କ୍ୟାମ୍ପରେ ହିଂସା ପ୍ରଭାବିତଙ୍କୁ ଭେଟିବେ, ଇମ୍ଫାଲରେ ସିଭିଲ ସୋସାଇଟ ସଦସ୍ୟଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ 29 ତାରିଖ (ଗୁରୁବାର) ଠାରୁ ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ । ସେ ସେଠାରେ ରାଜଧାନୀ ଇମ୍ଫାଲରେ ସିଭିଲ ସୋସାଇଟ ସଦସ୍ୟଙ୍କୁ ଭେଟି ଆଲୋଚନା କରିବେ । ପରେ ସେ କିଛି ରିଲିଫ କ୍ୟାମ୍ପ ମଧ୍ୟ ଗସ୍ତ କରିବେ । ରିଲିଫ କ୍ୟାମ୍ପରେ ସେ ହିଂସାରେ ପ୍ରଭାବିତ ହୋଇ ଆଶ୍ରୟ ନେଇଥିବା ପୀଡିତଙ୍କ ସହ ମଧ୍ୟ ଆଲୋଚନା କରିବେ । ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗତ ପ୍ରାୟ ଦୁଇ ମାସ ଧରି ଲାଗି ରହିଥିବା ଏବେ ମଧ୍ୟ ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇ ସାରିଥିବା ବେଳେ 50 ହଜାରରୁ ଅଧିକ ପ୍ରଭାବିତ ରାଜ୍ୟର ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରାଜଧାନୀ ଇମ୍ଫାଲ ନିକଟବର୍ତ୍ତୀ ଭ୍ୟାଲି ଏରିଆ ସହ ସର୍ବାଧିକ ପ୍ରଭାବିତ ଚୋରାଚାନ୍ଦପୁର ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ପ୍ରାୟ 300 ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ହିଂସାରେ ପ୍ରଭାବିତ ହୋଇ ଘର ପରିବାର ଓ ପରିଜନଙ୍କୁ ହରାଇଥିବା ପରିବାରକୁ ଏବେ ସେଠାରେ ଥଇଥାନ କରାଯାଇଛି ।

ସରକାରୀ ଭାବେ 13 ତାରିଖ ପରଠାରୁ ରାଜ୍ୟରେ ହିଂସାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିରୋଧୀ ମଧ୍ୟ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଣିପୁର ପଠାଇବା ପାଇଁ ଶାହଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ହେଲେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଅନ୍ୟ ରାଜନୈତିକ ଦଳମାନେ ଭରସା ରଖିବାକୁ କହିଥିଲେ ଶାହ । ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରି ମଣିପୁର ହିଂସାରେ ଦୁଖଃ ପ୍ରକାଶ କରିବା ସହ ରାଜ୍ୟବାସୀଙ୍କୁ ଶାନ୍ତି ଫେରାଇବା ପାଇଁ ନିବେଦନ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ଶାହଙ୍କୁ ଭେଟି ମଣିପୁର ସ୍ଥିତି ଅବଗତ କଲେ ବିରେନ, ‘ଜୁନ 13 ପରଠୁ ହିଂସାରେ ଯାଇନି କାହାର ଜୀବନ’

ସାମ୍ପ୍ରଦାୟିକ ସଂରକ୍ଷଣ ମାମଲାର ରାୟ ଆସିବା ପରେ ମେ’ 3 ତାରିଖରୁ ସ୍ଥାନୀୟ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ଏବେ ସୁଦ୍ଧା ଶତାଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ରାଜ୍ୟରେ ସେନା, ପାରାଫୋର୍ସ, ରାପିଡ ଆକ୍ସନ ଫୋର୍ସ ସମେତ ରାଜ୍ୟ ପୋଲିସ ବଳ ମୁତୟନ କରାଯାଇଛି । ସମଗ୍ର ରାଜ୍ୟରେ ଏବେ 30 ତାରିଖ ଯାଏ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ଥିତି ଉପରେ କଡା ନଜର ରଖିଛି । ଦିଲ୍ଲୀରେ ସ୍ଥିତି ନେଇ ବାରମ୍ବାର ସମୀକ୍ଷା ବୈଠକ ମଧ୍ୟ ହେଉଛି । 2 ଦିନ ତଳେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ ଭେଟି ଆଲୋଚନା କରିବା ସହ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.