ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Nov 23, 2023, 5:26 PM IST

‘ପନୌତି’ ମନ୍ତବ୍ୟ: ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ, କାଲି ସୁଦ୍ଧା ରଖିବେ ଉତ୍ତର
‘ପନୌତି’ ମନ୍ତବ୍ୟ: ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ, କାଲି ସୁଦ୍ଧା ରଖିବେ ଉତ୍ତର

ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ପୁଣି ଫସିଲେ ରାହୁଲ । 25 ସୁଦ୍ଧା ଉତ୍ତର ରଖିବାକୁ ନିର୍ବାଚନ କମିଶନକଙ୍କ ନୋଟିସ । ପୂର୍ବରୁ ‘ମୋଦି ସାଙ୍ଗିଆ’ ମନ୍ତବ୍ୟ କାରଣରୁ ହରାଇଥିଲେ ସାଂସଦ ପଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗ ପୁଣି ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନ ନୋଟିସ ଜାରି କରିଛି । ନିକଟରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ ନାଁ ନନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ପନୌତି’ ଶବ୍ଦ ବ୍ୟବହାର କରି କଟାକ୍ଷ କରିଥିଲେ । ଏହା ପୂର୍ବରୁ ସେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ‘ପକେଟମାର’ ଶବ୍ଦ ମଧ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

  • Election Commission of India issues notice to Congress MP Rahul Gandhi on his 'panauti' and 'pickpocket' jibes at PM Modi, asks him to respond by 25th November pic.twitter.com/CcrIlU6I9o

    — ANI (@ANI) November 23, 2023 " class="align-text-top noRightClick twitterSection" data=" ">

ଏନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲା । ଆଜି ରାହୁଲଙ୍କୁ ଆୟୋଗ ଏକ ନୋଟିସ ଜାରି କରିଛନ୍ତି । 25 ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । 21 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରିକେଟ ବିଶ୍ବକପରେ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ ଟାର୍ଗେଟ କରିଥିଲେ । ଫାଇନାଲ ମ୍ୟାଚରେ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ସେ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ‘ପନୌତି’ (ଅଶୁଭ ବ୍ୟକ୍ତି) ବୋଲି କହି ଭାରତର ପରାଜୟର କାରଣ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାଜସ୍ଥାନର ଜାଲୋରେ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଉପସ୍ଥିତ ଜନତା ପନୌତି... ପନୌତି ନାରା ଦେଇଥିଲେ । ତେବେ ରାହୁଲ ମଧ୍ୟ ଏହି ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ଅବସର ଛାଡି ନଥିଲେ । କହିଥିଲେ, ‘‘ ଆମ ଖେଳାଳି ବିଶ୍ବକପ ଜିତି ଯାଇଥାଆନ୍ତେ, ମାତ୍ର ପନୌତି (ଅଶୁଭ ବ୍ୟକ୍ତି) ମ୍ୟାଚ୍‌ ହାରାଇ ଦେଲା । କିନ୍ତୁ ଟିଭି ଓ୍ବାଲା ଏକଥା କହିବେ ନାହିଁ । ମାତ୍ର ଜନତା ଜାଣିଛନ୍ତି ।’’ ଏହି କଟାକ୍ଷ ସହ ରାହୁଲ ପୁଣି ତାଙ୍କ ପୂର୍ବ ପ୍ରସଙ୍ଗକୁ ଫେରିଥିଲେ । ଏହା ପୂର୍ବରୁ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ଟାର୍ଗେଟ କରି ପକେଟ ମାର ବୋଲି କହିଥିଲେ । ଉଭୟ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବା ସହ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

2019ରେ କର୍ଣ୍ଣାଟକରେ ଏକ ସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ମୋଦି ସାଙ୍ଗିଆ’ ଶବ୍ଦ ବ୍ୟବହାର କରି କଟାକ୍ଷ କରିଥିଲେ ରାହୁଲ । ଯାହା ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ମହଙ୍ଗା ପଡିଥିଲା । ଅପରାଧିକ ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ ସାଂସଦ ପଦରୁ ବରଖାସ୍ତ ହେବାକୁ ପଡିଥିଲା । ଦୀର୍ଘ ଆଇନଗତ ଲଢେଇ ପରେ ସେ ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି ପାଇବା ସହ ସାଂସଦ ପଦ ମଧ୍ୟ ଫେରି ପାଇଥିଲେ । ଏବେ ପୁଣି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର ମାମଲାରେ ଛନ୍ଦି ହୋଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.