ETV Bharat / bharat

ମହଙ୍ଗା ପଡିଲା ଜେଲରୁ ଭିଡିଓ କଲରେ ମିଡିଆ ଇଣ୍ଟରଭ୍ୟୁ, କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

author img

By ETV Bharat Odisha Team

Published : Jan 7, 2024, 6:13 PM IST

Punjab Police file 2 FIRs against gangster Lawrence: ଭିଡିଓ କଲରେ ମିଡିଆକୁ ଇଣ୍ଟରଭ୍ୟୁ ଦେବା ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ବିରୋଧରେ ରୁଜୁ ହେଲା ଦୁଇଟି ମାମଲା । ଡିଜିପିଙ୍କ ନେତୃତ୍ବରେ ତଦନ୍ତ ରିପୋର୍ଟ ଦେବ ଏସଆଇଟି । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ଜେଲରୁ ଭିଡିଓ କଲରେ ମିଡିଆ ଇଣ୍ଟରଭ୍ୟୁ, କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ
ମହଙ୍ଗା ପଡିଲା ଜେଲରୁ ଭିଡିଓ କଲରେ ମିଡିଆ ଇଣ୍ଟରଭ୍ୟୁ, କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ଚଣ୍ଡିଗଡ: ଜେଲରେ ବନ୍ଦ ଥାଇ ମଧ୍ୟ ଭିଡିଓ କଲରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବା ମାମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାମରେ ମାମଲା ରୁଜୁ ହୋଇଛି । ଡିସେମ୍ବର 23 ତାରିଖରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପଞ୍ଜାବ ପୋଲିସ ଲରେନ୍ସ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି । ମାମଲାର ତଦନ୍ତ କରିବା ପାଇଁ କୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଏହି କମିଟିର ନେତୃତ୍ବ ନେବେ । ମାମଲାର ପରବର୍ତ୍ତୀ ଶୁଣାଣି 10 ତାରିଖରେ ହେବ ।

ବହୁଚର୍ଚ୍ଚିତ 2022 ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଏହା ବ୍ୟତୀତ ତା ବିରୋଧରେ ଅନ୍ୟ ସଙ୍ଗୀନ ଅପରାଧ ସହ ଅଭିନେତା ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦେବା ମାମଲା ମଧ୍ୟ ରହିଛି । ପଞ୍ଜାବର ଭଟିଣ୍ଡା ଜେଲରେ ବନ୍ଦ ଥିବା ଲରେନ୍ସ ଗତବର୍ଷ (2023) ମାର୍ଚ୍ଚ 14ରେ ପ୍ରଥମ ଓ 17 ତାରିଖରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଚ୍ଯାନେଲକୁ ଭିଡିଓ କଲରେ ଦୁଇଟି ସାକ୍ଷାତକାର ମଧ୍ୟ ଦେଇଥିଲା । ଜେଲ ସେଲ ମଧ୍ୟରେ କୁଖ୍ୟାତ ଅପରାଧୀକୁ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ଯୋଗା ଯିବା ଓ ସେ ଏପରି କରିବାରେ ସଫଳ ହେବା ନେଇ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କିତ ଏକ ମାମଲା ପଞ୍ଜାବ-ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ :- ସ୍ତ୍ରୀ ନାକକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ, ଥାନାରେ ଏତଲା

ଡିସେମ୍ବର 23 ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବିଷ୍ଣୋଇ ବିରୋଧରେ ଅତିରିକ୍ତ ମାମଲା ଦାଏର କରିବାକୁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପୂର୍ବ ଏସଆଇଟିର ରିପୋର୍ଟରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଖାରଜ କରି ଦେଇଛନ୍ତି । ଡିଜିପିଙ୍କ ନେତୃତ୍ବରେ ଗଠିତ ନୂତନ ଉଚ୍ଚସ୍ତରୀୟ କମିଟି ଏବେ ଏହି ମାମଲାର ତଦନ୍ତ ଶେଷ କରି ପରବର୍ତ୍ତୀ ତାରିଖ ସୁଦ୍ଧା କୋର୍ଟରେ ରିପୋର୍ଟ ଦାଖଲ କରିବେ । ଏହି କମିଟିରେ ଡିଜିପି ମୁଖ୍ୟ ଥିବା ବେଳେ ମାନବାଧିକାର କମିଶନର ସଦସ୍ୟ ଓ ଭିଜିଲାନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ସଦସ୍ୟ ରହିଛନ୍ତି । ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ସହ ସାମିଲ ଥିବା କିଛି ପୋଲିସ ଅଧିକାରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିଧି ମଧ୍ୟକୁ ଆସିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.