ETV Bharat / bharat

ସ୍ତ୍ରୀ ନାକକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ, ଥାନାରେ ଏତଲା

author img

By ETV Bharat Odisha Team

Published : Jan 7, 2024, 4:01 PM IST

ସ୍ତ୍ରୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ
ସ୍ତ୍ରୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ

Husband cuts wife nose: ପତ୍ନୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ । ପତ୍ନୀ ଦେଲେ ଏତଲା । କହିଲେ, ମୋ ସହ ଯେଭଳି ହୋଇଛି ସ୍ୱାମୀଙ୍କ ସହ ବି ସେଭଳି କରାଯାଉ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ନିଶାସକ୍ତ ସ୍ବାମୀଙ୍କ ଅମାନୁଷିକ କାଣ୍ଡ । ପତ୍ନୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର କର୍ଣ୍ଣଲଗଞ୍ଜ ଅଞ୍ଚଳରେ । ଏନେଇ ପୀଡିତା ପତ୍ନୀ ଜଣକ ନିଜ ମାଆଙ୍କ ସହ ଥାନା ପହଞ୍ଚି ଅଭିଯୋଗ କରିବା ସହ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଗାୟତ୍ରୀ ନାମକ ଜଣେ ମହିଳା ଉତ୍ତରପ୍ରଦେଶ ରାଜ୍ୟର କର୍ଣ୍ଣଲଗଞ୍ଜ କୋତଓ୍ବାଲି ଅନ୍ତର୍ଗତ ଅତରସୁଇୟା ଗାଁର ସଞ୍ଜୟଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ । ସଞ୍ଜୟ ପ୍ରତିଦିନ ମଦ୍ୟପାନ କରିବା ସହ ନିଶାସକ୍ତ ଅବସ୍ଥାରେ ତାଙ୍କ ପତ୍ନୀ ଗାୟତ୍ରୀଙ୍କୁ ମାରପିଟ କରିଥାନ୍ତି । ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ହେବ ଗାୟତ୍ରୀ ନିଜ ବାପଘରେ ରହୁଥିଲେ । ତାଙ୍କର 3ଟି ପିଲା ରହିଥିବା ବେଳେ ସେମାନଙ୍କୁ ନିଜ ପାଖରେ ରଖିଥିଲା ସଞ୍ଜୟ ।

ଏହାମଧ୍ୟ ପଢନ୍ତୁ.. ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ୨୦ବର୍ଷ ସଜ୍ଜା ଶୁଣାଇଲେ କୋର୍ଟ

ଜାନୁଆରୀ 4 ତାରିଖ ଦିନ ନିଜ ପିଲାମାନଙ୍କୁ ନେବା ପାଇଁ ଗାୟତ୍ରୀ ନିଜ ଶାଶୁ ଘର ଅତରସୁଇୟା ଗାଁକୁ ଯାଇଥିବା ବେଳେ ସେହି ସମୟରେ ଦୁହିଁଜଣଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । ଏହି ସମୟରେ କ୍ରୋଧାନ୍ବିତ ହୋଇ ସଞ୍ଜୟ ଗାୟତ୍ରୀଙ୍କ ନାକକୁ ଦାନ୍ତରେ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଗାୟତ୍ରୀ ଜୋରରେ ଚିତ୍କାର କରିବାରୁ ଏହା ଶୁଣି ପାଖଆଖରେ ଥିବା ଲୋକେ ଆସି ଗାୟତ୍ରୀଙ୍କୁ ବଞ୍ଚାଇଥିଲେ ।

ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଗାୟତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ଏନେଇ ସ୍ଥାନୀୟ କର୍ଣ୍ଣଲଗଞ୍ଜ ଥାନାରେ ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ନିଜ ପିଲାମାନଙ୍କୁ ଫେରାଇଦେବା ସହ ସ୍ୱାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗାୟତ୍ରୀ । ସେ କହିଛନ୍ତି," ମୋ ସହ ଯେଭଳି ହୋଇଛି ତାଙ୍କ ସହ ମଧ୍ୟ ସେଭଳି କରାଯାଉ ।" ସ୍ୱାମୀଙ୍କ ନାକ କାଟି ଦିଆଯାଉ ବୋଲି କହିଛନ୍ତି ଗାୟତ୍ରୀ ।

ଅନ୍ୟପଟେ ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ନିଶାସକ୍ତ ଅବସ୍ଥାରେ ସ୍ୱାମୀଙ୍କ ସ୍ତ୍ରୀ ପ୍ରତି ଏଭଳି ଅମାନୁଷିକ ଅତ୍ୟାଚାର ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.