ଦେଶର ଆଶା ଆକାଂକ୍ଷାର ପ୍ରତିଫଳନ ଯୁବପୀଢି: ପ୍ରଧାନମନ୍ତ୍ରୀ

ଦେଶର ଆଶା ଆକାଂକ୍ଷାର ପ୍ରତିଫଳନ ଯୁବପୀଢି: ପ୍ରଧାନମନ୍ତ୍ରୀ
ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ NCC ଓ NSS ସ୍ବେଚ୍ଛାସେବୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । କହିଲେ ଦେଶର ଆଶା ଆକାଂକ୍ଷାର ପ୍ରତିଫଳନ ଯୁବପୀଢି । ସେମାନଙ୍କ କାନ୍ଧରେ ରହିଛି ବିକଶିତ ଭାରତର ଉତ୍ତରଦାୟିତ୍ବ । ଅଧିକ ପଢନ୍ତୁ
ହାଇଦ୍ରାବାଦ: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) କ୍ୟାଡେଟ ଓ ଜାତୀୟ ସେବା ଯୋଜନା (NSS)ର ସ୍ବଚ୍ଛେସେବୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବାର୍ତ୍ତାଳାପର ନାମ ରଖାଯାଇଥିଲା ‘‘ଯୁବା ସମ୍ବାଦ’’। ଚୟନ ହୋଇଥିବା ଏହି ପ୍ରାର୍ଥୀମାନେ ଆସନ୍ତାକାଲି ପରେଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବପିଢି ଦେଶର ଆକାଂକ୍ଷାକୁ ପ୍ରତିଫଳିତ କରନ୍ତି । ଦେଶର ଆଶା ଆକାଂକ୍ଷା ଓ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉତ୍ତର ଦାୟିତ୍ବ ସେମାନଙ୍କ କାନ୍ଧରେ ରହିଛି ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଦସ୍ୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ,‘‘ ଏହି କାର୍ଯ୍ୟକ୍ରମ ଦୁଇ ପ୍ରମୁଖ କାରଣରୁ ବେଶ ଗୁରୁତ୍ବପୂର୍ଣ୍ଣ । ଦେଶର ଯୁବପିଢି ମଧ୍ୟରେ ଶକ୍ତି, ଉତ୍ସାହ, ନୂତନତା ଭରିରହିଛି । ଯୁବପିଢିଙ୍କ ଉତ୍ସାହ ଦେଖି ମୋ ଭିତରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଦିନରାତି କାମ କରିବାକୁ ପ୍ରେରଣା ମିଳିଥାଏ । ଆପଣ ସମସ୍ତେ ସ୍ୱାଧୀନତାର ଏହି ସୁବର୍ଣ୍ଣ ଯୁଗରେ ଦେଶର ଆକାଂକ୍ଷା ଏବଂ ସ୍ୱପ୍ନକୁ ପ୍ରତିନିଧିତ୍ୱ କରୁଛନ୍ତି ।’’
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ଆପଣମାନେ ଏକ ବିକଶିତ ଭାରତର ସବୁଠାରୁ ବଡ ଅଂଶ ହେବାକୁ ଯାଉଛନ୍ତି । ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସର୍ବାଧିକ ଉତ୍ତରଦାୟିତ୍ବ ମଧ୍ୟ ଆପଣମାନଙ୍କ କାନ୍ଧରେ ନ୍ୟସ୍ତ । ଦେଶରେ ଜାରି ରହିଥିବା ଅଭିଯାନଗୁଡିକରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆଗେଇ ଆସନ୍ତୁ ।’’ ସ୍ବଚ୍ଛ୍ବ ଭାରତ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଯୁବକ ଏହାକୁ ଜୀବନର ମିଶନ ଭାବରେ ଗ୍ରହଣ କରିବା ଉଚିତ ଏବଂ ସେମାନଙ୍କ ଆଖପାଖ, ଗ୍ରାମ, ସହରକୁ ପରିଷ୍କାର ରଖିବା ଦିଗରେ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ ।
ସେହିଭଳି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅମୃତ ମହୋତ୍ସବର ଉଦାହରଣ ଦେଇ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି । ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଅତି କମରେ ଗୋଟିଏ ପୁସ୍ତକ ପଢିବା ସହ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଜଡିତ କବିତା, କାହାଣୀ କିମ୍ବା ବ୍ଲଗିଂ ପରି କିଛି ସୃଜନଶୀଳତାର କାର୍ଯ୍ୟ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିିକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
