ETV Bharat / bharat

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, 26ରେ ପହଞ୍ଚିଲାଣି ସଂଖ୍ୟା

author img

By ETV Bharat Odisha Team

Published : Sep 28, 2023, 5:45 PM IST

କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ, 26 ରେ ପହଞ୍ଚିଲା ସଂଖ୍ୟା
କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ, 26 ରେ ପହଞ୍ଚିଲା ସଂଖ୍ୟା

ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ର ଜୀବନ ହାରିଛନ୍ତି । ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ ଛାତ୍ର । ଚଳିତବର୍ଷ ଆତ୍ମହତ୍ୟା ଜନିତ ମୃତ୍ୟୁ ଅଭିଯୋଗ 26ରେ ପହଞ୍ଚିଲାଣି । ଚିନ୍ତାରେ ଅଭିଭାବକ ଓ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥାନ): ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ରାଜସ୍ଥାନ କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା । ଆଜି ଜାତୀୟସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସେ ରହୁଥିବା କୋଠରୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ର ଉତ୍ତର ପ୍ରଦେଶର ବାସିନ୍ଦା ଓ ଗତ ବର୍ଷ ହେବ ସେ କୋଟାରେ ରହି ନିଟ୍‌ ପରୀକ୍ଷା ପାଇଁ ସେଲ୍ଫ ଷ୍ଟଡି କରୁଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଜିର ସଂଖ୍ୟାକୁ ମିଶାଇ କେବଳ ଚଳିତବର୍ଷ ସନ୍ଦେହଜନକ ଛାତ୍ର ଆତ୍ମହତ୍ୟା ସଂଖ୍ୟା 26ରେ ପହଞ୍ଚିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରଙ୍କ ନାମ ତନବିର ଓ ସେ ଉତ୍ତର ପ୍ରଦେଶର ବାସିନ୍ଦା । ତାଙ୍କ ପିତା ମହମ୍ମଦ ହୁସେନ କୋଟାରେ ଏକ କୋଚିଂ ସେଣ୍ଟରରେ ଏକାଦେଶ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ କୋଚିଂ ଦେଉଛନ୍ତି । ପୁଅ ତନବିର କୋଟାରେ ରହି, କୌଣସି କୋଚିଂ ସେଣ୍ଟରରେ କୋଚିଂ ନନେଇ ନିଜେ ଗତ ବର୍ଷେ ହେଲାଣି ନିଟ୍‌ ପରୀକ୍ଷା ପାଇଁ ସେଲ୍ଫ ଷ୍ଟଡି ଚଳାଇଥିଲେ । ତେବେ ସେ ରହୁଥିବା କୋଠରୀରେ ତାଙ୍କୁ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ପରି ମନେ ହେଉଛି । ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ପରିବାର ସଦସ୍ୟଙ୍କଠାରୁ ମୃତ ଛାତ୍ରଙ୍କ ପରୀକ୍ଷା ପ୍ରସ୍ତୁତି ଓ ଅନ୍ୟ ସମ୍ପର୍କରେ ସୂଚନା ସଂଗ୍ରହ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ :- କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

JEE ଓ NEET ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଓ ସରକାରୀ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସିଥାଆନ୍ତି । ଏହି ପରୀକ୍ଷାରେ ଫଳାଫଳରେ ସଫଳତା ରେକର୍ଡ ଥିବା ଏକାଧିକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଏହି ସହରରେ ରହିଛି । ତେବେ ଚଳିତ ବର୍ଷ (2023)ରେ କୋଟାରେ କୋଚିଂ ନେଉଥିବା 26 ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକି ଆତ୍ମହତ୍ୟା ଜନିତ ବୋଲି ସନ୍ଦେହ କରାଯାଉଛି ।

ଜାତୀୟ ସ୍ତରର ପ୍ରତିଯୋଗିତାମୂଳକ କୋଚିଂ ପାଇଁ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର କୋଟାରେ ଏବେ କ୍ରମାଗତ ଛାତ୍ର ଆତ୍ମହତ୍ୟା ଜନିତ ଘଟଣା ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ହଷ୍ଟେଲ ମାଲିକ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ । ସ୍ଥିତି ଏପରି ହୋଇଛି ଯେ, କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡିକରେ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ତଥାପି ଛାତ୍ର ଜୀବନ ହାରିବା ଘଟଣା କ୍ରମାଗତ ଅଭିଯୋଗ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.