ETV Bharat / bharat

କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

author img

By ETV Bharat Odisha Team

Published : Aug 27, 2023, 8:51 PM IST

ରାଜସ୍ଥାନରେ କୋଟାରେ ଛାତ୍ର ଆତ୍ମହତ୍ୟା ପାଇଁ ବଢୁଛି ଚିନ୍ତା । ରୁମରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ଛାତ ଓ ବାଲକୋନୀରେ ସ୍ବତନ୍ତ୍ର ଜାଲି ଲଗାଉଛନ୍ତି ହଷ୍ଟେଲ ମାଲିକ । ଅଧିକ ପଢନ୍ତୁ

କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି
କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

ଜୟପୁର: ଜାତୀୟ ସ୍ତରର ପ୍ରତିଯୋଗିତାମୂଳକ କୋଚିଂ ପାଇଁ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର କୋଟାରେ ଏବେ କ୍ରମାଗତ ଛାତ୍ର ଆତ୍ମହତ୍ୟା ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ହଷ୍ଟେଲ ମାଲିକ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ । ସ୍ଥିତି ଏପରି ହୋଇଛି ଯେ, କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡିକରେ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ହଷ୍ଟେଲ ମାଲିକମାନେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ ଓ ହଷ୍ଟେଲ ବାଲକୋନୀରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଯାହା ଫଳରେ କୌଣସି ଛାତ୍ର ଯଦି କିଛି ଭୁଲ ନିଷ୍ପତ୍ତି ନିଏ, ତେବେ ତାହାକୁ ରୋକାଯାଇ ପାରିବ ।

ରୁମର ଛାତରେ ଲାଗିଥିବା ସିଲିଂ ଫ୍ୟାନ୍‌ରେ ଏବେ ସ୍ପ୍ରିଙ୍ଗ୍‌ ବ୍ୟବସ୍ଥା କରାଯାଉଛି । ଯଦି କେହି ଝୁଲିବାକୁ ଉଦ୍ୟମ କରେ ତେବେ ଏଥିରେ ସେ ସଫଳ ହେବନାହିଁ । ସେହିପରି ଏବେ ଛାତ ଓ ବାଲକୋନୀରୁ ତଳକୁ ଡେଇଁ ନପାରିବା ପାଇଁ ବିଶେଷ ଧରଣର ଜାଲି ମଧ୍ୟ ବ୍ୟବହାର କରାଯାଉଛି । ଛାତ୍ରାବାସ ଓ କୋଚିଂ ସେଣ୍ଟର ଗ୍ରାଉଣ୍ଡ୍‌ ଫ୍ଲୋର୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସ୍ଥାନକୁ ଖୋଲା ନଛାଡ଼ି ଜାଲିରେ ଆବଦ୍ଧ କରାଯାଉଛି । ତେଣୁ ଛାତ୍ରଛାତ୍ରୀଙ୍କ ଦ୍ବାରା କୌଣସି ଆପତ୍ତିଜନକ ଉଦ୍ୟମକୁ ସହଜରେ ରୋକାଯାଇ ପାରିବ ।

ଯଦି କୌଣସି ଛାତ୍ର ଏପରି ଉଦ୍ୟମ କରେ, ତେବେ ଫ୍ୟାନ୍‌ ସ୍ପ୍ରିଙ୍ଗ ସାହାଯ୍ୟରେ ତଳକୁ ଝୁଲି ଆସିବା ସହ ସାଇରନ ମଧ୍ୟ ବାଜିବ । ସେହପରି ବାଲକୋନୀ ଓ ଛାତର ଖୋଲା ସ୍ଥାନରେ ଲଗାଯାଉଥିବା ବିଶେଷ ଧରଣର ଏହି ଜାଲି ମଧ୍ୟ ବେଶ ମଜଭୁତ୍‌ । ଏହା ପ୍ରାୟତଃ 150 କେଜି ପର୍ଯ୍ୟନ୍ତ ଓଜନ ସମ୍ଭାଳିବା ସହ ଛିଡ଼ିବ ନାହିଁ । ତେଣୁ କୌଣସି ଅପ୍ରୀତିକର ଉଦ୍ୟମକୁ ସହଜରେ ରୋକାଯିବା ସହ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ମଧ୍ୟ କରାଯାଇପାରିବ ।

JEE ଓ NEET ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଓ ସରକାରୀ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସିଥାଆନ୍ତି । ଏହି ପରୀକ୍ଷାରେ ଫଳାଫଳରେ ସଫଳତା ରେକର୍ଡ ଥିବା ଏକାଧିକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଏହି ସହରରେ ରହିଛି । ତେବେ ଚଳିତ ବର୍ଷ (2023)ରେ କୋଟାରେ କୋଚିଂ ନେଉଥିବା 20 ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକି ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Unique Punishment: ଛାତ୍ରୀଙ୍କୁ ଅସଦାଚରଣ କରୁଥିଲା କଣ୍ଡକ୍ଟର, କାନରେ ବିନ୍‌ ଫୁଙ୍କିଲା ପୋଲିସ

ଦୀର୍ଘ ସମୟର ପ୍ରସ୍ତୁତି ପରେ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ପିଲାମାନେ ଏପରି ଚରମ ନିଷ୍ପତ୍ତି ଗ୍ରହଣ କରୁଥିବା ସନ୍ଦେହ ପ୍ରକାଶ ପାଇଛି । ଯାହା ଏବେ କୋଚିଂ ସେଣ୍ଟର୍‌, ଶିକ୍ଷାବିତ୍‌ ଓ ଅଭିଭାବକଙ୍କ ଚିନ୍ତା ବଢାଇଛି । ଏବେ ଏପରି ସମୟରେ ଏହାକୁ ରୋକିବା ପାଇଁ ଏହି ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ହଷ୍ଟେଲ୍‌ ମାଲିକମାନେ । ଏପରି ସମୟରେ ସଫଳତା ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନ ନୁହେଁ ବରଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଓ ଧୈର୍ଯ୍ୟ ବଢ଼ାଇବା ଜରୁରୀ ବୋଲି ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.