ETV Bharat / bharat

Women's Reservation Bill: ବିଜେପି ପାଇଁ ରାଜନୀତି ପ୍ରସଙ୍ଗ ନୁହେଁ, ସମୟର ଆହ୍ବାନ କହିଲେ ଶାହ

author img

By ETV Bharat Odisha Team

Published : Sep 20, 2023, 8:42 PM IST

Women's Reservation Bill: ବିଜେପି ପାଇଁ ରାଜନୀତି ପ୍ରସଙ୍ଗ ନୁହେଁ, ସମୟର ଆହ୍ବାନ କହିଲେ ଶାହ
Women's Reservation Bill: ବିଜେପି ପାଇଁ ରାଜନୀତି ପ୍ରସଙ୍ଗ ନୁହେଁ, ସମୟର ଆହ୍ବାନ କହିଲେ ଶାହ

ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌ । ଚର୍ଚ୍ଚାରେ ଏହାକୁ ରାଜନୀତି ବିଷୟ ନୁହେଁ ବରଂ ମହିଳା ସଶକ୍ତିକରଣର ଆହ୍ବାନ ବୋଲି କହିଥିଲେ ଶାହ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦିନ ସାରା ସରଗରମ ଚର୍ଚ୍ଚା ପରେ ସଂଧ୍ୟାରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ ହୋଇଛି । ଏହି ବିଲ ଆଗତ କରିବା ଭାରତୀୟ ଜନତା ପାର୍ଟିର ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ସମୟର ଆହ୍ବାନ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଭୋଟିଂ ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରି ଶାହ କହିଛନ୍ତି, ଏହି ବିଲ୍‌ ଆଣି ବିଜେପି କୌଣସି ରାଜନୀତି କରିବାକୁ ପସନ୍ଦ କରେନି । ଦେଶରେ ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇଆସିଛି । କିଛି ଦଳଙ୍କ ପାଇଁ ଏହା ନିର୍ବାଚନୀ ପ୍ରସଙ୍ଗ ହୋଇପାରେ । ମହିଳା କାର୍ଡ ଖେଳି କିଛି ରାଜନୈତିକ ଦଳ ନିର୍ବାଚନରେ ବିଜୟ ଲାଭ କରିବାକୁ ମଧ୍ୟ ଆଗ୍ରହୀ । ହେଲେ ଏହି ବିଲ୍‌ ଦଳ ପାଇଁ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ଆଗତ କରିବା ସମୟର ଆବଶ୍ୟକତା ଥିଲା । ତେଣୁ ଏହାକୁ ଆଗତ କରାଯାଇ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

128 ତମ ସଂମ୍ବିଧାନ ସଂଶୋଧନ ବିଲ ଭାବେ ଆଗତ ହୋଇଥିବା ଏହି ବିଲ ଆଜି ଦୀର୍ଘ ଏକଦିବସୀୟ ଚର୍ଚ୍ଚା ମଧ୍ୟରେ ସଂଧ୍ୟାରେ ପାରିତ ହୋଇଛି । ମୋଟ 454 ଜଣ ସାଂସଦ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ ମାତ୍ର ଦୁଇ ସାଂସଦ ଏହା ବିରୋଧରେ ଭୋଟ ଦେଇଛନ୍ତି । ଆଜି ଏହା ଲୋକସଭାରେ ପାରିତ ହୋଇଛି । ଆସନ୍ତାକାଲି ରାଜ୍ୟସଭାରେ ଆଗତ ସହ ଚର୍ଚ୍ଚା ହେବ । ଆଜି ପୂର୍ବାହ୍ନରୁ ଜାରି ରହିଥିବା ଚର୍ଚ୍ଚାରେ କଂଗ୍ରେସ ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ବିରୋଧୀ ନେତା ଅଂଶଗ୍ରହଣ କରିଥିଲେ । ସରକାରୀ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି ବିଲକୁ ମୋଦି ନେତୃତ୍ବଧୀନ ଭାରତୀୟ ଜନତା ପାର୍ଟିର ଏକ ବଡ ଉପଲବ୍ଧି କହିବା ସହ ସୋନିଆଙ୍କ ମନ୍ତବ୍ୟକୁ ପରୋକ୍ଷ ଟାର୍ଗେଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Women's Reservation Bill: ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

ଗୋଟିଏ ଦିନ ସରଗରମ ଚର୍ଚ୍ଚା ପରେ ସଂଧ୍ୟାରେ ଏହି ବହୁ ପ୍ରତୀକ୍ଷିତ ବିଲ୍‌ ପାସ ହୋଇଛି । ରାଜ୍ୟସଭାରେ ମଧ୍ୟ ଏହା ଏକାଧିକ ବିରୋଧୀ ଦଳଙ୍କ ସମର୍ଥନରେ ପାସ ହେବାର ପ୍ରାୟତଃ ପୂର୍ଣ୍ଣ ସମ୍ଭାବନା ମଧ୍ୟ ରହିଛି । ଏହା ଆଇନରେ କାର୍ଯ୍ୟକାରୀ ହେବା ପରେ 2027 ମସିହା ପରେ କାର୍ଯ୍ୟକାରୀ ହୋଇପାରେ । କାରଣ ନୂତନ ଜନଗଣନା ରିପୋର୍ଟ ଓ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରିତ ହେବା ପର୍ଯ୍ୟନ୍ତ ଏହି ଆଇନକୁ ଲାଗୁ କରିବାକୁ ସରକାରଙ୍କୁ ଅପେକ୍ଷା କରିବାକୁ ହେବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.