ETV Bharat / bharat

Niti Aayog Report: ଦେଶରେ କମିଛି ଦାରିଦ୍ର୍ୟ, ମାଲକାନଗିରିରେ ଗରିବୀ ହାର ସର୍ବାଧିକ

author img

By

Published : Jul 18, 2023, 10:55 AM IST

Niti Aayog Report on poverty
Niti Aayog Report on poverty

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବଡ ସଫଳତା । ଗତ ୫ ବର୍ଷ ଭିତରେ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି ୧୩ କୋଟିରୁ ଅଧିକ ଲୋକେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ କମିଛି ଗରୀବ ସଂଖ୍ୟା । ଦେଶରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବଡ ସଫଳତା ମିଳିଛି । ଗତ ୫ ବର୍ଷ ଭିତରେ ୧୩୫ ମିଲିୟନ(୧୩ କୋଟି ୫ ଲକ୍ଷ) ଲୋକ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି । ଭାରତରେ ୨୦୧୫-୧୬ରେ ଦାରିଦ୍ର୍ୟତା ହାର ୨୪.୮ ପ୍ରତିଶତ ଥିବାବେଳେ ୨୦୧୯-୨୧ ମଧ୍ୟରେ ଏହା ଭାରି ହ୍ରାସ ସହ ୧୪.୯୬ ପ୍ରତିଶତ ହୋଇଛି । ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାର ୩୨.୫୯ ପ୍ରତିଶତରୁ କମି ୧୯.୨୮ ପ୍ରତିଶତ ଏବଂ ସହରାଞ୍ଚଳରେ ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତ ରହିଛି । ଓଡ଼ିଶା ସମେତ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ପ୍ରଭୃତି ରାଜ୍ୟରେ ଗରୀବ ସଂଖ୍ୟାରେ ଦ୍ରୁତ ହ୍ରାସ ଆସିଛି । ଉତ୍ତରପ୍ରଦେଶରେ ସର୍ବାଧିକ ଲୋକେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଯାହାକି ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: PGI Report: ସ୍କୁଲ ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା

ସବୁଠୁ ଦାରିଦ୍ର୍ୟ ଜିଲ୍ଲା ମାଲକାନଗିରି: ନୀତି ଆୟୋଗ ପକ୍ଷରୁ ଜାରି ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ: ଏକ ଅଗ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ଅନୁସାରେ, ୨୦୧୫-୧୬ରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତ ଥିବାବେଳେ ୨୦୧୯-୨୧ ବର୍ଷରେ ଏହା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୫-୧୬ ବର୍ଷରେ ରାଜ୍ୟର ଗ୍ରାମାଞ୍ଚଳରେ ଗରୀବ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତ ଥିଲା । ଯାହାକି ୫ ବର୍ଷ ପରେ ୧୭.୭୨ ପ୍ରତିଶତ ହୋଇଛି । ସେହିପରି ସହରାଞ୍ଚଳରେ ଏହି ହାର ୧୨.୩୨ ପ୍ରତିଶତ ଥିବାବେଳେ ରିପୋର୍ଟ ଅନୁଯାୟୀ ଏହା ୫.୪୨ ପ୍ରତିଶତକୁ କମିଆସିଛି । ମାଲକାନିଗିରି ଜିଲ୍ଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି ଅର୍ଥାତ୍ ଏହା ରାଜ୍ୟର ସବୁଠୁ ଗରୀବ ଜିଲ୍ଲା ।

ଏହାମଧ୍ୟ ପଢନ୍ତୁ: ଭାରତରେ ଗତ 15 ବର୍ଷରେ ଗରିବୀରୁ ମୁକ୍ତ ହୋଇଛନ୍ତି 41କୋଟି: ଜାତିସଂଘ

ମାଲାକାନଗିରିରେ ଦାରିଦ୍ର୍ୟତା ହାର ସର୍ବାଧିକ ୪୫.୦୧ ପ୍ରତିଶତ ରହିଛି । ଏହାପଛକୁ ରାୟଗଡା ଜିଲ୍ଲାରେ ୪୮.୧୪ ପ୍ରତିଶତରୁ ହ୍ରାସ ପାଇ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜ ଜିଲ୍ଲାରେ ୩୦.୫୭ ପ୍ରତିଶତ, ଗଜପତିରେ ୨୮.୧୪ ପ୍ରତିଶତ, କେନ୍ଦୁଝରରେ ୨୬.୭୬ ପ୍ରତିଶତ, କନ୍ଧମାଳରେ ୨୫.୩୦ ପ୍ରତିଶତ, ନୂଆପଡାରେ ୨୦.୧୯ ପ୍ରତିଶତ, କଳାହାଣ୍ଡିରେ ୧୯.୪୭ ପ୍ରତିଶତ, ଭଦ୍ରକରେ ୧୬.୬୦ ପ୍ରତିଶତ, ଦେବଗଡରେ ୧୬.୫୬ ପ୍ରତିଶତ, ବୌଦ୍ଧରେ ୧୬.୨୭ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାରେ ୧୫.୯୮ ପ୍ରତିଶତ ରହିଛି ।

ପୁରୀରେ ସବୁଠୁ କମ୍ ଗରୀବ: ସେହିପରି ସୁନ୍ଦରଗଡ ଜିଲ୍ଲାରେ ୧୪.୭୭ ପ୍ରତିଶତ, ବାଲେଶ୍ବରରେ ୧୪.୨୧ ପ୍ରତିଶତ, ଯାଜପୁରରେ ୧୪.୧୦ ପ୍ରତିଶତ, ଅନୁଗୋଳରେ ୧୩.୮୭ ପ୍ରତିଶତ, ବରଗଡରେ ୧୧.୫୧ ପ୍ରତିଶତ, ସମ୍ବଲପୁରରେ ୧୦.୦୫ ପ୍ରତିଶତ, ବଲାଙ୍ଗୀରରେ ୯.୫୨ ପ୍ରତିଶତ, କେନ୍ଦ୍ରାପଡାରେ ୮.୯୦ ପ୍ରତିଶତ, ସୋନପୁରରେ ୮..୬୮ ପ୍ରତିଶତ, ଝାରସୁଗୁଡାରେ ୭.୦୯ ପ୍ରତିଶତ, ନୟାଗଡ଼ରେ ୬.୬୩ ପ୍ରତିଶତ, ଗଞ୍ଜାମ ଓ କଟକରେ ୬.୩୧ ପ୍ରତିଶତ, ଖୋର୍ଦ୍ଧାରେ ୩.୯୫ ପ୍ରତିଶତ, ଜଗତସିଂହପୁରରେ ୩.୫୩ ପ୍ରତିଶତ ଥିବାବେଳେ ପୁରୀ ଜିଲ୍ଲାରେ ଦାରିଦ୍ର୍ୟ ହାର ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି । ଦେଶରେ ପୋଷଣ, ସ୍କୁଲ ଶିକ୍ଷା, ସ୍ବଚ୍ଛତା, ରୋଷେଇ ବ୍ୟବହୃତ ଇନ୍ଧନ, ପାନୀୟ ଜଳ, ବିଜୁଳି, ମାତୃ ସ୍ବାସ୍ଥ୍ୟ, ଶିଶୁ ଓ କିଶୋର ମୃତ୍ୟୁ ହାର, ବ୍ୟାଙ୍କ ଖାତା ଇତ୍ୟାଦି ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆସିଛି । ଯାହାଫଳରେ ଦାରିଦ୍ର୍ୟ ହାର ମଧ୍ୟ କମ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.