ETV Bharat / bharat

ଟେରର-ଗ୍ୟାଙ୍ଗଷ୍ଟାର ଲିଙ୍କ୍‌ ବିରୋଧରେ NIAର ମେଗା ଅପରେସନ: 4 ରାଜ୍ୟର 30 ସ୍ଥାନରେ ରେଡ୍, ଟଙ୍କା ଓ ମାରଣାସ୍ତ୍ର ଜବତ

author img

By ETV Bharat Odisha Team

Published : Jan 11, 2024, 5:49 PM IST

ଟେରର-ଗ୍ୟାଙ୍ଗଷ୍ଟାର ମାମଲା: ଦିଲ୍ଲୀ ହରିୟାଣା ଓ ପଞ୍ଜାବର 30 ରୁ ଅଧିକ ସ୍ଥାନରେ NIA ଚଢାଉ
ଟେରର-ଗ୍ୟାଙ୍ଗଷ୍ଟାର ମାମଲା: ଦିଲ୍ଲୀ ହରିୟାଣା ଓ ପଞ୍ଜାବର 30 ରୁ ଅଧିକ ସ୍ଥାନରେ NIA ଚଢାଉ

Terror-gangster case: 4 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳରେ NIAର ମେଗା ଅପରେସନ। 32 ସ୍ଥାନରେ ଏକକାଳୀନ ଜାରି ରହିଛି ଚଢାଉ । ମାରଣାସ୍ତ୍ର ଓ ଟଙ୍କା ଜବତ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର ଓ ନିଶା ମାଫିଆଙ୍କ ଦ୍ବାରା ସମନ୍ବିତ ଅପରାଧିକ ନେଟଓ୍ବାର୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଏକାଧିକ ସ୍ଥାନରେ ମେଗା ଅପରେସନ ଜାରି ରଖିଛି । ଆଜି ଏକାକାଳୀନ 4 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 32 ଟି ସ୍ଥାନରେ ଏନଆଇଏ ଟିମ ସ୍ଥାନୀୟ ପୋଲିସ ସହାୟତାରେ ଚଢାଉ ଜାରି ରହିଛି । ଜେଲରେ ବନ୍ଦ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଓ ପଞ୍ଜାବର ଆତଙ୍କୀ ସଂଗଠନ ‘ବାବର ଖାଲସା ଇଣ୍ଟରନେସନାଲ’ (BKI) ଓ ଅନ୍ୟ ଆତଙ୍କୀ ସଂଗଠନ ଲିଙ୍କରେ ଥିବା ଏକାଧିକ ଠିକଣାରେ ଏହି ଚଢାଉ ଜାରି ରହିଛି ।

ଜାତୀୟ ତଦନ୍ତକାରୀ ସଂସ୍ଥାର ମେଗା ଅପରେସନ ରାଜଧାନୀ ଦିଲ୍ଲୀ ସମେତ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଚଣ୍ଡିଗଡରେ ଜାରି ରହିଛି । ଏବେ ସୁଦ୍ଧା ଗିରଫଦାରୀ ସମ୍ପର୍କରେ କୌଣସି ତଥ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏକାଧିକ ମାରଣାସ୍ତ୍ର, ପ୍ରାୟ 4 ଲକ୍ଷ ନଗଦ ଟଙ୍କା ଓ ବହୁ ଡିଜିଟାଲ ଡିଭାଇସ ତଦନ୍ତକାରୀ ସଂସ୍ଥାର ଟିମ୍‌ ହାତରେ ଲାଗିଥିବା ସୂଚନା ମିଳିଛି ।

କେସ ନମ୍ବର (RC-21/2023/NIA/DLI) ଅନୁସାରେ, ପଞ୍ଜାବରୁ ସଞ୍ଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ‘ବିକେଆଇ’ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗତବର୍ଷ ଜୁଲାଇରେ ହରବିନ୍ଦର ସିଂ ଓରଫ ରିନ୍ଦା, ଲଖବୀର ସିଂ ସନ୍ଧୁ ଓରଫ ଲଣ୍ଡା ବିରୋଧରେ NIA ନିଜଆଡୁ ମାମଲା ରୁଜୁ କରିଥିଲା । ଏହି ଉଭୟ ଅପରାଧି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିବା ପରେ ଏହି ଦୁଇ ମାଫିଆଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା ।

ଏହା ପରେ ମାମଲା ନମ୍ବର (RC-39/2022/NIA/DLI) ଅନୁସାରେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଲରେନ୍ସ ବିଷ୍ଣୋଇ ଓ କାନାଡାରେ ଲୁଚିଥିବା ଗୋଲ୍ଡି ବରାର ଗ୍ୟାଙ୍ଗ ବିରୋଧରେ ତଦନ୍ତ ଜାରି ରଖିଛି ଏନଆଇଏ । ହତ୍ୟା, ଦାଦାବଟି, ଅପରହଣ, ଚାନ୍ଦା ପାଇଁ ହତ୍ୟା ଧମକ, ମାରଣାସ୍ତ୍ର ଯୋଗାଣ ପରି ସଙ୍ଗୀନ ଅପରାଧିକ କାର୍ଯ୍ୟକଳାପରେ ଏହି ଉଭୟ ଗୋଷ୍ଠୀରେ ଅନେକ ଅପରାଧୀ ସାମିଲ ରହିଛନ୍ତି । ନିକଟରେ ଗୋଲ୍ଡି ବରାରକୁ ଗ୍ୟାଙ୍ଗଷ୍ଟାରରୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଆଜି ଏହି ମାମଲାରେ ଏକାଧିକ ସ୍ଥାନରେ ଚଢାଉ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:- ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଏବେବି ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ

ସେହିପରି ତୃତୀୟ ମାମଲା (RC-22/2023/NIA/DLI) ରେ ଏକାଧିକ ଆତଙ୍କବାଦୀ ସଂସ୍ଥା ସହ ଲିଙ୍କରେ ରହି ଭାରତରେ ଅସ୍ଥିରତା ଓ ଆତଙ୍କବାଦ ଘଟଣାକୁ ରୂପ ଦେବାରେ ସମ୍ପୃକ୍ତ ଥିବା ଅଭିଯୁକଙ୍କ ଠିକଣାରେ ଏହି ଚଢାଉ ଜାରି ରହିଛି । ଏଥିରେ ମୋଟ 9ଟି ସ୍ଥାନରେ ଚଢାଉ ଜାରି ରହିଥିବା ଜଣାପଡ଼ିଛି । ଏହି ମେଗା ଅପରେସନରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକାଧିକ ଟିମ ଗୁଇନ୍ଦା ଇନପୁଟ ଓ ସ୍ଥାନୀୟ ପୋଲିସ ସହଯୋଗରେ ଚଢାଉ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.