ETV Bharat / bharat

ଘାଟିରେ JeM ଆତଙ୍କୀକୁ ଗିରଫ କଲା NIA

author img

By

Published : May 21, 2023, 5:17 PM IST

ଘାଟିରେ JeM ଆତଙ୍କୀକୁ ଗିରଫ କଲା NIA
ଘାଟିରେ JeM ଆତଙ୍କୀକୁ ଗିରଫ କଲା NIA

ଘାଟିରେ ଜଣେ JeM ଆତଙ୍କୀକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ପାକ୍‌ ଅଧିକୃତ କାଶ୍ମୀରରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନକୁ ଯୋଗାଉଥିଲା ସେନା ଗତିବିଧି ସମ୍ପର୍କିତ ତଥ୍ୟ । ଅଧିକ ପଢନ୍ତୁ

ଶ୍ରୀନଗର: ଘାଟିରେ ଆତଙ୍କୀ ନିରୋଧୀ ମିଶନରେ ଆଉ ଏକ ସଫଳତା ପାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଆତଙ୍କବାଦୀ ସଂଗଠନ JeM ର ଜଣେ ସଦସ୍ୟକୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଛି । ଗିରଫ ଆତଙ୍କୀ ମହମ୍ମଦ ଉବୈଦ ମଲ୍ଲିକ ଓ ସେ ସ୍ଥାନୀୟ କୂପଓ୍ବାରା ଜିଲ୍ଲାର ବାସିନ୍ଦା ହୋଇଥିବା ପ୍ରାଥମିକ ଭାବେ ତଦନ୍ତକାରୀ ସଂସ୍ଥା କହିଛି । ସେ ପାକିସ୍ତାନରୁ ସଞ୍ଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ଅଛି । ଘାଟିରେ ଆତଙ୍କୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଜଣାପଡିବା ପରେ କେନ୍ଦ୍ରୀୟ ସଂସ୍ଥା ତାକୁ ଆଜି ପୂର୍ବାହ୍ନରେ ଗିରଫ କରିଛି ।

ତାକୁ ପ୍ରାଥମିକ ଜେରା ପରେ ମିଳିଥିବା ସୂଚନା ଅନୁସାରେ, ଘାଟିରେ ଭାରତୀୟ ସେନାର ଆତଙ୍କୀ ନିରୋଧ ଅପରେସନ ଓ ସେନାର ଗତିବିଧି ସମ୍ପର୍କରେ ସେ ପାକିସ୍ତାନକୁ ସୂଚନା ଯୋଗାଇ ଆସୁଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ସହ ସେ ନିରନ୍ତର ଯୋଗାଯୋଗରେ ଥିବା ସହ ନିୟମିତ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା । ଗୁଇନ୍ଦା ସୂତ୍ରରୁ ଏପରି ସୂଚନା ମିଳିବା ପରେ ତା’ର ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ସେ ପାକିସ୍ତାନ ସହ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ କେନ୍ଦ୍ରୀୟ ସଂସ୍ଥା ତାକୁ ଗିରଫ କରିଛି । ପୂର୍ବରୁ ମଧ୍ୟ ଘାଟିରେ ହୋଇଥିବା କିଛି ଆତଙ୍କୀ ହିଂସାରେ ସେ ପରୋକ୍ଷ ଭାବେ ସମ୍ପୃକ୍ତ ।

ଘାଟିରେ ଆତଙ୍କୀ ନିରୋଧୀ ଅପରେସନ ତ୍ବରାନ୍ବିତ ଭାବେ ଜାରି ରହିଛି । ଭାରତୀୟ ସେନା ଓ ଅର୍ଦ୍ଧ ସାମରିକ ବଳ ନିୟମିତ ସର୍ଚ୍ଚ ଅପରେସନ ଓ ଆବଶ୍ୟକ ସ୍ଥଳେ ଏନକାଉଣ୍ଟର ଜାରି ରଖିଛନ୍ତି । ପ୍ରାୟ ସମସ୍ତ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା ମଧ୍ୟ ମିଳୁଛି । ଅନ୍ୟପଟେ ଜାତୀୟ ତଦନ୍ତକାରୀ ସଂସ୍ଥା ଆତଙ୍କୀ ଷଡଯନ୍ତ୍ର ଓ ସ୍ଲିପରସେଲର ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଗୁଇନ୍ଦା ବିଭାଗ ମଧ୍ୟ ଆଲର୍ଟ ମୋଡରେ ରହିଛି । କୌଣସି ଇନ୍‌ପୁଟ ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଏନକାଉଣ୍ଟର ଆରମ୍ଭ କରୁଛି ।

ଘାଟିରେ ଗତବର୍ଷ ଶେଷ ଓ ଚଳିତବର୍ଷ ଆରମ୍ଭରେ ଅଣସ୍ଥାନୀୟଙ୍କୁ ଟାର୍ଗେଟ କିଲିଂର ଏକାଧିକ ମାମଲା ସାମ୍ନାକୁ ଆସିଥିଲା । ଏହାପରେ କାଶ୍ମୀର ପଣ୍ଡିତମାନେ ସେମାନଙ୍କ ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇଥିଲା । ସ୍ଥିତି ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରିବା ସହ ଅତିରିକ୍ତ ସିଆରପିଏଫ କମ୍ପାନୀ ମଧ୍ୟ ମୁତୟନ କରିଥିଲା । ଏବେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପରେ ହ୍ରାସ ଘଟିଛି । ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି20 ସମ୍ମିଳନୀର କିଛି କାର୍ଯ୍ୟକ୍ରମ କାଶ୍ମୀରରେ ମଧ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.