ETV Bharat / bharat

ନୂତନ ଭାରତର ଅର୍ଥ ଚନ୍ଦ୍ରଯାନ, କୋୱିନ, 5G: ଏସ ଜୟଶଙ୍କର

author img

By ETV Bharat Odisha Team

Published : Oct 1, 2023, 5:22 PM IST

Jaishankar
Jaishankar

ଆମେରିକାରେ ଭାରତର ସଫଳତା ସମ୍ପର୍କରେ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । କହିଲେ ନୂତନ ଭାରତର ଅର୍ଥ ଚନ୍ଦ୍ରଯାନ, କୋୱିନ, 5G । ଅଧିକ ପଢନ୍ତୁ

ୱାଶିଂଟନ: ବିଗତ ଦିନରେ ଭାରତବର୍ଷର ସଫଳତାକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର । ନୂତନ ଭାରତ ହେଉଛି ଚନ୍ଦ୍ରଯାନ, କୋୱିନ, 5Gର ଭାରତ ବୋଲି ସେ କହିଛନ୍ତି । ଭାରତ କିପରି କିଛି ବର୍ଷ ମଧ୍ୟରେ ମହାକାଶ ଗବେଷଣା, ପ୍ରଯୁକ୍ତିବିଦ୍ୟା ଓ ମେଡିସିନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି ସେ ନେଇ ଆମେରିକାର ୱାଶିଂଟନ ଡିସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ବୟାନ ରଖିଛନ୍ତି ଜୟଶଙ୍କର ।

ୱାଶିଂଟନ ଡିସିର ଇଣ୍ଡିଆ ହାଉସ ଠାରେ 'କର୍ଲର୍ସ ଅଫ ଫ୍ରେଣ୍ଡସିପ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି, "ଭାରତ ପାଇଁ ଚନ୍ଦ୍ରଯାନ-3 ଏକ ବଡ଼ ସଫଳତା । ଭାରତ ଏବେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛି । ତେବେ ଆଜି ନୂତନ ଭାରତ କହିଲେ ଚନ୍ଦ୍ରଯାନ-3, କୋୱିନ ଓ 5Gକୁ ବୁଝାଯାଉଛି । " ଭାରତ ଓ ଆମେରିକାର ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରି ଜୟଶଙ୍କର କହିଛନ୍ତି ଯେ ଆମେରିକା ମଧ୍ୟ ଏବେ ଭାରତରେ ପୁଞ୍ଜି ନିବେଶ କରିବା ଲାଗି ବେଶ ଆଗ୍ରହୀ ରହିଛି ।

'ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ ବେଳେ ବୈଠକରେ ନେଇଥିଲୁ ବିରତି': ଭାରତର ଐତିହାସିକ ମୁନ୍‌ ମିଶନ ଚନ୍ଦ୍ରଯାନ-3ରେ ଜଡ଼ିତ ବୈଜ୍ଞାନିକଙ୍କୁ ଜୟଶଙ୍କର ଭେଟିଥିଲେ । ସେହି ସମୟର ଅନୁଭୂତି ବଖାଣି ଜୟଶଙ୍କର କହିଛନ୍ତି," ଭାରତର ଏହି ଐତିହାସିକ ଦିନରେ ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଥିଲୁ । ଯେତେବେଳେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିଥିଲା ସେତେବେଳେ ଆମେ ଦକ୍ଷିଣ ଆଫ୍ରିକା ସହିତ ଏକ ବୈଠକରେ ଥିଲୁ । ହେଲେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ଆମେ ବୈଠକରୁ ବିରତି ନେଇଥିଲୁ । କାରଣ ସେହି ସମୟ ଆମ ପାଇଁ ବେଶ ଜରୁରୀ ଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଇସ୍ରୋ ସହିତ ଏ ନେଇ ବାର୍ତ୍ତାଳାପ କରିଥିଲେ, ଯାହାକୁ ସାରା ଦୁନିଆ ଦେଖିଥିଲା । "

ଏହା ବି ପଢନ୍ତୁ- World Culture Festival 2023: ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

ସେପଟେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପୂର୍ବରୁ ଜୟଶଙ୍କର ଆମେରିକାରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହିତ ଗାନ୍ଧିଜୀଙ୍କ ମହାନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସୂଚନା ଥାଉ କି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସେପ୍ଟେମ୍ବର 22 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଥିଲେ । ସେ ନ୍ୟୁୟର୍କରେ 78ତମ ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହାସହିତ ଆମେରିକାର ପ୍ରମୁଖ ଅଧିକାରୀଙ୍କ ସହିତ ଜରୁରୀ ଆଲୋଚନା ମଧ୍ୟ କରିଥିଲେ । ଗତ ଶୁକ୍ରବାର ୱାଶିଂଟନ ଡିସିରେ ଆର୍ଟ ଅଫ ଲିଭିଂ ପକ୍ଷରୁ ଆୟୋଜିତ ହୋଇଥିବା 4ର୍ଥ ବିଶ୍ବ ସଂସ୍କୃତି ମହୋତ୍ସବରେ ମଧ୍ୟ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.