ETV Bharat / bharat

Maratha quota turns violent: NCP ବିଧାୟକଙ୍କ ଘର ଓ ଗାଡି ଜାଳିଦେଲେ ଆନ୍ଦୋଳନକାରୀ

author img

By ETV Bharat Odisha Team

Published : Oct 30, 2023, 4:40 PM IST

NCP ବିଧାୟକଙ୍କ ଘର ଓ ଗାଡି ଜାଲିଦେଲେ ଆନ୍ଦୋଳନକାରୀ
NCP ବିଧାୟକଙ୍କ ଘର ଓ ଗାଡି ଜାଲିଦେଲେ ଆନ୍ଦୋଳନକାରୀ

ମହାରାଷ୍ଟ୍ର ବିଡରେ NCP ବିଧାୟକଙ୍କ ଘର ଓ ଗାଡି ଜାଳି ଦେଲେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ମୁମ୍ବାଇ: ହିଂସ୍ର ହେବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଆଜି (ସୋମବାର) ବିଡ ଜିଲ୍ଲାରେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବାସଭବନକୁ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି । ବିଧାୟକ ନିଜେ ବାସଭବନରେ ଉପସ୍ଥିତ ଥିବା ବେଳେ ତାଙ୍କ ଘରକୁ ଟେକା ପଥର ମାଡ କରିବା ସହ ଘର ଓ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଏଥିରେ କେହି ମୃତାହତ ହୋଇନଥିବା ବେଳେ କାର ଓ ଘର ଜଳି ଯାଇଛି ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11ଟା ବେଳେ ବହୁ ଉତ୍ୟକ୍ତ ଆନ୍ଦୋଳନକାରୀ ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବିଡ ଜିଲ୍ଲା ସ୍ଥିତ ବାସଭବନ ନିକଟରେ ପହଞ୍ଚିଥିଲେ । ସେମାନେ ସେଠାରେ ନାରାବାଜୀ କରିବା ସହ ବିଧାୟକଙ୍କ ଘରକୁ ଟେକା ପଥର ମାଡ କରିଥିଲେ । ପରେ ପାର୍କିଂ ହୋଇଥିବା ବିଧାୟକଙ୍କ କାର ଓ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଏହି ପ୍ରସଙ୍ଗରେ ବିଧାୟକ ପ୍ରକାଶଙ୍କର ଏକ ତଥାକଥିତ କଲ ରେକର୍ଡିଂ ଭାଇରାଲ ହେବା ପରେ ଏହି ହିଂସାକାଣ୍ଡ ଘଟିଛି । ଏହାକୁ ବିରୋଧ କରି ମରାଠା ସଂରକ୍ଷଣ ଦାବି କରୁଥିବା ଏକ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ । ତେବେ ଏହି ସମୟରେ ବିଧାୟକ ପ୍ରକାଶ ନିଜେ ବାସଭବନରେ ଥିବା ମଧ୍ୟ ଦାବି କରିଛନ୍ତି । ହେଲେ ଏ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ:- Telangana: BRS ସାଂସଦଙ୍କୁ ହତ୍ୟା ଉଦ୍ୟମ, ପ୍ରଚାର ବେଳେ ଛୁରାମାଡ

ଏହି ଭାଇରାଲ ଅଡିଓ କ୍ଲିପରେ ମରାଠା ସଂରକ୍ଷଣ ଦାବି କରୁଥିବା ଜୈନିକ ସାମାଜିକ କାର୍ଯ୍ୟକର୍ତ୍ତା ମନୋଜ ଜାରଙ୍ଗେ ଓ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ମଧ୍ୟରେ ବାର୍ତ୍ତାଳାପ ହେଉଥିବା ଅଭିଯୋଗ ହୋଇଛି । ଏହି ସଂରକ୍ଷଣ ଆନ୍ଦୋଳନ ଓ 40 ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଦିଆଯାଇଥିବା ମହଲତ ଏବେ ଏକ ପିଲାଖେଳ ହୋଇସାରିଛି । ପଞ୍ଚାୟତ ନିର୍ବାଚନ ଲଢିପାରିବା କ୍ଷମତା ନଥିବା ଜଣେ ବ୍ୟକ୍ତି ସ୍ମାର୍ଟବୟ ହେବାର ପ୍ରୟାସ କରୁଛି ବୋଲି ବିଧାୟକ ପ୍ରକାଶ ଏହି ଭାଇରାଲ କ୍ଲିପରେ କହିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ବିଧାୟକଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରାଯାଇଥିବା ବେଳେ ଆଜି ଏହି ହିଂସାକାଣ୍ଡ ଘଟିଛି । ପୋଲିସ ଏକାଧିକ ଅଜଣା ହିଂସାକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.