Interesting News: ମାଇଁ ଲଡ୍ ନା ୟୋର ଅନର୍, କେଉଁ ଦେଶରେ ବିଚାରପତିଙ୍କୁ କେମିତି କରାଯାଏ ସମ୍ବୋଧନ...

author img

By

Published : Jan 4, 2022, 4:46 PM IST

Interesting News: ମାଇଁ ଲଡ୍ ନା ୟୋର ଅନର୍, କେଉଁ ଦେଶରେ ବିଚାରପତିଙ୍କୁ କେମିତି କରାଯାଏ ସମ୍ବୋଧନ...

କାହିଁକି ବିଚାରପତିଙ୍କୁ ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି କୁହାଯାଏ । ମନରେ ପ୍ରଶ୍ନ ଆସୁଥିବା ସ୍ବାଭାବିକ । ଜଣେ ସାଧାରଣ ଲୋକ ବିଚାର ବିଭାଗୀୟ ସମ୍ବନ୍ଧୀୟ ଶବ୍ଦକୁ ବୁଝିପାରିନଥାଏ । କାନରେ ବେଳେବେଳେ ଏହି ଶବ୍ଦ ପଡିଲେ ମଧ୍ୟ ଏହାର ଅର୍ଥ ବୁଝାପଡି ନଥାଏ । ତେଣୁ ଚାଲନ୍ତୁ ଜାଣିବା କୋର୍ଟ ପରିସରରେ ଏପରି ଶବ୍ଦ କାହିଁକି ବ୍ୟବହାର କରାଯାଏ । କେଉଁ ଦେଶରେ କେମିତି ରହିଛି ଏ ନେଇ ନିୟମ । ପଢନ୍ତୁ ETV BHARATର Special Report...

ହାଇଦ୍ରାବାଦ: ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ଇତିହାସରେ ପ୍ରଥମ ଘଟଣା । ହଟିଲା ଚାଲି ଆସିଥିବା ଇଂରେଜ ଅମଳର ପ୍ରଥା । ଆଜିଠୁ ବିଚାରପତି କିମ୍ବା ଖଣ୍ଡପୀଠଙ୍କୁ ଆଉ ମାଇଁ ଲର୍ଡ(My Lord), ୟୋର ଲର୍ଡସିପ୍‌(Your Lordship) ବା ୟୋର ଅନର(Your Honour) ବୋଲି ସମ୍ବୋଧନ କରାଯିବନି । ଏହା ବଦଳରେ କେବଳ 'ସାର'(Sir) ବୋଲି ଆଇନଜୀବୀ ଓ ପକ୍ଷମାନେ ସମ୍ବୋଧନ କରିପାରିବେ । ଶୀତ ଅବକାଶ ପରେ ସୋମବାରଠୁ(03/01/2022) ଖୋଲିଛି ହାଇକୋର୍ଟ । ଜାନୁଆରୀ 3ରେ ପ୍ରକାଶିତ ମାମଲା ତାଲିକା ଉଇକଲି କ୍ଲଜ୍‌ ଲିଷ୍ଟ(weekly cause list)ରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏଭଳି ନିର୍ଦ୍ଦେଶନାମା ଉଲ୍ଲେଖ ରହିଛି । 'ସାର' ସମ୍ବୋଧନରେ କୋର୍ଟଙ୍କ ମର୍ଯ୍ୟାଦା ଯଥେଷ୍ଟ ବୋଲି ଏହି ତାଲିକାରେ ପ୍ରକାଶ ପାଇଛି । ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି ଇଂରେଜ ଅମଳରେ ବ୍ୟବହାର ହେଉଥିଲା । 2016ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।

କିନ୍ତୁ କାହିଁକି ଏହି ନିଷ୍ପତ୍ତି ନିଆଗଲା । କେବେ ଠାରୁ ଏହା ପ୍ରଚଳିତ ହୋଇ ଆସୁଛି । କାହିଁକି ବିଚାରପତିଙ୍କୁ ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି କୁହାଯାଏ । ମନରେ ପ୍ରଶ୍ନ ଆସୁଥିବା ସ୍ବାଭାବିକ । ଜଣେ ସାଧାରଣ ଲୋକ ବିଚାର ବିଭାଗୀୟ ସମ୍ବନ୍ଧୀୟ ଶବ୍ଦକୁ ବୁଝିପାରିନଥାଏ । କାନରେ ବେଳେବେଳେ ଏହି ଶବ୍ଦ ପଡିଲେ ମଧ୍ୟ ଏହାର ଅର୍ଥ ବୁଝାପଡି ନଥାଏ । ତେଣୁ ଚାଲନ୍ତୁ ଜାଣିବା କୋର୍ଟ ପରିସରରେ ଏପରି ଶବ୍ଦ କାହିଁକି ବ୍ୟବହାର କରାଯାଏ । ଏ ନେଇ ETV BHARATର Special Report...

ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ମାଇଁ ଲଡ୍, ୟୋର ଲର୍ଡସିପ୍‌, ଅନରେବଲ୍ କୋର୍ଟ(Honorable Court) ବୋଲି ସମ୍ବୋଧନ କରାଯାଏ । ସେହିପରି ଭାବେ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ୍ସ ଏବଂ ଅନ୍ୟ ଫୋରମମାନଙ୍କରେ ବିଚାରପତିଙ୍କୁ ୟୋର ଅନର ଅଥବା ସାର୍ ଅଥବା ସ୍ଥାନୀୟ ସମ୍ମାନନୀୟ ଭାଷାରେ ମଧ୍ୟ ସମ୍ବୋଧନ କରାଯାଏ ।

ମାଇଁ ଲଡ୍ ଓ ୟୋର ଲର୍ଡସିପ୍‌ ଶବ୍ଦକୁ ନେଇ ଘଟିଥିବା କିଛି ଘଟଣା:

୧) ଗତବର୍ଷ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ବାର ଆସୋସିଏସନର ସଦସ୍ୟଙ୍କୁ ନୋଟିସ ଜାରି କରି ଏହା କହିଥିଲେ ଯେ, 'ମୋତେ ୟୋର ଲର୍ଡସିପ୍‌ ଅଥବା ମାଇଁ ଲଡ୍ ନ କୁହାଯାଉ' । ଏହାସହ ଓବିଲାଇଜ୍ଡ(Obliged) ଏବଂ ଗ୍ରେଟଫୁଲ(Grateful) ଭଳି ଶବ୍ଦ ମଧ୍ୟ ମୋ ସମ୍ମୁଖରେ ବ୍ୟବହାର କରା ନ ଯାଉ ।

୨) ଗତ ବର୍ଷ(୨୦୨୧) ୨୩ ଫେବୃୟାରୀରେ ଏମିତି ଏକ ଘଟଣା ସୁପ୍ରିମକୋର୍ଟରେ ମଧ୍ୟ ଘଟିଥିଲା । ଜଣେ ଲ' ଛାତ୍ର ମୁଖ୍ୟ ବିଚାରପତି ଏସ୍ ଜେ. ବୋବଡେଙ୍କୁ 'ୟୋର ଅନର' ଯେତେବେଳେ କହିଥିଲେ, ସେ ସଙ୍ଗେ ସଙ୍ଗେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ । ସେ କହିଥିଲେ 'ଯେତେବେଳେ ଆପଣ ଆମକୁ ୟୋର ଅନର କହୁଛନ୍ତି, ସେତେବେଳେ ଆପଣଙ୍କ ମସ୍ତିଷ୍କରେ ୟୁନାଇଟେଡ୍ ଷ୍ଟେଟ୍ସର ସୁପ୍ରିମକୋର୍ଟ ଅଥବା ମାଜିଷ୍ଟ୍ରେଟ୍ ରହୁଥିବ ନିଶ୍ଚିତ । ଆମେ ତ ଆଦୌ ଆପଣଙ୍କ ମସ୍ତିଷ୍କରେ ରହୁ ନଥିବୁ ' ।

୩) ସେତେବେଳେ ତତ୍‌କ୍ଷଣାତ୍ ଯାଚିକାକର୍ତ୍ତା ଜଣଙ୍କ ବିଚାରପତିଙ୍କୁ କ୍ଷମା ପ୍ରାର୍ଥନା କରିବା ସହ କହିଥିଲେ କି, ସେ ଏଣିକି ମାଇଁ ଲଡ୍ କହି କୋର୍ଟକୁ ସମ୍ବୋଧନ କରିବେ । ଏହା ଉପରେ ଜଷ୍ଟିସ ବୋବଡେ କହିଥିଲେ ଯେ, 'ଯାହା କହୁଛ କୁହ, କିନ୍ତୁ ଆମେ ଚାହୁଁନୁ ଯେ, ଆପଣ କିଛି ନିର୍ଦ୍ଧାରିତ ଶବ୍ଦ ହିଁ ଉଚ୍ଚାରଣ କରନ୍ତୁ । କିନ୍ତୁ କୌଣସି ଭୁଲ୍ ଶବ୍ଦ ମଧ୍ୟ ବିଲ୍‌କୁଲ ବ୍ୟବହାର କରନ୍ତୁ ନାହିଁ ' । ଏହା ପୂର୍ବରୁ ଅଗଷ୍ଟ ୨୦୨୦ରେ ଜଷ୍ଟିସ ବୋବଡେ ତାଙ୍କୁ 'ୟୋର ଅନର' କହି ସମ୍ବୋଧନ କରିବା ଉପରେ ଆପତ୍ତି ପ୍ରକାଶ କରିଥିଲେ । ସେତେବେଳେ ସେ ଏହା ମଧ୍ୟ କହିଥିଲେ ଯେ, ଭାରତୀୟ ଅଦାଲତରେ ଏହି ପ୍ରକାର ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ ।

କଣ କହି ବିଚାରପତିଙ୍କୁ ସମ୍ବୋଧନ କରାଯିବା ଉଚିତ୍?

1) ଇଂରେଜ ଅମଳରେ ଅଦାଲତମାନଙ୍କରେ ବିଚାରପତିମାନଙ୍କୁ 'ମାଇଁ ଲଡ୍', 'ୟୋର ଲର୍ଡସିପ୍‌' କୁହାଯାଉଥିଲା । ସେବେଠାରୁ କୋର୍ଟରୁମ୍‌ରେ ଏହି ପ୍ରୋଟୋକଲ ଚାଲି ଆସୁଛି । ଏଥିରୁ କେବଳ ଦାସତ୍ବ ଓ ଗୁଲାମିର ଝଲକ ଦେଖିବାକୁ ମିଳୁଥିଲା । ତେଣୁ କେବଳ ଏହି କାରଣରୁ ହିଁ ମୂଳରୁ ହିଁ ଏହି ଶବ୍ଦ ଗୁଡିକ ଉପରେ କିଛି ବିଚାରପତି ଆପତ୍ତି ପ୍ରକାଶ କରିଥିଲେ । ବିଚାରପତିମାନେ ରୋଷ ପ୍ରକାଶ କରି ଏହା ମଧ୍ୟ କହିଥିଲେ ଯେ, ବିଚାରବିଭାଗ କାର୍ଯ୍ୟାଳୟରେ ନିଜର କିଛି ଗାରିମା ଓ ଆତ୍ମସମ୍ମାନ ଅଛି । ତେଣୁ ଧର୍ମର ମନ୍ଦିରରେ ଯାହା ବି ଶବ୍ଦ ବ୍ୟବହାର କରାଯିବ, ତାହା ଅନୁରୂପ ହୋଇଥିବା ଆବଶ୍ୟକ ।

୨) ୨୦୦୬ରେ ପ୍ରୋଗେସିଭ ଆଣ୍ଡ ଭିଜିଲାଣ୍ଟ ଲୟର୍ସ ଫୋରମ(Progressive and Vigilant Lawyers Forum)ର ଜନହିତ ଯାଚିକା ପରେ ଏହି ମାମଲା ପ୍ରଥମଥର ଲୋକଲୋଚନକୁ ଆସିଥିଲା । ଏହି ଯାଚିକାରେ ବିଚାରପତିମାନଙ୍କୁ ସମ୍ବୋଧନ କରାଯାଉଥିବା ଶବ୍ଦ ଉପରେ ଆପତ୍ତି କରାଯାଇଥିଲା । ସୁପ୍ରିମକୋର୍ଟ ୨୦୦୬ ଜାନୁୟାରୀ ୬ରେ ଏହି ଯାଚିକାକୁ ଖାରଜ କରିଦେଇଥିଲେ । ଏବଂ କହିଥିଲେ କି ବିଚାରପତିଙ୍କୁ କେଉଁ ଶବ୍ଦରେ ସମ୍ବୋଧନ କରାଯିବ, ତାହା ବାର କାଉନସିଲ୍ ନିର୍ଣ୍ଣୟ କରିବା ଉଚିତ୍ ।

୩) ୧୯୬୧ ମସିହାରେ ଦ ଆଡଭୋକେଟ୍ସ ଆକ୍ଟ(The Advocates Act)ର ଧାରା ୪୯(୧)(c) ଅନୁଯାୟୀ ଭାରତର ବାର କାଉନସିଲ୍ (BCI) ହିଁ ଓକିଲ ଓ ବିଚାରପତିଙ୍କ ପାଇଁ ଶିଷ୍ଟାଚାର ଶବ୍ଦର ମାନକ ନିର୍ଦ୍ଧାରିତ କରିବ । ଏହାପରେ କାଉନସିଲ୍ ୨୦୦୬ରେ BCI ରୁଲ୍ସର ପାର୍ଟ VIର ଚାପ୍ଟର IIIAରେ ନୂଆ ସଂକଳ୍ପ ଯୋଡା ହୋଇଥିଲା ।

୪) ଏହି ସଂକଳ୍ପ କୁହେଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କୁ 'ୟୋର ଅନର' ଓ ଅନରବେଲ୍ କୋର୍ଟ କୁହାଯାଉ । ଏହା ବ୍ୟତୀତ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ୍ସ ଏବଂ ଅନ୍ୟ ଫୋରମମାନଙ୍କରେ 'ସାର୍' ଅଥବା ଆଞ୍ଚଳିକ ଭାଷା ମଧ୍ୟରେ ଥିବା କୌଣସି ସମ୍ମାନନୀୟ ଶବ୍ଦ ବ୍ୟବହାର କରିପାରିବେ ।

୫) ଏହାବ୍ୟତୀତ କିଛି ବିଚାରପତି ଓ ବାର ଆସୋସିଏସନ ନିଜ ନିଜ ସ୍ତର ଅନୁଯାୟୀ ନିୟମ ପ୍ରସ୍ତୁତ କଲେ । ଏଥିମଧ୍ୟରୁ ଅଧିକତର ଏମିତି ଥିଲେ ଯେ, ଯେଉଁମାନେ ଚାହୁଁନ ଥିଲେ କି ମାଇଁ ଲଡ୍ ଓ ଲର୍ଡସିପ୍‌ ଭଳି ଶବ୍ଦ ବ୍ୟବହାର ନ କରିବା ପାଇଁ ।

ସୁପ୍ରିମକୋର୍ଟର କେସ୍ ଲ' କଣ କୁହେ?

୧) ୨୦୧୪ରେ ଏ ବାବଦରେ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାଖଲ ହୋଇଥିଲା । ଶିବସାଗର ତିୱାରୀ ବନାମ ସୁପ୍ରିମକୋର୍ଟ ମହାସଚିବ ଏବଂ ଅନ୍ୟ କେସ ନେଇ ଯାଚିକାରେ ୟୋର ଅନର ଶବ୍ଦକୁ ଗୁଲାମିର ପ୍ରତୀକ କୁହାଯାଇଥିଲା । ଏଥିରେ ଯଥାଶୀଘ୍ର ରୋକ ଲଗାଇବା ପାଇଁ ଦାବି କରାଯାଇଥିଲା ।

୨) ଏହା ଉପରେ ଜଷ୍ଟିସ ଏଚ୍‌.ଏଲ୍ ଦତ୍ତୁ ଓ ଜଷ୍ଟିସ ବୋବଡେଙ୍କ ବେଞ୍ଚ ଯାଚିକାକୁ 'ନେଗେଟିଭ ପ୍ରେୟର' କହି ଖାରଜ କରିଦେଇଥିଲେ । ଏହା ମଧ୍ୟ କହିଥିଲେ ଯେ, ମାଇଁ ଲଡ୍ ଓ ୟୋର ଲଡ୍‌ସିପ୍ ଭଳି ଶବ୍ଦରେ ସମ୍ବୋଧିତ କରିବା କେବେ ମଧ୍ୟ ଅନିବାର୍ଯ୍ୟ ରହିନାହିଁ ।

୩) ସେତେବେଳେ ଜଷ୍ଟିସ ଦତ୍ତୁ ଓ ଜଷ୍ଟିସ ବୋବଡେଙ୍କ ଖଣ୍ଡପୀଠ କହିଥିଲା ଯେ, ଅଦାଲତକୁ ସମ୍ବୋଧିତ କରିବା ଘଟଣାରେ ଆମକୁ କଣ ଦରକାର ? ଆପଣ କେବଳ ସମ୍ମାନୀତ ଶବ୍ଦର ବ୍ୟବହାର କରନ୍ତୁ । ଆପଣ ଜଜ୍‌ଙ୍କୁ (SIR) କୁହନ୍ତୁ । ଏହା ସ୍ବୀକାରଯୋଗ୍ୟ । ଆପଣ 'ୟୋର ଅନର' ମଧ୍ୟ କହିପାରିବେ । ଏହା ମଧ୍ୟ ସ୍ବୀକାରଯୋଗ୍ୟ । ଆପଣ କୁହନ୍ତୁ ଲଡ୍‌ସିପ୍, ତାହା ମଧ୍ୟ ସ୍ବୀକାରାଯୋଗ୍ୟ । ଆମକୁ ସବୁ ସ୍ବୀକାର ।

୬ ମଇ ୨୦୦୬ରେ ବାର କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟ
୬ ମଇ ୨୦୦୬ରେ ବାର କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟ

୪) ସୂଚନାଯୋଗ୍ୟ ଯେ, ଗତ ବର୍ଷ ଯେତେବେଳେ ଏ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା, ସେତେବେଳେ ବାର କାଉନସିଲ୍ ପ୍ରମୁଖ ମନନ ମିଶ୍ରା କହିଥିଲେ ଯେ, କିଛି ହାଇକୋର୍ଟର ବାର ଆସୋସିଏସନର ପଦାଧିକାରୀଙ୍କ ଅନୁରୋଧ ଅନୁଯାୟୀ ୨୮ ସେପ୍ଟେମ୍ବର ୨୦୧୯ରେ ନୂଆ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କୁ ମାଇଁ ଲଡ୍, ୟୋର ଲଡ୍‌ସିପ୍ ଏବଂ ଅନରେବଲ କୋର୍ଟ କହି ସମ୍ବୋଧନ କରାଯାଇପାରିବ ।

୫) ସେହିପରି ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ୍ସ ଓ ଅନ୍ୟ ଫୋରମ କୋର୍ଟକୁ ୟୋର ଅନର ଅଥବା ସାର୍ ବା ସ୍ଥାନୀୟ ଭାଷାର ଶବ୍ଦ ଦ୍ବାରା ସମ୍ବୋଧିତ କରାଯିବାର ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ, ନିୟମ ଏହି ପ୍ରସ୍ତାବ ଆଧାର ଉପରେ ସ୍ଥଗିତ ଅଛି ନା ବଦଳା ଯାଇଛି ।

ସମଗ୍ର ଦେଶରେ ଏ ନେଇ କଣ ବ୍ୟବସ୍ଥା ଅଛି ?

1) ଏ ବିଷୟ ନେଇ କୌଣସି ସମାନତା ନାହିଁ । ୨୦୦୬ରେ ବାର କାଉନସିଲ୍‌ର ପ୍ରସ୍ତାବ ପାରିତ ହେବା ପରେ ୨୦୦୭ରେ କେରଳ ହାଇକୋର୍ଟ ଆଡଭୋକେଟ୍ସ ଆସୋସିଏସନ ସର୍ବସମ୍ମତିରେ ପ୍ରସ୍ତାବ ପାରିତ କରି ବିଚାରପତିଙ୍କୁ ମାଇଁ ଲଡ୍ ଏବଂ ଲର୍ଡସିପ୍‌ ସମ୍ବୋଧନ କରିବା ବନ୍ଦ କରି ଦେଇଥିଲା ।

୨) ପୁଣି ୨୦୦୯ରେ ମାଦ୍ରାସ ହାଇକୋର୍ଟର ଜଷ୍ଟିସ କେ.ଚନ୍ଦ୍ରୁ ଓକିଲଙ୍କୁ କହିଥିଲେ ଯେ, ତାଙ୍କୁ ମାଇଁ ଲଡ୍ କୁହା ନଯାଉ । ୨୦୧୯ରେ ରାଜସ୍ଥାନ ହାଇକୋର୍ଟ ଓକିଲମାନଙ୍କୁ ନୋଟିସ ଜାରି କରି କହିଥିଲେ ଯେ, ବିଚାରପତିଙ୍କୁ ମାଇଁ ଲଡ୍ ଅଥବା ୟୋର ଲର୍ଡସିପ୍‌ କୁହାଯାଇ ସମ୍ବୋଧନ ନ କରାଯାଉ ।

୩) ଦିଲ୍ଲୀ ହାଇକୋର୍ଟରେ ଥିବା ସମୟରେ ଜଷ୍ଟିସ ଏସ୍ ମୁରଲୀଧର ସମସ୍ତ ଓକିଲଙ୍କୁ କହିଥିଲେ ଯେ, ତାଙ୍କୁ ୟୋର ଲର୍ଡସିପ୍‌ ଅଥବା ମାଇଁ ଲଡ୍ ନ କୁହାଯାଉ । କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି. ନାୟର ରାଧାକ୍ରିଷ୍ଣନ ଅଫିସର୍ସମାନଙ୍କୁ ଚିଠି ଲେଖି ଜଣାଇଲେ ଯେ, ତାଙ୍କୁ ମାଇଁ ଲଡ୍ ଅଥବା ଲର୍ଡସିପ୍‌ କହିବା ବଦଳରେ ସାର୍ କୁହାଯାଇ ସମ୍ବୋଧନ କରାଯାଉ ।

ଆମେରିକା-ବ୍ରିଟେନ୍‌ରେ କେମିତି ରହିଛି ବ୍ୟବସ୍ଥା?

୧) UK (ୟୁକେ)ରେ କୋର୍ଟ ଅଫ୍ ଅପିଲ୍ସ ଏବଂ ହାଇକୋର୍ଟର ବିଚାରପତିଙ୍କୁ ମାଇଁ ଲଡ୍ ଅଥବା ମାଇଁ ଲେଡି କହି ସମ୍ବୋଧନ କରାଯିବାର ନିୟମ ରହିଛି । ସର୍କିଟ ବିଚାରପତି(Circuit Justice)ଙ୍କୁ ୟୋର ଅନର, ମାଜିଷ୍ଟ୍ରେଟଙ୍କୁ ୟୋର ଲଡ୍‌ସିପ୍ କିମ୍ବା ସାର୍ ଓ ମ୍ୟାଡାମ କୁହନ୍ତି । ଜିଲ୍ଲା ଦୌରାଜଜ୍ ଏବଂ ଟ୍ରିବ୍ୟୁନାଲ୍ସ ବିଚାରପତିଙ୍କୁ ସାର ଓ ମ୍ୟାଡାମ ସମ୍ବୋଧନ କରାଯାଏ ।

୨) ଆମେରିକାରେ ସୁପ୍ରିମକୋର୍ଟର ୱେବସାଇଟରେ କାଗଜପତ୍ର ମଧ୍ୟ ଉଲ୍ଲେଖ ଅଛି । ଏଥିରେ ଲେଖା ହୋଇଛି ଯେ, ମୁଖ୍ୟ ବିଚାରପତିଙ୍କୁ ଯଦି ସମ୍ବୋଧନ କରିବାର ଅଛି, ତେବେ କେବଳ 'ମିଷ୍ଟର' ହିଁ କୁହନ୍ତୁ । ବାକି ଜଜ୍‌ମାନଙ୍କୁ ସେମାନଙ୍କ ସରନେମ(surname) ଆଗରେ ଜଷ୍ଟିସ କହି ସମ୍ବୋଧନ କରାଯାଉ । ଯେମିତି ଜଷ୍ଟିସ ଗିନ୍ସବର୍ଗ, ଜଷ୍ଟିସ ସ୍କ୍ରେଲିଆ ଇତ୍ୟାଦି । ଯଦି କାହା ନାଁ ଜଣାନାହିଁ ତେବେ ୟୋର ଅନର କହିପାରିବେ । କିନ୍ତୁ ଜଜ୍‌ ଶବ୍ଦ ଉଚ୍ଚାରଣ କରିପାରିବେ ନାହିଁ ।

୩) ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସମେତ କିଛି ଦେଶରେ ବିଚାରପତିଙ୍କୁ ୟୋର ଅନର ହିଁ କୁହାଯାଇଥାଏ ।

'ୟୋର ଅନର' (Your Honour) ଏକପ୍ରକାର ଠିକ୍:

କିଛି ଦେଶରେ ବିଚାରପତିଙ୍କୁ ସମ୍ବୋଧନ କରିବା ପାଇଁ ୟୋର ଅନର ଶବ୍ଦର ବ୍ୟବହାର କରାଯାଏ । ବ୍ରିଟେନ ଭଳି କିଛି ଦେଶରେ ମାଇଁ ଲଡ୍ ଓ ୟୋର ଲଡ୍‌ସିପ୍ ଶବ୍ଦର ମଧ୍ୟ ପ୍ରୟୋଗ କରାଯାଇଥାଏ । ଦେଖିବାକୁ ଗଲେ ଭାରତରେ ମାଇଁ ଲଡ୍ ଓ ୟୋର ଲଡ୍‌ସିପ୍ ସମ୍ବୋଧନ କରିବାରେ କୌଣସି ପ୍ରକାର ଆଇନଗତ ପ୍ରତିବନ୍ଧକ ନାହିଁ । କିନ୍ତୁ ବାର କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ବାରା ୟୋର ଅନର ଶବ୍ଦକୁ ଅଧିକରୁ ଅଧିକତର ବ୍ୟବହାର କରାଯିବା ଉଚିତ୍ । ନ୍ୟାୟାଳୟ ଏବଂ ବିଚାରପତିଙ୍କୁ ଏ ବାବଦରେ ଅସନ୍ତୋଷ ପ୍ରକାଶ ନ କରି ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଓକିଲଙ୍କୁ ଏହା ଅନୁଭବ କରାଇବାକୁ ପଡିବ ଯେ, ନ୍ୟାୟାଳୟ ଏବଂ ବିଚାରପତିଙ୍କୁ ଖୁସି କରିବା ପାଇଁ ହେଲେ ଏମିତି ଔପନିବେଶକ ଅର୍ଥର ବ୍ୟବହାର କରିବା ଆବଶ୍ୟକ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.