ETV Bharat / bharat

ନାବାଳିକାଙ୍କୁ 10 ଦିନ ଧରି ଦୁଷ୍କର୍ମ, ଦୁଇ ବର୍ଷ ପରେ ବୟାନ ଦେଲେ ପୀଡିତା

author img

By

Published : May 28, 2023, 9:30 PM IST

ନାବାଳିକାଙ୍କୁ 10 ଦିନ ଧରି ଦୁଷ୍କର୍ମ
ନାବାଳିକାଙ୍କୁ 10 ଦିନ ଧରି ଦୁଷ୍କର୍ମ

ଦିଲ୍ଲୀରେ ନାବାଳିକାଙ୍କୁ 10 ଦିନ ଧରି ଘରେ ବନ୍ଦୀ କରି ରଖିବା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି କାଣ୍ଡ ଘଟାଇଛନ୍ତି ପୀଡିତାଙ୍କ ଶିକ୍ଷକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ 10 ଦିନ ଧରି ଦୁଷ୍କର୍ମ । ଆଉ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ପୀଡିତାଙ୍କର ଶିକ୍ଷକ । ମହରୋଲି ଥାନା ଅଞ୍ଚଳରୁ ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ 10 ଦିନ ଧରି ଘରେ ବନ୍ଦି କରି ରଖିବା ସହ ଦୁଷ୍କର୍ମ ଏବଂ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଏ ବିଷୟରେ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ।

ପ୍ରଥମେ ନାବାଳିକାକୁ ବୁଲିବା ବାହାନାରେ ବାଇକ ଯୋଗେ ନିଜ ଘରକୁ ନେଇଥିଲେ ଶିକ୍ଷକ ଜଣକ । ଏହାପରେ ଘରେ 10 ଦିନ ଧରି ସମ୍ପୂର୍ଣ୍ଣ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଉଥିଲେ । ପୀଡିତା ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ପରେ ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଛନ୍ତି ପୀଡିତା । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘଟଣାଟି 2021 ମସିହାର ଯେତେବେଳେ ପୀଡିତାଙ୍କ ବୟସ ମାତ୍ର 16 ବର୍ଷ ଥିଲା । ଘଟଣାକୁ ପାଖାପାଖି ଦୁଇ ବର୍ଷ ବିତିବା ପରେ ପୀଡିତା ଜଣକ ମୁହଁ ଖୋଲିଛନ୍ତି । 10 ଦିନ ଧରି ଘର ଭିତରେ ବନ୍ଦୀ କରି ରଖିବା ସହ କିଭଳି ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ ଶିକ୍ଷକ ଜଣକ ସେନେଇ ସମସ୍ତ ସତ ବଖାଣିଛନ୍ତି । ତେବେ ଲୋକଲଜ୍ଜା ଭୟରେ କାହା ଆଗରେ ଏକଥା ପ୍ରକାଶ କରିପାରୁନଥିବା ସେ କହିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ସାହସ ଜୁଟାଇ ସତ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିବା କହିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଖାଲି ରାଜଧାନୀ ଦିଲ୍ଲୀ ନୁହେଁ, ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ବିହାର ଏବଂ ଓଡିଶା ଭଳି ବିଭିନ୍ନ ରାଜ୍ୟରୁ ପ୍ରତ୍ୟେକ ଦିନ ଦୁଷ୍କର୍ମ ଭଳି ଅପରାଧିକ ମାମଲା ସାମନାକୁ ଆସୁଛି । ଯାହାକୁ ନେଇ କର୍ମକ୍ଷେତ୍ର ହେଉ ବା କଲେଜ ବାହାରକୁ ଯିବା ପାଇଁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ମହିଳା । ବର୍ତ୍ତମାନ ପରିସ୍ଥିତିରେ ମହିଳାଙ୍କ ସୁରକ୍ଷା ଜରୁରୀ ହୋଇପଡିଛି । ତେବେ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ଭଳି ଅନେକ ସଙ୍ଗୀନ ମାମଲାର ନଜିର ରହିଛି । ଏ ତମାମ ଘଟଣାକୁ ଦେଖିଲେ ରାଜଧାନୀରେ ନାରୀଙ୍କ ସୁରକ୍ଷା ଜରୁରୀ ହୋଇପଡିଛି । ତେବେ ଏଭଳି ଅପରାଧ ରୋକିବାକୁ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.